ନାଗୋରନ-କରାବାଖ ତୈଳ ଡିପୋ ବିସ୍ଫୋରଣରେ ୨୦ ଶରଣାର୍ଥୀଙ୍କ ମୃତ୍ୟୁ: ଜାତିଆଣ ନରସଂହାର ଅଭିଯୋଗ ଆଣିଲା ଆର୍ମେନିଆ…

ବାକୁ,୨୬।୯ : ଅଜରବୈଜାନର ନାଗୋରନ-କରାବାଖ ଅଞ୍ଚଳରେ ଥିବା ଏକ ତୈଳ ଡିପୋରେ ବିସ୍ଫୋରଣରେ ଏପର୍ଯ୍ୟନ୍ତ ୨୦ ଜଣ ଶରଣାର୍ଥୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଶତାଧିକ ଲୋକ ଆହତ ହୋଇଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ପ୍ରାୟ ୩୦୦ଲୋକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଅନେକ ଆହତଙ୍କ ଅବସ୍ଥା ଗୁରୁତର ରହିଛି। ଏଭଳି ପରିସ୍ଥିତିରେ ମୃତ୍ୟୁସଂଖ୍ୟା ବୃଦ୍ଧି ହେବାର ଆଶଙ୍କା ରହିଛି। ଆର୍ମେନିଆ ଏହି ବିସ୍ଫୋରଣକୁ ଜାତିଆଣ ନରସଂହାର ବୋଲି କହିଛି। ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ଖବର ଅନୁଯାୟୀ, ନାଗୋରନ କରାବାଖର ଷ୍ଟେପାନାକର୍ଟ ସହରରେ ଏହି ଘଟଣା ଘଟିଛି। ସ୍ଥାନୀୟ ପ୍ରଶାସନ କହିଛି ୧୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ଏବଂ ଡାକ୍ତରଖାନାରେ ଚିକିତ୍ସା ସମୟରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ମୃତଦେହକୁ ଚିହ୍ନଟ କରିବା ପାଇଁ ପ୍ରୟାସ କରାଯାଉଛି। ଆର୍ମେନିଆର ପ୍ରଧାନମନ୍ତ୍ରୀ ନିକୋଲ ପେଶିନିଆନ କହିଛନ୍ତି ଏହି ଅଞ୍ଚଳରେ ଜାତିଆଣ ନରସଂହାର ଚାଲିଛି। ଅଜରବୈଜାନ କହିଛି ଏହା ପାରମ୍ପାରିକ ଆର୍ମେନୀୟମାନଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଚାହୁଁଛି ଏବଂ ସମସ୍ତଙ୍କୁ ସମାନ ବୋଲି ଭାବୁଛି।

ନାଗୋରନ କରାବାଖ ଏକ ପାର୍ବତ୍ୟ ଅଞ୍ଚଳ, ଯାହା ଅନ୍ତର୍ଜାତୀୟ ସ୍ତରରେ ଅଜରବୈଜାନର ଅଞ୍ଚଳ ଭାବରେ ପରିଗଣିତ ହୁଏ କିନ୍ତୁ ଏହାକୁ ଗତ ତିନି ଦଶନ୍ଧି ଧରି ଆର୍ମେନୀୟମାନେ ନିୟନ୍ତ୍ରଣ କରିଆସୁଛନ୍ତି। ଏହି ପ୍ରସଙ୍ଗରେ ରୁଷିଆ ମଧ୍ୟ ଆର୍ମେନିଆକୁ ସମର୍ଥନ କରୁଛି। ଗତ ସପ୍ତାହରେ, ଅଜରବୈଜାନ ସେନା ଏଠାରେ ଏକ ଅପରେଶନ କରିଥିଲା ଯେଉଁଥିରେ ୨୦୦ରୁ ଅଧିକ ଆର୍ମେନିଆ ସାଧାରଣ ନାଗରିକ ନିହତ ହୋଇଥିଲେ। ବର୍ତ୍ତମାନ ଆର୍ମେନୀୟମାନେ ନାଗୋରନ କରାବାଖ ଅଞ୍ଚଳରୁ ସ୍ଥାନାନ୍ତର ଆରମ୍ଭ କରିଛନ୍ତି। ଏହି କାରଣରୁ ଆର୍ମେନିଆ ତୈଳ ଡିପୋ ବିସ୍ଫୋରଣରେ ଲୋକଙ୍କ ମୃତ୍ୟୁକୁ ଜାତିଆଣ ନରସଂହାର ବୋଲି କହିଛି।

Share