ପ୍ରାର୍ଥତ୍ପତ୍ର ଦାଖଲ ନ କରି ଫେରିଗଲେ ନଳିନୀକାନ୍ତ

ଆଠମଲ୍ଲିକ, ୩ା୫(ଉଦୀପ୍ତ ପୁରୋହିତ)/ ଅନୁଗୋଳ (ଅମିତ କୁମାର ସାମଲ):ଅନୁଗୋଳ ଜିଲା ଆଠମଲ୍ଲିକ ବିଜେଡି ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଗୁରୁବାର ପ୍ରାର୍ଥିପତ୍ର ଦାଖଲ ପାଇଁ ବିରାଟ ଶୋଭାଯାତ୍ରାରେ ଆସିଥିଲେ ହେଁ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଫେରିଯାଇଛନ୍ତି। କେଉଁ କାରଣରୁ ନଳିନୀ ପ୍ରାର୍ଥିପତ୍ର ଦାଖଲ ନ କରି ଫେରିଲେ ତାହାକୁ ନେଇ ଜିଲାରେ ନାନା ଆଲୋଚନା ଚାଳିଛି।
ସୂଚନା ଅନୁଯାୟୀ, ପୂର୍ବାହ୍ନ ୯ଟା ବେଳେ ବିଧାୟକ ପ୍ରାର୍ଥୀ ପ୍ରଧାନ ସ୍ଥାନୀୟ ମା’ ମାହେଶ୍ୱରୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ପରେ ଏକ ସୁସଜ୍ଜିତ ଗାଡ଼ିରେ ବିରାଟ ପଟୁଆରରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲେ। ତାଙ୍କ ସହିତ ବରିଷ୍ଠ ନେତା ଭାଗୀରଥି ପ୍ରଧାନ, କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ ଚିନ୍ମୟ ସାହୁ, ଜିଲା ପରିଷଦ ସଭାପତି ବବିତା ପ୍ରଧାନ, ଏନ୍‌ଏସି ଅଧ୍ୟକ୍ଷା ଆଶା କୁମାରୀ ସାହୁ ପ୍ରମୁଖ ଶୋଭଯାତ୍ରରେ ଆସିଥିଲେ। ସହର ପରିକ୍ରମା ସାରି ନଳିନୀ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବାହ୍ନ ୧୧ଟାରେ ପହଞ୍ଚିଥିଲେ। ନଳିନୀଙ୍କ ପ୍ରାର୍ଥତ୍ପତ୍ର ଦାଖଲ ସମ୍ପର୍କରେ ପୂର୍ବ ଦିନରୁ ଘୋଷଣା ହୋଇଥିବାରୁ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଭିଡ଼ ଲାଗିଥିଲା। ହେଲେ ଶୋଭାଯାତ୍ରାରେ ଆସିଥିବା ନଳିନୀ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ନ ପଶି ଫେରିଯାଇଥିଲେ। ଏପରି କି କିଛି ସମୟ ପରେ ପ୍ରାର୍ଥତ୍ପତ୍ର ଦାଖଲ କରିବାକୁ ସେ ଆସିପାରନ୍ତି ବୋଲି ଆଲୋଚନା ହେଉଥିବାରୁ ଗଣମାଧ୍ୟମ ପ୍ରତିନିଧିମାନେ ଧାର୍ଯ୍ୟ ସମୟ ତଥା ଅପରାହ୍ନ ୩ଟା ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲେ ମଧ୍ୟ ନଳିନୀ ଆସି ନ ଥିଲେ। ଏ ସମ୍ପର୍କରେ ଉପଜିଲାପାଳ ତଥା ରିଟର୍ନିଂ ଅଧିକାରୀ ଡ. ଜିତେନ୍ଦ୍ର କୁମାର ପାତ୍ର କହିଛନ୍ତି, ଧାର୍ଯ୍ୟ ସମୟ ଭିତରେ କେହି ପ୍ରାର୍ଥତ୍ପତ୍ର ଦାଖଲ କରିନାହାନ୍ତି। ବିଧାୟକ ପ୍ରାର୍ଥୀ ନଳିନୀ କହିଛନ୍ତି, ଗୁରୁବାର ନାମାଙ୍କନ କରିବାର କୌଣସି ଯୋଜନା ନ ଥିଲା। କେବଳ କର୍ମୀମାନେ ସେମାନଙ୍କ ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ଲୋକଙ୍କୁ ଦେଖାଇବାକୁ ଏକ ରୋଡ୍‌ ଶୋ କରିଥିଲେ। ବିଜେଡି ଏଠାରେ ଶକ୍ତି ପ୍ରଦର୍ଶନ କରିଛି। ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ କରାଯିବ।

Share