ନୂଆଦିଲ୍ଲୀ,୨୪।୧୨: ଗଙ୍ଗା କୂଳରେ, ସୂର୍ଯ୍ୟଙ୍କ ପ୍ରଥମ କିରଣରେ ଜିଇଁ ଉଠୁଥିବା ଶୀତୁଆ ସକାଳରେ ଏକ ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ। ପାଉଁଶ ବୋଳା ଉଲଗ୍ନ ଶରୀର, ଜଟାଭର୍ତ୍ତୀ କେଶ ଏବଂ ଆଖିରେ ନିଆରା ଚମକ ଦ୍ୱାରା ନାଗାସାଧୁ ମହାକୁମ୍ଭ ମେଳାରେ ନିଜର ଉପସ୍ଥିତି ଦ୍ୱାରା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦିଅନ୍ତି। ଏହି କାହାଣୀ କେବଳ ସାଧୁମାନଙ୍କର ନୁହେଁ ବରଂ ତ୍ୟାଗ, ତପସ୍ୟା ଏବଂ ପରମ୍ପରାର, ଯାହାକି ବର୍ଷ ବର୍ଷ ଧରି ଭାରତୀୟ ସଂସ୍କୃତିର ଜୟଗାନ କରିଆସୁଛି।
ନାଗା ସାଧୁ ହେବାର ରାସ୍ତା ସାଧାରଣ ନୁହେଁ। ଦୀକ୍ଷାଗ୍ରହଣ ପ୍ରକ୍ରିୟା କଠୋର ଏବଂ ରହସ୍ୟମୟ ହୋଇଥାଏ। ଏହା ଏଭଳି ଏକ ମାର୍ଗ ଯେଉଁଥିରେ ସାଂସାରିକ ବନ୍ଧନକୁ ତ୍ୟାଗ କରି, ଆତ୍ମାକୁ ମୁକ୍ତ କରିବାକୁ ପ୍ରୟାସ କରାଯାଇଥାଏ।
ନାଗା ସାଧୁ କେବଳ ସାଧକ ହୋଇ ନ ଥାନ୍ତି, ସେ ତ୍ୟାଗ ଏବଂ ତପସ୍ୟାର ଜୀବନ୍ତ ଉଦାହରଣ ହୋଇଥାନ୍ତି। ପାହାଡ ଗୁମ୍ଫା ଏବଂ ଘଞ୍ଚ ଜଙ୍ଗଲରେ ସେ ସମୟ ବିତାଇଥାନ୍ତି। ସକାଳେ ଧ୍ୟାନ ସହ ଶିବଙ୍କୁ ଆରାଧନା କରିଥାନ୍ତି। କେବଳ ପ୍ରାକୃତିକ ବସ୍ତୁ ଉପରେ ନିର୍ଭର କରିଥାନ୍ତି। ତାଙ୍କର ଦିନଚର୍ଯ୍ୟା କଠିନ ସାଧନା ଏବଂ ଧ୍ୟାନରେ ବିତିଥାଏ।
ସାଧୁମାନେ ଶରୀରରେ ଲଗାଉଥିବା ଭସ୍ମ କେବଳ ତାଙ୍କ ତ୍ୟାଗର ପ୍ରତୀକ ନୁହେଁ, ବରଂ ଜୀବନ ଏବଂ ମୃତ୍ୟୁର ଚକ୍ରକୁ ସ୍ବୀକାର କରିବାର ପ୍ରତୀକ। ଏହା ମନେ ପକାଇଥାଏ ଯେ ଦିନେ ପ୍ରତିଟି ମନୁଷ୍ୟ ପାଉଁଶ ପାଲଟିଯିବ।
ନାଗା ସାଧୁ କେବଳ ଦେଖିବାରେ ଅସାଧାରଣ ହୋଇ ନ ଥାନ୍ତି, ସେ ଜ୍ଞାନ, ସାଧନାର ଏଭଳି ସ୍ତମ୍ଭ ହୋଇଥାନ୍ତି, ଯାହାଙ୍କ ପାଖରେ ବେଦ, ତନ୍ତ୍ର ଏବଂ ଧ୍ୟାନର ପ୍ରାଚୀନ ବିଧି ସଂରକ୍ଷିତ ରହିଥାଏ।
ଗୋଟିଏ ପଟେ ଦୁନିଆ ଆଧୁନିକତା ଆଡ଼କୁ ବଢ଼ୁଥିବା ବେଳେ ନାଗାସାଧୁ ଏହି କଥାର ପ୍ରତୀକ ଯେ ପ୍ରାଚୀନ ପରମ୍ପରାକୁ କିଭଳି ଜୀବିତ ରଖାଯାଇପାରିବ। ସେମାନେ ଭାରତୀୟ ସଂସ୍କୃତିର ଏକ ଏଭଳି ସୂତା ଯିଏ ସମୟ ଏବଂ କାଳକୁ ତ୍ୟାଗ ଏବଂ ଭକ୍ତି ମାଧ୍ୟମରେ ଯୋଡ଼ିଥାନ୍ତି। ସେମାନେ ସତ୍ୟ,ସାଧନା ଏବଂ ଶିବଙ୍କୁ ଖୋଜିବା ଉଦ୍ଦେଶ୍ୟରେ ନିଜକୁ ସମର୍ପିଥାନ୍ତି। ସଂସାରର ଭୌତିକ ସୁଖକୁ ଆଡେଇ ଦେଇ ଏହାକୁ ଭ୍ରମର ଆଖ୍ୟା ଦେଇଥାନ୍ତି। ସେମାନେ ଆତ୍ମାକୁ ଜାଗ୍ରତ କରାଇବା ଲାଗି ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇଥାନ୍ତି।