ନଗଡ଼ା ପିଲାଙ୍କୁ ପଢ଼ାଇଲେ ଜିଲାପାଳ

କାଳିଆପାଣି,୧୫ା୮(ଅସିତ ମହାନ୍ତ):ଯାଜପୁର ନୂତନ ଜିଲାପାଳ ପି. ଅନ୍ବେଷା ରେଡ୍ଡି ବୁଧବାର ସୁକିନ୍ଦା ବ୍ଲକ୍‌ର ନଗଡ଼ା ଅଞ୍ଚଳ ଗସ୍ତ କରିଛନ୍ତି। ଏହି ସମୟରେ ନଗଡ଼ା ଜୁଆଙ୍ଗଙ୍କ ପାଇଁ ହୋଇଥିବା ବିଭିନ୍ନ କାର୍ଯ୍ୟ ତଦାରଖ କରିବା ସହ ଜୁଆଙ୍ଗଙ୍କୁ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି। ପାନୀୟ ଜଳ ଯୋଗାଣ ପ୍ରକଳ୍ପରୁ ଜଳ ଆସୁ ନ ଥିବା ଦେଖି ବିରକ୍ତି ପ୍ରକାଶ କରିବା ସହ ଉପସ୍ଥିତ ବିଡିଓଙ୍କୁ ତୁରନ୍ତ ଏହାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ନଗଡ଼ା ସ୍କୁଲ୍‌କୁ ଯାଇ ପିଲାମାନଙ୍କୁ ପାଠ ପଢ଼ାଇଛନ୍ତି। ଏଠାରେ ରହିଥିବା ସମସ୍ୟାଗୁଡ଼ିକର ସମାଧାନ ପାଇଁ ସେ ଏକ ବୈଠକ କରିବେ। ବୈଠକରେ ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଚେଷ୍ଟା କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜିଲାପାଳ ସୁକିନ୍ଦା ତହସିଲଦାର ଦମୟନ୍ତୀ ସାହୁ, ବିଡିଓ ଅଭିଷେକ ସ୍ବାଇଁ, ସିଡିପିଓ ଭାନୁମତୀ ବେହେରାଙ୍କ ସହ ନଗଡ଼ାରେ ପହଞ୍ଚିଥିଲେ। ଶେଷରେ ଓଡ଼ିଶା ଖଣି ନିଗମ ଅତିଥିଶାଳାରେ ପହଞ୍ଚି ଅଧିକାରୀମାନଙ୍କ ସହ ଆଲୋଚନା କରି ଫେରିଯାଇଥିଲେ।