ନୂଆଦିଲ୍ଲୀ,୧୪।୬: ଆତ୍ମନିର୍ଭର ଦିଗରେ ଭାରତ ଆଉ ପାଦେ ଆଗେଇଛି। ସେନାକୁ ମିଳିଛି ପ୍ରଥମ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆତ୍ମଘାତି ଡ୍ରୋନ ‘ନାଗାସ୍ତ୍ର-୧’ । ଏହି ଡୋନ ସେନାର ବଳ ବଢାଇବାରେ ସହାୟକ ହେବ। ଏହାକୁ ଶତ୍ରୁ ପକ୍ଷର ରାଡାର ମଧ୍ୟ ଧରି ପାରିବ ନାହିଁ। ଫଳରେ ଶତ୍ରୁର ଠିକଣାରେ ଏହା ଏୟାର ଷ୍ଟ୍ରାଇକ କରିବାରେ ବେଶ ସହାୟକ ହୋଇପାରିବ।
ଏପରିକି ‘ନାଗାସ୍ତ୍ର-୧’ ବଙ୍କର, କ୍ୟାମ୍ପ ଓ ଅସ୍ତ୍ରାଗାରକୁ ମଧ୍ୟ ଧ୍ୱସଂ କରିବାର କ୍ଷମତା ରଖିଛି। ପ୍ରଥମ ପର୍ଯ୍ୟାୟରେ ସେନାକୁ ୧୨୦ଟି ‘ନାଗାସ୍ତ୍ର-୧’ ଡ୍ରୋନ ମିଳିଥିବା ବେଳେ ସେନାକୁ ୪୫୦ଟି ଡ୍ରୋନ ଯୋଗାଇ ଦିଆଯିବ ବୋଲି ଜଣାପଡିଛି।
ଭାରତ-ଚୀନ ସୀମା ନୁବ୍ରା ଘାଟିରେ ଏହାର ସଫଳ ପରୀକ୍ଷଣ କରାଯାଇଛି। ୧ରୁ ୪କିଜେ ଓଜନର ଅସ୍ତ୍ର ନେବାରେ ଏହା ସଫଳ ହୋଇଛି। ୪ହଜାର ୫ଶହ ମିଟର ପର୍ଯ୍ୟନ୍ତ ଆକାଶରେ ଉପରେ ଉଡି ଶତ୍ରୁକୁ ଧ୍ୱସଂ କରିପାରିବ। ୬୦ରୁ ୯୦ମିନିଟ ପର୍ଯ୍ୟନ୍ତ ଏହା ଉଡିପାରିବ। ଏହାର ରେଞ୍ଜ ୪୫ କିଲୋମିଟର ଜିପିଏସ୍ ଟାର୍ଗେଟ ରହିଛି।