Categories: ଅନୁଗୋଳ

ପୂର୍ଣ୍ଣ କ୍ଷମତାରେ ଚାଲିବ ନାଲ୍‌କୋ

ବଅଁରପାଳ,୨୧।୪(ଡି.ଏନ.ଏ.): ଚୁକ୍ତି ମୁତାବକ କୋଇଲା ଏମ୍‌ସିଏଲ୍‌ ଯୋଗାଣ କରୁ ନ ଥିବାରୁ ଅନୁଗୋଳ ଜିଲା ନାଲ୍‌କୋରେ କୋଇଲା ସଙ୍କଟ ଗୁରୁତର ହୋଇପଡ଼ିଛି। ଏପରି କି ସିପିପିରେ ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ ହେଉଛି। ଏହାକୁ ନେଇ ନାଲ୍‌କୋ କର୍ତ୍ତୃପକ୍ଷ ଓ ଶ୍ରମିକ ସଙ୍ଗଠନଗୁଡ଼ିକ ଚିନ୍ତା ବ୍ୟକ୍ତ କରିବା ପରେ ସମସ୍ୟାର ସମାଧାନ ଦିଗରେ ଉଦ୍ୟମ ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ନିର୍ଦ୍ଧାରିତ ପରିମାଣର ବିଦ୍ୟୁତ୍‌ ଉତ୍ପାଦନ ସହ ପୂର୍ଣ୍ଣ କ୍ଷମତାରେ ପ୍ଲାଣ୍ଟ ଚାଲିବ ବୋଲି ବୁଧବାର ନାଲ୍‌କୋ ଗସ୍ତରେ ଆସିଥିବା ଉତ୍ପାଦନ ନିର୍ଦ୍ଦେଶକ ବିଜୟ କୁମାର ଦାସ ପ୍ରକାଶ କରିଛନ୍ତି।
ନାଲ୍‌କୋରେ କୋଇଲା ସଙ୍କଟର ସମାଧାନ ନିମନ୍ତେ ଅନୁଗୋଳସ୍ଥିତ ପ୍ଲାଣ୍ଟରେ ପହଞ୍ଚିଥିବା ଉତ୍ପାଦନ ନିର୍ଦ୍ଦେଶକ ଦାସ ପଟ୍‌ଲାଇନ, କାଷ୍ଟହାଉସ, ଆର୍‌ପିୟୁ ଆଦି ବିଭାଗ ପରିଦର୍ଶନ କରିବା ସହ କମ୍ପାନୀର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସାରେ ଅତିଥି ନିବାସରେ ବିଭିନ୍ନ ଶ୍ରମିକ ସଙ୍ଗଠନ କର୍ମକର୍ତ୍ତାମାନଙ୍କୁ ଭେଟି ସମସ୍ୟା ପଚାରି ବୁଝିଥିଲେ। ନାଲ୍‌କୋକୁ କିଭଳି ଅଧିକ କୋଇଲା ତାଳଚେରରୁ ଆସିବ ଓ ପ୍ଲାଣ୍ଟ ପୂର୍ଣ୍ଣ କ୍ଷମତାରେ ଚାଲିବ ସେଥିପ୍ରତି ତୁରନ୍ତ ଧ୍ୟାନ ଦେବେ ବୋଲି ଉତ୍ପାଦନ ନିର୍ଦ୍ଦେଶକ ପ୍ରକାଶ କରିଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନାଲ୍‌କୋ ଶ୍ରମିକ କଂଗ୍ରେସ ସାଧାରଣ ସମ୍ପାଦକ ପରେଶ ଚନ୍ଦ୍ର ଜେନା, କାର୍ଯ୍ୟକାରୀ ସଭାପତି ବିଭବ ଜେନା, ସୁଜିତ ସେଠ, ଏନ୍‌ଭିଏମ୍‌ଏସ୍‌ ସାଧାରଣ ସମ୍ପାଦକ ମନୋଜ ଅମାନ୍ତ, ପ୍ରଶ୍ନ ସାହୁ, ପ୍ରକାଶ ସିଂ, ନେପୁ ସାଧାରଣ ସମ୍ପାଦକ ବୈରାଗୀ ସେଠ, ମାଙ୍ଗିଲାଲ ସାମଲ, ଏନ୍‌ଏନ୍‌ଇୟୁ ସାଧାରଣ ସମ୍ପାଦକ ରତ୍ନାକର ପରିଡା, ଏଏମ୍‌ଏସ୍‌ ସଭାପତି ମୁନା ସାମଲ, ସଚ୍ଚି ଗଡନାୟକ, ବିନୋଦ ସାମଲ, ନେସ୍‌ ସାଧାରଣ ସମ୍ପାଦକ ନିର୍ମଳ ସାମଲ, ମନୋଜ ସ୍ବାଇଁ, ବିଜନ ଦଳବେହେରା ପ୍ରମୁଖ ଯୋଗଦେଇ କୋଇଲା ସଙ୍କଟର ତୁରନ୍ତ ସମାଧାନ ଦାବି କରିଥିଲେ।