ବୁଏନ୍ସଏୟାର୍ସ, ୫ା୩ (ପି.ଟି.)- ଭାରତର ସୁମିତ ନାଗାଲ ତାଙ୍କ ଏଟିପି କ୍ୟାରିୟରରେ ସବୁଠାରୁ ବଡ଼ ବିଜୟ ହାସଲ କରିଛନ୍ତି। ଦ୍ୱିତୀୟ ସିଡ୍ ତଥା ଚିଲିର କ୍ରିଷ୍ଟିଆନ ଗାରିନଙ୍କ ବିପକ୍ଷରେ ଚମକପ୍ରଦ ବିଜୟ ହାସଲ କରି ସେ ଏଠାରେ ଚାଲିଥିବା ଆର୍ଜେଣ୍ଟିନା ଓପନ୍ ଏଟିପି ୨୫୦ ଟୁର୍ନାମେଣ୍ଟର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ୧୫୦ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ନାଗାଲ ଉଚ୍ଚକୋଟୀର ପ୍ରଦର୍ଶନ ସହ ୨୨ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ଚିଲିଆନ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୬-୪, ୬-୩ ସେଟ୍ରେ ପରାସ୍ତ କରିଥିଲେ। ନାଗାଲ ଏଟିପି ଟୁର୍ ସ୍ତରରେ ତାଙ୍କ ପ୍ରଥମ କ୍ୱାର୍ଟରଫାଇନାଲ ପଦାର୍ପଣରେ ସ୍ପେନର ଆଲବର୍ଟ ରାମୋସ ଭିନୋଲାସଙ୍କୁ ଭେଟିବେ। ରାମୋସ ଭିନୋଲାସ ଜର୍ମାନୀର ଡୋମିନିକ୍ କୋପରଙ୍କୁ ୭-୫, ୬-୪ ସେଟ୍ରେ ହରାଇଦେଇଛନ୍ତି।