Categories: ଜାତୀୟ

ନମାମି ଗଙ୍ଗେ ପ୍ରକଳ୍ପ: ପ୍ରତିଦିନ ୧୫୧ ନିୟୁତ ଲିଟରରୁ ଅଧିକ ଜଳ ହେବ ଶୋଧନ, ଟଙ୍କାଏରେ ପାଣି ସଂଯୋଗ ସୁବିଧା

ହରିଦ୍ୱାର, ୨୯।୯: ନମାମି ଗଙ୍ଗେ ମିଶନ ପ୍ରକଳ୍ପ ଅର୍ନ୍ତଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଉତ୍ତରଖଣ୍ଡରେ ୬ ମେଗା ପରିଯୋଜନାର ଲୋକାର୍ପଣ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କରିଛନ୍ତି। ଏହା ଦ୍ୱାରା ପ୍ରତିଦିନ ୧୫୧.୫ ନିୟୁତ ଲିଟର ଜଳ ଶୋଧନ କରାଯାଇପାରିବ। ସେଥିମଧ୍ୟରେ ହରିଦ୍ୱାରର ଜଗଜିତ୍‌ପୁରରେ ୬୮ ନିୟୁତ ଲିଟର ଜଳ ଶୋଧନ କରାଯିବାର ପ୍ରକଳ୍ପ ରହିଛି। ସେହିପରି ଋଷିିକେଶର ଲକ୍କଡ଼ଘାଟରେ ୨୬ ନିୟୁତ ଲିଟର ଜଳ ଶୋଧନ କରାଯିବ। ଚନ୍ଦ୍ରଶ୍ୱରନଗରରେ ୭.୫ ନିୟୁତ, ଚୋରପାନିରେ ୫ ନିୟୁତ ଲିଟର ଜଳ ଶୋଧନ ପ୍ରକଳ୍ପ ମଧ୍ୟ ଏଥିରେ ରହିଛି। ଏହା ସହିତ ଜଗଜିତ୍‌ପୁରରେ ୨୭ ନିୟୁତ ଲିଟର ଜଳ ଶୋଧନ ପ୍ରକଳ୍ପର ନବୀକରଣ କରାଯାଇଛି। ସେହିପରି ସରାୟରେ ମଧ୍ୟ ୧୮ ନିୟୁତ ଲିଟର ଜଳ ଶୋଧନ ପ୍ରକଳ୍ପର ନବୀକରଣ ହୋଇଛି। ଏହା ସହିତ ମୋଦି ଜଳ ଜୀବନ ମିଶନର ଲୋଗୋ ଲୋକାର୍ପଣ କରିଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ପ୍ରତିଘରେ ଶୁଦ୍ଧ ପିଇବା ପାଣି ପହଞ୍ଚିବ। ପୂର୍ବରୁ ଗଙ୍ଗା ସଫେଇ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ ହୋଇଥିଲେ ବି କୌଣସି ସୁଫଳ ମିଳି ନ ଥିଲା। ତେବେ ଏବେ ସାଧାରଣ ଲୋକଙ୍କ ଅସୁବିଧା ଦୂର ହୋଇପାରିବ ବୋଲି ମୋଦି କହିଛନ୍ତି। ପ୍ରତିଘରକୁ ଟଙ୍କାଏରେ ପିଇବା ପାଣି ସଂଯୋଗ ସୁବିଧା ଯୋଗାଇ ଦିଆଯିବ। ଏବେ ଦିଲ୍ଲୀରେ ନୁହେଁ ଦେଶର ପ୍ରତି ଗାଁରେ ବିକାଶ କାର୍ଯ୍ୟ ଜାରି ରହିଥିବା ମୋଦି କହିଛନ୍ତି। ପୂର୍ବରୁ ୧୩୦ ନର୍ଦ୍ଦମା ପାଣି ଗଙ୍ଗାରେ ମିଶୁଥିଲା। ଏବେ ଏସବୁକୁ ବନ୍ଦ କରି ଦିଆଯାଇଛି। ନମାମି ଗଙ୍ଗେ ମିଶନ ପାଇଁ ୩୦ ହଜାର କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରିବା ଳାଗି କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି। ଏହା ସହିତ ଇଣ୍ଡିଆ ଗେଟ୍‌ ସମ୍ମୁଖରେ ହୋଇଥିବା ଟ୍ରାକ୍ଟର ପୋଡ଼ି ଘଟଣା ନେଇ ମୋଦି ବିରୋଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ଚାଷୀ ପୂଜା କରୁଥିବା ଚାଷ ସରଞ୍ଜାମରେ ବିରୋଧୀ ଦଳ ନିଆଁ ଲଗାଇ ଦେଇଥିବା ସେ କହିଛନ୍ତି।

Share