Categories: ଜାତୀୟ

ଦିଅରଙ୍କୁ ବିବାହ କରିବାକୁ ମଝି ରାସ୍ତାରେ ମାର୍‌ପିଟ ଲାଗିଲେ ଦୁଇ ଭାଉଜ, ଶେଷରେ ପୋଲିସ…

ପାଟନା,୨୨।୧୦: ବିହାରର ନାଳନ୍ଦାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଦିଅରଙ୍କୁ ବିବାହ କରିବାକୁ ନେଇ ଦୁଇ ଭାଉଜ ଜୋରଦାର ମାରପିଟ ଲାଗିଥିଲେ। ରାସ୍ତା ମଝିରେ ଏଭଳି ଦୃଶ୍ୟକୁ ଦେଖି ଶହ ଶହ ଲୋକ ଜମା ହୋଇଥିଲେ। ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ ହେଁ ପ୍ରଥମେ କେବଳ ଦର୍ଶକ ପାଲଟିଥିଲା। ତେବେ କେହି ଜଣେ ଘଟଣାର ଭିଡିଓ କରି ସୋସିଆଲ ମିଡିଆରେ ଶେୟାର କରିଥିଲେ। ଏହା ଏବେ ବେଶ ଭାଇରାଲ ହେଉଛି।

ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଉଭୟ ମହିଳା ହିଲ୍‌ସାର ମାଲଓ୍ବାନ ଗାଁର ବାସିନ୍ଦା। ସେମାନଙ୍କ ଶ୍ୱଶୁର ମହେନ୍ଦ୍ର ପାସଓ୍ବାନଙ୍କ ତିନି ପୁଅ । ସେମାନଙ୍କ ମଧ୍ୟରୁ ବଡ଼ ପୁଅ ହେଉଛନ୍ତି ସୁବୋଧ କୁମାର ଏବଂ ମଝିଆ ପୁଅ ହେଉଛନ୍ତି ମ୍ୟାନେଜର ପାସଓ୍ବାନ। ସେହିଭଳି ସାନପୁଅଙ୍କ ନାମ ହିରେନ୍ଦ୍ର ପାସଓ୍ବାନ। ବଡ଼ ପୁଅ ଦ୍ୱୟ ବିବାହିତ ଥିବା ବେଳେ ସାନ ପୁଅ ହିରେନ୍ଦ୍ର ପଢ଼ୁଥିବା କାରଣରୁ ବିବାହ କରି ନ ଥିଲେ।

କିଛି ଦିନ ତଳେ ମହେନ୍ଦ୍ରଙ୍କ ମଝିଆ ପୁଅ ମ୍ୟାନେଜରଙ୍କ ମୃତ୍ୟୁ ଘଟିଥିଲା। ଏଣୁ ତାଙ୍କ ପତ୍ନୀ ହେମନ୍ତି ବିଧବା ଭାବେ ଜୀବନଯାପନ ଆରମ୍ଭ କରିଥିଲେ। ପରିସ୍ଥିତିକୁ ଦେଖି ହେମନ୍ତିଙ୍କ ବିବାହ ହିରେନ୍ଦ୍ରଙ୍କ ସହ କରିବା ଲାଗି ପରିବାରଲୋକେ ଚିନ୍ତା କରିଥିଲେ। ଏଥିଲାଗି ଉଭୟ ହିଲ୍‌ସାର ଆଡଭୋକେଟ ଆସୋସିଏଶନ କ୍ୟାମ୍ପସ୍‌ରେ ପହଞ୍ଚିଥିଲେ। ଏହି ସମୟରେ ମହେନ୍ଦ୍ରଙ୍କ ବଡ଼ ବୋହୂ ସେଠାରେ ପହଞ୍ଚି ଦିଅରଙ୍କୁ ବିବାହ କରିବେ ବୋଲି ଜିଦ୍‌ ଧରିଥିଲେ।

ଘଟଣାକୁ ଦେଇ ହିରେନ୍ଦ୍ରଙ୍କ ଦୁଇ ଭାଉଜ ପରସ୍ପର ସହ ଝଗଡ଼ା କରିଥିଲେ। ପରେ ମାରପିଟ ଯାଏ କଥା ଯାଇଥିଲା। ଦୁଇ ମହିଳାଙ୍କୁ ଏଭଳି ଦେଖି ଟ୍ରାଫିକ୍‌ ଜାମ ହେବା ସହ ଶହ ଶହ ଲୋକ ଛିଡ଼ା ହୋଇ ଏହାକୁ ଦେଖିଥିଲେ। ଶେଷରେ ପୋଲିସ ମାମଲାରେ ହସ୍ତକ୍ଷେପ କରି ଉଭୟ ବୋହୂଙ୍କୁ ପୋଲିସ ଷ୍ଟେଶନକୁ ନେଇଥିଲା। ସେଠାରେ ସମସ୍ତଙ୍କ ସହମତିରେ ହିରେନ୍ଦ୍ରଙ୍କ ବିବାହ ହେମନ୍ତିଙ୍କ ସହ କରାଯାଇଥିଲା।

Share