Categories: ବାଣିଜ୍ୟ

ଉତ୍ପାଦନ କ୍ଷେତ୍ରରେ ନାଲ୍‌କୋର ସର୍ବକାଳୀନ ରେକର୍ଡ

ଭୁବନେଶ୍ୱର,୨୮।୫ (ଅଭୟ ଦାଶ): ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ନବରତ୍ନ ଉଦ୍ୟୋଗ/କମ୍ପାନୀ) ତଥା କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧୀନ ନ୍ୟାଶନାଲ ଆଲୁମିନିୟମ୍‌ କମ୍ପାନୀ ଲିମିଟେଡ ବା ନାଲ୍‌କୋର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ ଆଗାମୀ କାର୍ଯ୍ୟକଳାପ ଆଦି ଉପରେ ବିସ୍ତୃତ ଆଲୋଚନା ହୋଇଥିଲାବେଳେ ୨୦୨୩-୨୪ ଆର୍ଥିକ ବର୍ଷର ବାର୍ଷିକ ଓ ୪ର୍ଥ ତ୍ରୈମାସିକ ଫଳାଫଳ ମଧ୍ୟ ଘୋଷଣା କରାଯାଇଥିଲା। ଏପରିକି ସଫଳତାର ଧାରା ବଜାୟ ରଖିବା ସହ ୨୦୨୩-୨୪ ଆର୍ଥିକ ବର୍ଷରେ କମ୍ପାନୀ ଉତ୍ପାଦନ ଏବଂ ବିକ୍ରୟ କ୍ଷେତ୍ରରେ ସର୍ବକାଳୀନ ରେକର୍ଡ ହାସଲ କରିଛି।
ଉଲ୍ଲେଖଯୋଗ୍ୟ, ୨୦୨୩-୨୪ ଆର୍ଥିକ ବର୍ଷରେ ନାଲକୋ ମୋଟ ୧୩,୧୪୯ କୋଟି ଟଙ୍କାର ବ୍ୟବସାୟ ସହ ୨,୦୬୦କୋଟି ଟଙ୍କାର ନିଟ୍‌ ଲାଭ ହାସଲ କରିଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକ ମଧ୍ୟରେ କମ୍ପାନୀର ନିଟ୍‌ ଲାଭ ୯୫% ବୃଦ୍ଧି ସହ ୧୦୧୬ କୋଟି ଟଙ୍କା ହୋଇଥିବାବେଳେ ୨୦୨୨-୨୩ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସରେ ନିଟ୍‌ ଲାଭ ୫୨୨ କୋଟି ଟଙ୍କା ଥିଲା।
ସେହିଭଳି ବଜାର ଅସ୍ଥିରତା ଏବଂ ମେଟାଲ ଦର ନିମ୍ନସ୍ତରରେ ଥିବା ସତ୍ତ୍ୱେ କମ୍ପାନୀ ବ୍ୟବସାୟର ବିଭିନ୍ନ ଦିଗରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷରେ କମ୍ପାନୀର ସମସ୍ତ ୟୁନିଟରେ ଉନ୍ନତ ପ୍ରଦର୍ଶନ ସହ ଉତ୍ପାଦନ କ୍ଷେତ୍ରରେ ସର୍ବକାଳୀନ ସର୍ବାଧିକ ୭୬,୦୦,୨୩୦ମେଟ୍ରିକ ଟନ୍‌ ବକ୍ସାଇଟ୍‌ ଉତ୍ତୋଳନ, ୪,୬୩,୪୨୮ମେଟ୍ରିକ ଟନ୍‌ କାଷ୍ଟ ମେଟାଲ ଉତ୍ପାଦନ, ୪,୭୦,୧୦୮ମେଟ୍ରିକ ଟନ୍‌ ଧାତୁ ବିକ୍ରୟ ଏବଂ କୋଇଲା ଖଣି କାର୍ଯ୍ୟକ୍ଷମ ହେବାର ପ୍ରଥମ ବର୍ଷରେ ୨ ମିଲିୟନ ଟନ୍‌ କୋଇଲା ଉତ୍ପାଦନ କରିଛି।
ଏ ସମ୍ପର୍କରେ ନାଲ୍‌କୋର ସିଏମ୍‌ଡି ଶ୍ରୀଧର ପାତ୍ର କହିଛନ୍ତି, ୨୦୨୩-୨୪ ଆର୍ଥିକ ବର୍ଷରେ କମ୍ପାନୀ ଉତ୍ପାଦନ କ୍ଷେତ୍ରରେ ସର୍ବକାଳୀନ ସର୍ବାଧିକ ରେକର୍ଡ କରିଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି, ଯାହାକି ବ୍ୟବସାୟିକ ପ୍ରଦର୍ଶନ, ତଥା ଅଭିବୃଦ୍ଧିରେ ପ୍ରତିଫଳିତ ହୋଇଛି। ସେହିଭଳି କମ୍ପାନୀର କର୍ମଚାରୀ ଏବଂ ବିଭିନ୍ନ ହିତାଧିକାରୀଙ୍କ ପ୍ରତିବଦ୍ଧତା ଏବଂ ସହଯୋଗରେ ଏହି ସଫଳତା ହାସଲ ହୋଇପାରିଛି। ଏପରିକି ଭବିଷ୍ୟତରେ ଆଲୁମିନିୟମ ଦରର ସ୍ଥିରତା ଏବଂ ଚାହିଦା ବୃଦ୍ଧି ସହିତ ନାଲକୋ ତା’ର ଅଭିବୃଦ୍ଧିର କାହାଣୀ ଜାରି ରଖିବାକୁ ସଦାସର୍ବଦା ପ୍ରସ୍ତୁତ ରହିଛି।

Share