Categories: ଜାତୀୟ

ନାଗପୁର ବନ୍ୟାରେ ଉବୁଟୁବୁ, ଶିନ୍ଦେ ପାଳନ କରୁଛନ୍ତି ଗଣେଶ ଉତ୍ସବ: ସଞ୍ଜୟ ରାଉତ…

ମୁମ୍ବାଇ,୨୭।୯ : ମହାରାଷ୍ଟ୍ରର ବର୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ରାଜ୍ୟ ସରକାରଙ୍କୁ କଡା ସମାଲୋଚନାକରିଛନ୍ତି। ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଛି। ସରକାର ଲୋକଙ୍କ ସମସ୍ୟାକୁ ଅଣଦେଖା କରୁଥିବା ସଞ୍ଜୟ ରାଉତ ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଗଣେଶ ଉତ୍ସବ ପାଳନ କାର୍ଯ୍ୟକ୍ରମରେ ଯୋଗଦେବା ନେଇ ସେ ପ୍ରଶ୍ନ ଉଠାଇଛନ୍ତି।

ନାଗପୁରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସହର ବନ୍ୟା ଜଳରେ ଉବୁଟୁବୁ ହେଉଛି। ମହାରାଷ୍ଟ୍ରର କିଛି ଅଞ୍ଚଳରେ ଏବେ ମରୁଡି ପଡ଼ିଛି। ଶିନ୍ଦେ କାହିଁକି ସେହି ଅଞ୍ଚଳକୁ ଯାଉ ନାହାନ୍ତି ? ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରିବର୍ତ୍ତେ ବଲିଉଡ ଏବଂ ଟଲିଉଡ ସେଲିବ୍ରିଟିଙ୍କ ସହ ଗଣେଶ ଉତ୍ସବ ପାଳନରେ ମୁଖ୍ୟମନ୍ତ୍ରୀ ବ୍ୟସ୍ତ ଅଛନ୍ତି।

ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସଞ୍ଜୟ ରାଉତ ସିଏମ ଶିନ୍ଦେଙ୍କ ବିଦେଶ ଗସ୍ତ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଛନ୍ତି, ’ଆପଣ ରାଜ୍ୟରେ କେଉଁ ବିନିଯୋଗ ଆଣିବାକୁ ଯାଉଛନ୍ତି? ପ୍ରଥମେ ମହାରାଷ୍ଟ୍ରରୁ ଗୁଜରାଟକୁ ଯାଇଥିବା ନିବେଶକୁ ଫେରାଇ ଆଣ। ଶିନ୍ଦେଙ୍କ ୟୁରୋପ ଗସ୍ତ ସ୍ଥଗିତ ହେବାର କାରଣ ପଚରାଯିବାରୁ ରାଉତ କହିଛନ୍ତି ଶିବସେନା (ୟୁବିଟି), ଆଦିତ୍ୟ ଠାକରେ ଏବଂ ମହାରାଷ୍ଟ୍ରର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଭୟ କରୁଛନ୍ତି।

ଯେତେବେଳେ ମହାରାଷ୍ଟ୍ର ଅସୁବିଧାର ସମ୍ମୁଖୀନ ହେଉଛି, ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଯାତ୍ରା କରିବାର କୌଣସି କାରଣ ନାହିଁ। ମହାରାଷ୍ଟ୍ରର ଲୋକମାନେ ଦୁଃଖ ଯନ୍ତ୍ରଣା ଭୋଗୁଥିବା ସିଏମ ଗଣେଶ ଉତ୍ସବକୁ ବଡ଼ ବ୍ୟକ୍ତିତ୍ୱମାନଙ୍କ ସହ ପାଳନ କରୁଛନ୍ତି। ଏହା ଅତ୍ୟନ୍ତ ନିନ୍ଦାଜନକ। ଅପେକ୍ଷା କରନ୍ତୁ ରାଜ୍ୟର ଜନତା ଏହାର ଉପଯୁକ୍ତ ଜବାବ ଦେବେ।

Share