Categories: ଖେଳ

ନାଗାଲ ୨୫ ବର୍ଷରେ ପ୍ରଥମ ଭାରତୀୟ

ଟୋକିଓ, ୨୫ା୭ (ପି.ଟି.)-ଅଲିମ୍ପିକ ଗେମ୍ସରେ ଏକ ପୁରୁଷ ସିଙ୍ଗଲ୍ସ ଟେନିସ ମ୍ୟାଚ ଜିତିବାରେ ସୁମିତ ନାଗାଲ ୨୫ବର୍ଷରେ ପ୍ରଥମ ଏବଂ ମୋଟ ଉପରେ ତୃତୀୟ ଭାରତୀୟ ବିବେଚିତ ହୋଇଛନ୍ତି। ସେ ଶନିବାର ଏକ ୩ ସେଟ୍‌ ବିଶିଷ୍ଟ ମ୍ୟାଚରେ ଉଜବେକିସ୍ତାନର ଡେନିସ ଇସ୍ତୋମିନଙ୍କୁ ୬-୪, ୬-୭ (୬), ୬-୪ ସେଟ୍‌ରେ ହରାଇ ଦେଇଛନ୍ତି। ଆରିଏକ୍‌ ଟେନିସ ସେଣ୍ଟରର ୧୦ମ କୋର୍ଟରେ ଏହି ମ୍ୟାଚ ୨ ଘଣ୍ଟା ୩୪ ମିନିଟରେ ଶେଷ ହୋଇଥିଲା। ଦ୍ୱିତୀୟ ରାଉଣ୍ଡରେ ସେ ବିଶ୍ୱର ୨ ନମ୍ବର ଡାନିଲ ମେଡ୍‌ଭେଡେଭଙ୍କୁ ଭେଟିବେ। ଜିଶାନ ଅଲି ପ୍ରଥମ ଭାରତୀୟ ଭାବେ ୧୯୮୮ ସିଓଲ ଗେମ୍ସରେ ଏକ ସିଙ୍ଗଲ୍ସ ମ୍ୟାଚ ଜିତିଥିଲେ। ସେ ପାରାଗୁଏର ଭିକ୍ଟୋ କାବାଲେରୋଙ୍କୁ ପରାସ୍ତ କରିଥିଲେ। ପରେ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ୧୯୯୬ ଆଟଲାଣ୍ଟା ଗେମ୍ସରେ ବ୍ରାଜିଲର ଫର୍ନାଣ୍ଡୋ ମେଲିଜେନିଙ୍କୁ ପରାସ୍ତ କରି ପୁରୁଷ ସିଙ୍ଗଲ୍ସରେ ଐତିହାସିକ ବ୍ରୋଞ୍ଜ ସଫଳତା ହାସଲ କରିଥିଲେ। ତାଙ୍କ ପରେ କୌଣସି ଭାରତୀୟ ଗୋଟିଏ ହେଲେ ସିଙ୍ଗଲ୍ସ ମ୍ୟାଚ ଜିତିପାରି ନାହାନ୍ତି। ଲଣ୍ଡନରେ ୨୦୧୨ ଗେମ୍ସ ବେଳେ ସୋମ ଦେବବର୍ମନ ଓ ବିଷ୍ଣୁ ବର୍ଦ୍ଧନ ପ୍ରଥମ ରାଉଣ୍ଡ ଅତିକ୍ରମ କରିବାରେ ବିଫଳ ହୋଇଥିଲେ।

Share