ନୈନା ମୃତ୍ୟୁ ମାମଲା: ତଦନ୍ତ କମିଟି ଦ୍ୱାରା ତଦନ୍ତ କରିବାକୁ ହାଇକୋର୍ଟଙ୍କ ଆଦେଶ

କେନ୍ଦୁଝର,୨୯ା୪(ସ୍ବ.ପ୍ର.): କେନ୍ଦୁଝର ସମାଜସେବୀ ରୋଜାଲିନ ସାହୁ (ନୈନା) ମୃତ୍ୟୁ ଘଟଣାକୁ ନେଇ ହାଇକୋର୍ଟ ଏକ ମାମଲାର ବିଚାର କରି ଏକ ତଦନ୍ତ କମିଟି ଦ୍ୱାରା ଯାଞ୍ଚ କରିବାକୁ କେନ୍ଦୁଝର ଏସ୍‌ପିଙ୍କୁ ଆଦେଶ ଦେଇଛନ୍ତି। ଏଥିରେ ସଂପୃକ୍ତ ବ୍ୟକ୍ତିମାନଙ୍କୁ କୌଣସି ଛାଡ଼ ନ କରି ଏହାର ତଦନ୍ତ ପାଇଁ ହାଇକୋର୍ଟ ଆଦେଶ କରିଛନ୍ତି। ଘଟଣାର ଅଭିଯୁକ୍ତମାନେ ଅବାଧରେ ବୁଲୁଥିଲେ ହେଁ ଧରା ଯାଉ ନ ଥିବା ଏବଂ ଏପରିକି ସାଇବର ସେଲ୍‌ ପୋଲିସ ଦ୍ୱାରା ମଧ୍ୟ ଏହାର ଯାଞ୍ଚ କରାଯାଉ ନ ଥିବାରୁ ଏନେଇ ଆବେଦନକାରୀ ତଥା ମୃତକାଙ୍କ ମା’ ରେବତୀ ସାହୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ଘଟଣାକୁ ନେଇ ଘଟଗାଁ ପୋଲିସ ମଧ୍ୟ ଏକ ହତ୍ୟା ମାମଲା ରୁଜୁ କରି ଚୁପ୍‌ ବସିଥିବା ନେଇ ଅଭିଯୋଗ ହୋଇଥିଲା। ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଥିବା ନୈନା ମା’ ରେବତୀ ସାହୁ ଅଭିଯୋଗ କରିବା ପରେ ପୋଲିସ ଦୁର୍ଘଟଣା ଜନିତ ମୃତ୍ୟୁକୁ ହତ୍ୟା ମାମଲାରେ ପରିବର୍ତ୍ତିତ କରିଥିଲେ ହେଁ ଅଭିଯୁକ୍ତମାନଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ନେଇ ହାଇକୋର୍ଟରେ ଅଭିଯୋଗ କରିଥିଲେ। ଏହାର ଶୁଣାଣି କରି ବିଚାରପତି ଡକ୍ଟର ଏସ୍‌ କେ ପାଣିଗ୍ରାହୀ ସିଆରଏଲ ଏମ୍‌ପି ନଂ ୭୨୧ ଅଫ୍‌ ୨୦୨୩ରେ ଅଭିଯୋଗକୁ ଗ୍ରହଣ କରି ଏଭଳି ଆଦେଶ କରିଛନ୍ତି। ହାଇକୋର୍ଟଙ୍କ ଏହି ଆଦେଶ ପରେ ପୋଲିସ କି ପଦକ୍ଷେପ ଗ୍ରହଣ କରୁଛି ତାହାକୁ ପରିବାର ଲୋକ ତଥା ନୈନାଙ୍କ ମାତାପିତା ଅପେକ୍ଷା କରିଛନ୍ତି। ୨୦୨୨ ଡିସେମ୍ବର ୧୧ରେ ଗୁରୁତର ଅବସ୍ଥାରେ ନୈନାଙ୍କୁ କଟକ ନିଆଯାଇଥିଲା। ଉକ୍ତ ମାସ ୨୯ ତାରିଖରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ପୋଲିସ ଜାନୁୟାରୀ ୧ରେ ଅପମୃତ୍ୟୁ ମାମଲା ରୁଜୁ କରିଥିଲା।

Share