Categories: ବାଣିଜ୍ୟ

ନାଲ୍‌କୋର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୩।୪: ପ୍ରତି ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ ବା ନାଲ୍‌କୋ ନୂତନ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷରେ କମ୍ପାନୀ ଉଭୟ ଉତ୍ପାଦନ ଓ ବିକ୍ରୟ କ୍ଷେତ୍ରରେ ନୂଆ ରେକର୍ଡ ସୃଷ୍ଟି କରିଛି। ବିଶେଷ କରି କମ୍ପାନୀ ଚଳିତ ଆର୍ଥିକ ବର୍ଷ ମଧ୍ୟରେ ସର୍ବକାଳୀନ ସର୍ବାଧିକ ୪,୬୩,୪୨୮ ମେଟ୍ରିକ ଟନ୍‌ କାଷ୍ଟଧାତୁ ଉତ୍ପାଦନ କରିଥିବା ବେଳେ ବିଗତ ସମସ୍ତ ରେକର୍ଡକୁ ଅତିକ୍ରମ କରି ସର୍ବକାଳୀନ ସର୍ବାଧିକ ୭୬,୦୦,୨୩୦ ମେଟ୍ରିକ ଟନ୍‌ ବକ୍ସାଇଟ ଉତ୍ତୋଳନ ସହ ୪,୭୦,୧୦୮ମେଟ୍ରିକ ଟନ୍‌ ଧାତୁ ବିକ୍ରୟ କରିଛି। ସେହିଭଳି ୨୦୨୩-୨୪ ଆର୍ଥିକ ବର୍ଷରେ କମ୍ପାନୀର ନୂତନ ଉତ୍ପାଦ ‘ଆଲୁମିନିୟମ୍‌ ଆଲୟ ଇଙ୍ଗଟ’(ଏଏଲ- ୫୯)ର ବଜାର ପ୍ରବେଶ ସହ କମ୍ପାନୀର ଉତ୍ପାଦ ଶ୍ରେଣୀରେ ଏହା ଯୋଡ଼ି ହୋଇଛି। ସେହିପରି କମ୍ପାନୀର ବାର୍ଷିକ ଧାର୍ଯ୍ୟ ଲକ୍ଷ୍ୟଠାରୁ ଊର୍ଦ୍ଧ୍ୱ (୧୦୧.୧୫%) କ୍ଷମତା ଉପଯୋଗ ସହ ନାଲ୍‌କୋର ଆଲୁମିନା ରିଫାଇନେରି ୨୧,୨୪,୦୦୦ ମେଟ୍ରିକ ଟନ୍‌ ଆଲୁମିନା ହାଇଡ୍ରେଟ୍‌ ଉତ୍ପାଦନ କରିଥିବାବେଳେ କ୍ୟାପ୍ଟିଭ୍‌ ପାୱାର ପ୍ଲାଣ୍ଟ ୭୧୯୩.୬୨ ମିଲିୟନ ୟୁନିଟ୍‌ ବିଦ୍ୟୁତ ଉତ୍ପାଦନ କରିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଉତ୍କଳ ଡି କୋଇଲା ଖଣି କାର୍ଯ୍ୟକ୍ଷମ ହେବା ସହ ୨ମିଲିଅନ ଟନ୍‌ କୋଇଲା ଉତ୍ତୋଳନ କରାଯାଇଛି, ଯାହାକି ଉପରୋକ୍ତ ଖଣିର ସର୍ବାଧିକ ମୂଲ୍ୟାୟନ କ୍ଷମତା ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।
ଏ ସମ୍ପର୍କରେ ନାଲ୍‌କୋର ସିଏମ୍‌ଡି ଶ୍ରୀଧର ପାତ୍ର କହିଛନ୍ତି, ବିଗତ ଆର୍ଥିକ ବର୍ଷ ମାନଙ୍କରେ ହୋଇଥିବା ପ୍ରଦର୍ଶନ ଅପେକ୍ଷା କମ୍ପାନୀ ସର୍ବଦା ଭଲ କରିବାକୁ ଚେଷ୍ଟା କରିଛି। ଏପରିକି ଚଳିତ ଆର୍ଥିକ ବର୍ଷର ଉଲ୍ଲେଖନୀୟ ସଫଳତା ନିମନ୍ତେ ପାତ୍ର ନାଲ୍‌କୋ ସମୁଦାୟ ଏବଂ ଅଂଶୀଦାରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିଶେଷ କରି କର୍ମଚାରୀଙ୍କ ଉତ୍ସର୍ଗୀକୃତ ଓ କଠିନ ପରିଶ୍ରମ ତଥା ହିତାଧିକାରୀଙ୍କ ସହଯୋଗକୁ ପ୍ରଶଂସା କରିବା ସହ ପାତ୍ର କହିଛନ୍ତି, ବିଗତ ୪ବର୍ଷ ମଧ୍ୟରେ କମ୍ପାନୀ ପକ୍ଷରୁ ବିଭିନ୍ନ ପଦକ୍ଷେପ ସହ ବ୍ୟାକୱାର୍ଡ଼ ଇଣ୍ଟିଗ୍ରେଶନ, ସୁନିଶ୍ଚିତ ଶକ୍ତି ଏବଂ କଞ୍ଚାମାଲ ଉପଲବ୍ଧତା ଭଳି ଅନେକ ପ୍ରମୁଖ ମାଇଲ ଖୁଣ୍ଟ ହାସଲ କରାଯାଇଛି।

Share