କେନ୍ଦ୍ରାପଡ଼ା ଅଫିସ,୧ା୭: ତନ୍ତୁଜାତୀୟ ଫସଲ ପାଇଁ କେନ୍ଦ୍ରାପଡ଼ା ଜିଲାର ସୁନାମ ରହିଛି। ୨୦୦୫ ମସିହାରେ ଜିଲାର ୨୧୫୨ ହେକ୍ଟର ଅଞ୍ଚଳରେ ନଳିତା ଓ ମେସ୍ତା ଚାଷ ହେଉଥିଲା। ଉପଯୁକ୍ତ ଭିତ୍ତିଭୂମି ଥିବାରୁ ଏହାର ପ୍ରଚାର ପ୍ରସାର ହୋଇ ୨୦୧୫ ମସିହାରେ ପ୍ରାୟ ୮ ହଜାର ହେକ୍ଟର ଅଞ୍ଚଳରେ ଚାଷ ହୋଇଥିଲା। ଏହାକୁ ଲକ୍ଷ୍ୟକରି ସହର ନିକଟ ଜଜାଙ୍ଗଠାରେ ୪୬ ଏକର ଜମି ଉପରେ ଝୋଟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ମାତ୍ର ତନ୍ତୁ ଜାତୀୟ ଫସଲ ପାଇଁ ଚଳିତବର୍ଷ କେନ୍ଦ୍ରାପଡ଼ା ଚାଷୀଙ୍କୁ ସରକାରୀ ଭାବେ ନଳିତା, ମେସ୍ତା ଓ ଧନିଚା ଆଦି ବିହନ ଅଦ୍ୟାବଧି ଯୋଗାଇ ଦିଆଯାଇନାହିଁ। ଚାଷୀ ବଜାର ମୂଲ୍ୟରେ ବିହନ କିଣି ବ୍ୟବହାର କରୁଥିଲେ ମଧ୍ୟ ତାହା ନିମ୍ନମାନର ବୋଲି ଅଭିଯୋଗ ହେଉଛି।
ଏ ସମ୍ପର୍କରେ ଜିଲା କୃଷି ଅଧିକାରୀ ଶିବପ୍ରସାଦ ମଲ୍ଲିକ କୁହନ୍ତି, ୨୦୧୫ରେ ଓଡ଼ିଶା ସିଡ୍ ସପ୍ଲାଏ କର୍ପୋରେଶନ (ଓଏସ୍ଏସ୍ସି) ପକ୍ଷରୁ ନଳିତା, ମେସ୍ତା, ଧନିଚା ବିହନ ଯୋଗାଇ ଦିଆଯାଇଥିଲା। ଏହି ବିହନକୁ ଜିଲାର ପ୍ରାୟ ୭ ହଜାର ଚାଷୀ କ୍ରୟକରି ଖେତରେ ଚାଷ କରିଥିଲେ। ନଳିତା ଓ ମେସ୍ତା ବିହନ ସଂଗ୍ରହକୁ କର୍ପୋରେଶନ ଏବେ ବନ୍ଦ କରିଦେଇଛି। ଫଳରେ ଚାଷୀଙ୍କୁ ଏ ପ୍ରକାର ବିହନ ଯୋଗାଇବା ସମ୍ଭବ ହେଉନାହିଁ। ସେହିପରି ଚଳିତବର୍ଷ ୧୧୫ କୁଇଣ୍ଟାଲ ଧନିଚା ବିହନ ପାଇଁ ଚିଠା ଯାଇଥିଲେ ମଧ୍ୟ ଜିଲାର ଗୋଦାମକୁ ଅଦ୍ୟାବଧି ପହଞ୍ଚତ୍ ନ ଥିବା ସେ ସୂଚନା ଦେଇଛନ୍ତି। କେନ୍ଦ୍ରାପଡ଼ା ବ୍ଲକ କଂସାର ପଞ୍ଚାୟତର ନିରଞ୍ଜନ ପରିଡା କହିଛନ୍ତି, କେନ୍ଦ୍ରାପଡ଼ାର ମାଟି ନଳିତା ଓ ମେସ୍ତା ଚାଷ ପାଇଁ ଉପଯୁକ୍ତ। ଏହି ଚାଷ କରି ଝୋଟ ବିକିବା ସହ ବିଭିନ୍ନ ସମୟରେ ମିଠା ନଳିତା ପତ୍ର ଓ କାଉଁରିଆ କାଠି ବିକ୍ରି କରି ବେଶ୍ କିଛି ପଇସା ହାତକୁ ଆସୁଥିଲା। ମାତ୍ର କୃଷି ବିଭାଗର ଅପାରଗତା ହେତୁ ଏହି ଚାଷ ବନ୍ଦ ହେବାକୁ ବସିଛି। କୃଷକ ନେତା ଗୟାଧର ଧଳ କହିଛନ୍ତି, ଧାନ ଫସଲରେ ଧନିଚାର ମହତ୍ତ୍ୱ ଅଧିକ। ଏକ ସମୟରେ ଧନିଚା ଓ ଧାନ ବୁଣିଥିଲେ ମଧ୍ୟ ଖୁବ୍ ଅଳ୍ପଦିନ ମଧ୍ୟରେ ଝଙ୍କାଳିଆ ହୋଇ ଧନିଚା ଗଛ ବଢ଼ିଥାଏ। ଚାଷୀ ଖେତରେ ପ୍ରଥମ ଗାର ହଳ କରିବା ସମୟରେ ଧନିଚା ଗଛ ମାଟିରେ ମିଶି ଜୈବିକ ଖତରେ ପରିଣତ ହୁଏ। ଫଳରେ ଧାନ ଫସଲ ପାଇଁ ରାସାୟନିକ ସାରର ଆବଶ୍ୟକତା ପଡ଼େନାହିଁ। ସେହିପରି ଧନିଚା ଗଛ ପିତା ହେତୁ ଧାନଗଛରେ ରୋଗପୋକ ନଷ୍ଟ ହୋଇଥାନ୍ତି। ତେବେ କୃଷି ବିଭାଗ ଅକ୍ଷୟ ତୃତୀୟାଠାରୁ ଧାନ ସହ ଧନିଚା ବିହନ ଚାଷୀଙ୍କୁ ଯୋଗାଇ ଦେବାକୁ ଥିବାବେଳେ ଏ ପର୍ଯ୍ୟନ୍ତ ବିହନ ଜିଲାକୁ ନ ଆସିବା ଦୁର୍ଭାଗ୍ୟଜନକ ବୋଲି ସେ ମତ ଦେଇଛନ୍ତି। ଡେରାବିଶ ବ୍ଲକ ଚାଟରାଚକଡ଼ାର ଚାଷୀ ମହେଶ୍ୱର ସେଠୀ କହିଛନ୍ତି, ୨୦୧୫ରେ ସରକାରୀ ଭାବେ ନଳିତା ମଞ୍ଜି କିଲୋ ପ୍ରତି ୪୦ ଟଙ୍କାରେ କିଣାଯାଇଥିଲା। ଏବେ ବଜାରରେ ଏହି ମଞ୍ଜିକୁ ୯୦ ଟଙ୍କା ଦେଇ କିଣିବାକୁ ପଡୁଛି। ପାରିପଙ୍ଗରାର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା ରମାମଣି ସାମଲ କୁହନ୍ତି, କେନ୍ଦ୍ର ସରକାରଙ୍କ ପକ୍ଷରୁ ଶୁକ୍ରବାରଠାରୁ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବନ୍ଦ ପାଇଁ ଘୋଷଣା ହୋଇଛି। ଏହି ଘୋଷଣା ଆମ ପରି ଝୋଟ କୁଟିରଶିଳ୍ପୀଙ୍କ ପାଇଁ ବରଦାନ ସଦୃଶ। ତେବେ ଜିଲାରେ ଏବେ ଝୋଟ ଉତ୍ପାଦନ କମିଛି। ଏ ପରିସ୍ଥିତିରେ ଝୋଟ ଉତ୍ପାଦନ ପାଇଁ ନଳିତା ବିହନ ନ ମିଳିବା ଦୁଃଖଦ ଘଟଣା। ଝୋଟ ସୁଲଭ ମୂଲ୍ୟରେ ମିଳିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଚାଷର ଆବଶ୍ୟକତା ଅଛି। ଏଠାରୁ ଝୋଟ ନ ମିଳିଲେ ବାହାରୁ ଝୋଟ କିଣିବାକୁ ପଡ଼ିବ। ଫଳରେ ଉପତ୍ାଦିତ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେବା ସହ ବିକ୍ରିରେ ଅସୁବିଧା ସୃଷ୍ଟି ହେବ। ନଳିତା ଚାଷ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଧ୍ୟାନ ଦିଅନ୍ତୁ ବୋଲି ସେ ମତ ଦେଇଛନ୍ତି।