ପିପିଲି,୬।୬(ଡି.ଏନ୍.ଏ.): ପିପିଲି ବ୍ଲକ ଅଧୀନ ରୂପଦେଇପୁରରେ ଓଡ଼ିଶା ପ୍ରସିଦ୍ଧ ନାଗାଯାତ୍ରା ସୋମବାର ଉଦ୍ଘାଟିତ ହୋଇଯାଇଛି। ଏହି ଯାତ୍ରା ୨ ଦିନ ଧରି ଚାଲିବ। ଏହି ପାରମ୍ପରିକ ଯାତ୍ରାରେ ମହୁରି, ନାଗରା ବୀରବାଦ୍ୟରେ ନାଗାଧାରୀମାନେ ନାଗାନୃତ୍ୟ ପରିବେଷଣ କରିଥିଲେ। ଉଦ୍ଘାଟନୀ ଉତ୍ସବରେ ହଜାର ହଜାର ଦର୍ଶକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ପରମ୍ପରା ଅନୁଯାୟୀ, ଶ୍ରୀଜୀଉମାନେ ସ୍ନାନମଣ୍ଡପରେ ହାତୀବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ। ପରଦିନ ଭୋର ସମୟରେ ଦାରୁଦିଅଁଙ୍କୁ ଅଣସର ଘରକୁ ନିଆଯିବା ସମୟରେ ପ୍ରତ୍ୟେକ ଜାଗାର ବୀରମାନେ ନାଗାନୃତ୍ୟ ପରିବେଷଣ କରି ପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ। ଏହାପରେ ଚତୁର୍ଦ୍ଧାମୂର୍ତ୍ତି ଅଣସରକୁ ବିଜେ କରିଥିଲେ। ଏହି ଜାଗାଗୁଡ଼ିକ ମଧ୍ୟରେ ବଲ୍ଲଭ ଜାଗା, ବ୍ରହ୍ମା ଜାଗା, ଗୋପାଳି ଜାଗା, ବାଲିଜାଗା, ମାଣକୁଣ୍ଡ ଜାଗା, ବାଜେଣି ଜାଗା, ତାରେଣୀ ଜାଗା ଅନ୍ୟତମ। ମଙ୍ଗଳବାର ହଳଦୀପାଣି ଯାତ୍ରା ହେବ। ଚଳିତବର୍ଷ ୨୦ ଗୋଟି ବଡ଼ ନାଗା ସହିତ ଅନେକ ଛୋଟ ନାଗା କରାଯାଇଛି। ନାଗାଗୁଡ଼ିକ ଅନେକ ବଡ଼ ହୋଇ ମେଢ଼ର ମରୀଚିକା ସୃଷ୍ଟି କରୁଥିବା ସହ ଦର୍ଶକଙ୍କୁ ବିମୋହିତ କରୁଛି। ହଳଦୀପାଣି ଯାତ୍ରା ରାତି ୮ଟାରୁ ୧୨ଟା ପର୍ଯ୍ୟନ୍ତ କରାଯିବ। ପରେ ଶ୍ରୀମନ୍ଦିର ପକ୍ଷରୁ ଶାଢ଼ି ଦ୍ୱାରା ସମ୍ମାନିତ କରାଯିବ ବୋଲି ମନ୍ଦିରର ମୁଖପାତ୍ର ଆଇନଜୀବୀ ସତ୍ୟପ୍ରକାଶ ମିଶ୍ର ସୂଚନା ଦେଇଛନ୍ତି।