Categories: ବାଣିଜ୍ୟ

ନାଲ୍‌କୋ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ

ଭୁବନେଶ୍ୱର,୨।୧୧: କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧୀନ ନବରତ୍ନ ଉଦ୍ୟୋଗ, ନାଲ୍‌କୋ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଆରମ୍ଭ ହୋଇଛି। ଏହି ଅବସରରେ କମ୍ପାନୀର ସମସ୍ତ ଅପରେଟିଂ ୟୁନିଟ୍‌, ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ମୁଖ୍ୟାଳୟରେ କର୍ମଚାରୀମାନେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ସହ ଦୁର୍ନୀତି ନିବାରଣ ତଥା ଅଖଣ୍ଡତାକୁ ପ୍ରୋତ୍ସାହିତ କରିବା ନିମନ୍ତେ ଶପଥ ପାଠ କରିଥିଲେ। କେନ୍ଦ୍ରୀୟ ଭିଜିଲାନ୍ସ କମିଶନଙ୍କ ପକ୍ଷରୁ ଚଳିତ ବର୍ଷର ବିଷୟବସ୍ତୁ ଦୁର୍ନୀତିକୁ ନା କୁହ, ଦେଶ ପ୍ରତି ପ୍ରତିବଦ୍ଧ ରୁହ ଆଧାରରେ ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ୩୦ ଅକ୍ଟୋବର ଠାରୁ ୫ ନଭେମ୍ବର ୨୦୨୩ ଯାଏ ପାଳନ ହେବ। ନାଲ୍‌କୋ କର୍ପୋରେଟ କାର୍ଯ୍ୟାଳୟରେ ସୋମବାରଠାରୁ ଏହି କାର୍ଯ୍ୟକ୍ରମ ଶପଥପାଠ ଦ୍ୱାରା ଆରମ୍ଭ ହୋଇଛି। ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ନାଲ୍‌କୋର ସିଏମ୍‌ଡି ଶ୍ରୀଧର ପାତ୍ର, ଦୁର୍ନୀତି ଦୂରକରିବା ତଥା ବୃତ୍ତିଗତ ତଥା ସାମାଜିକ ଜୀବନରେ ଦୁର୍ନୀତିକୁ ବିରୋଧ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଦୁର୍ନୀତି ଦେଶର ବିକାଶରେ ବାଧା ସୃଷ୍ଟି କରିଥାଏ ଏବଂ ଏହା ଅର୍ଥନୈତିକ ଓ ସାମାଜିକ ପ୍ରଗତିରେ ମଧ୍ୟ ପ୍ରମୁଖ ପ୍ରତିବନ୍ଧକ ବୋଲି ସେ କହିଛନ୍ତି। ଏହି ଉତ୍ସବରେ ପୂର୍ବତନ ଆଇପିଏସ୍‌ ଅଧିକାରୀ ଡ. କାହ୍ନୁ ଚରଣ ମାହାଲି ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ନାଲ୍‌କୋର ମୁଖ୍ୟ ଭିଜିଲାନ୍ସ ଅଧିକାରୀ ସୋମନାଥ ହାଁସଦା ତଥା ସମସ୍ତ ନିର୍ଦ୍ଦେଶକ ଉପସ୍ଥିତ ଥିଲେ।

Share