Categories: ଫୁରସତ

ଏକ ମିଠା ଅନୁଭବର ନାଁ…ଗ୍ରୀଟିଂସ୍‌ କାର୍ଡ

କେବେ ସେ ମିଳେ ବହି ଭିତରେ। ଆଉ କେବେ ଡାକବାଲା ଘରକୁ ଆସି ଦେଇଯାଏ। ହାତରେ ଧରିବା ମାତ୍ରେ ମନ ଖୁସିରେ କୁରୁଳି ଉଠେ। ନାଁ ଓ ଠିକଣା ଦେଖିଦେଲେ ସେଇ ପ୍ରିୟ ମଣିଷଟିର ମୁହଁ ଆଖି ଆଗରେ ନାଚି ଉଠେ। ଆଉ ତା’ର ରଙ୍ଗିନ ଲଫାପା ଖୋଲୁ ଖୋଲୁ ଓଠରେ ଆପେ ଚେନାଏ ହସ ବୋଳି ହୋଇଯାଏ। ଅଭିନନ୍ଦନ ସହ ଅନ୍ତରର କଥା ଥାଏ ସେଥିରେ। ନାନା ଚିତ୍ର ବିଚିତ୍ରରେ ସଜ୍ଜିତ ସେଇ କାଗଜ ଖଣ୍ଡିକରେ ଭରି ରହିଥାଏ ସ୍ନେହ, ପ୍ରେମ ଓ ଆନ୍ତରିକତା। ଆଉ ତା’କୁ ଅପେକ୍ଷା କରନ୍ତି ସମସ୍ତେ, ସବୁ ବର୍ଷ। ସେ ହେଉଛି ଅଭିନନ୍ଦନ ପତ୍ର ବା ଗ୍ରୀଟିଂସ୍‌ କାର୍ଡ।

ଦିନ ଥିଲା ବର୍ଷ ସରି ଆସିବା ବେଳକୁ ଖୋଜା ପଡୁଥିଲା ଗ୍ରୀଟିଂସ୍‌ କାର୍ଡ। ଖୋଲୁଥିଲା ମାଳ ମାଳ ଗ୍ରୀଟିଂସ୍‌ ଦୋକାନ। ପ୍ରିୟ ମଣିଷର ମନକୁ ଛୁଇଁବା ଭଳି କାର୍ଡ ବାଛି ଶୁଭେଚ୍ଛା ବାର୍ତ୍ତା ସହ ଲେଖା ଯାଉଥିଲା କେତେ ସ୍ନେହବୋଳା କଥା। ତାକୁ ଦେବାରେ ଯେମିତି ଖୁସି ମିଳୁଥିଲା ପାଇବାରେ ବି ମିଳୁଥିଲା ସେମିତି ଖୁସି। ବର୍ଷ ବର୍ଷ ଧରି ସାଇତି ରଖାଯାଉଥିଲା ତାକୁ। ଫୁର୍‌ସତ୍‌ରେ ଯେବେ ତାକୁ ଖୋଲି ଦେଖା ଯାଉଥିଲା ସ୍ମୃତି ସବୁ ପୁଣିଥରେ କଡ଼ ଲେଉଟାଉଥିଲେ। ଉଦାସ ମନ ବି ପୁଲକିତ ହୋଇଯାଉଥିଲା। ହେଲେ ଆଧୁନିକତାର ଛାପରେ ଏବେ ହଜିବାକୁ ବସିଲାଣି ଏଇ ସୁନ୍ଦର ଧାରା। ଫୋନ୍‌ କଲ୍‌ ଓ ହ୍ବାଟ୍ସଆପ୍‌ ମେସେଜ୍‌ରେ ସୀମିତ ହୋଇଗଲାଣି ନବବର୍ଷର ଶୁଭେଚ୍ଛା ବାର୍ତ୍ତା। ନା ସେଥିରେ ଅଛି ଆନ୍ତରିକତା ନା ସରସତା। କହିବାକୁଗଲେ ଯାନ୍ତ୍ରିକ ଦୁନିଆରେ ମଣିଷ ହୋଇଗଲାଣି ଯନ୍ତ୍ରବତ୍‌। ତେବେ ଅଭିନନ୍ଦନ ପତ୍ର ଦେବାନେବାର ସେଇ ମଧୁର ସ୍ମୃତିସବୁକୁ ମନେପକାଇ ତାକୁ ବଖାଣିଛନ୍ତି କେତେଜଣ ଗ୍ରୀଟିଂସ୍‌ ପ୍ରିୟ ମଣିଷ…

ହାତତିଆରି ଅଭିନନ୍ଦନ ପତ୍ର ଦେବାରେ ଥିଲା ଅଲଗା ଖୁସି – ଅଶ୍ରୁମୋଚନ ମହାନ୍ତି, ଅଭିନେତା
ନୂଆବର୍ଷର ମଜା ପିଲାଦିନେ ବେଶି ଥିଲା। ଯେତେ ଯେତେ ଦିନ ସରି ସରି ଯାଉଥିଲା ଓ ନୂଆବର୍ଷ ପାଖେଇ ଆସୁଥିଲା ମନ ଉଚ୍ଚାଟ ହେଇଯାଉଥିଲା। ସମସ୍ତେ ଗ୍ରୀଟିଂସ୍‌ ଦିଆନିଆ ହେଉଥିବା ଦେଖି ମୋ ମନ ବି ଉଚ୍ଛନ ହେଉଥିଲା ନୂଆବର୍ଷର ଶୁଭେଚ୍ଛା ବାର୍ତ୍ତା ଲେଖି ସାଙ୍ଗସାଥୀଙ୍କୁ ଗ୍ରୀଟିଂସ୍‌ ଦେବାକୁ। ହେଲେ ଦୋକାନକୁ ଯାଇ ଗ୍ରୀଟିଂସ୍‌ର ଦାମ୍‌ ଦେଖିଲେ ଭାବେ ମୋ ପାଖରେ ତ ଟଙ୍କା ନାହିଁ ସବୁ ସାଙ୍ଗସାଥୀଙ୍କୁ ଗ୍ରୀଟିଂସ୍‌ କିଣିକି ଦେବା ପାଇଁ। ଶେଷରେ ନିଜେ ହାତରେ ଗ୍ରୀଟିଂସ୍‌ ତିଆରି କରିବାକୁ ନିଷ୍ପତ୍ତି ନେଉଥିଲି। ଡ୍ରଇଂ ପେପର୍‌ ଆଣି ତାକୁ ବିଭିନ୍ନ ଆକାରରେ କାଟି, ତା’ଉପରେ ସୁଖିଲା ଘାସ, କାଶତଣ୍ଡୀ ଫୁଲକୁ ଭାତ ଅଠା କିମ୍ବା ଗଛ ଛାଲିରୁ ମିଳୁଥିବା ଅଠାକୁ ଲଗେଇ, ରଙ୍ଗ ଦେଇ, ପାହାଡ଼, ସୂର୍ଯ୍ୟୋଦୟର ଚିତ୍ର କରି ସେଥିରେ ନୂଆବର୍ଷର ଅଭିନନ୍ଦନ ଲେଖି ଗ୍ରୀଟିଂସ୍‌ ତିଆରି କରୁଥିଲି। କେତେବେଳେ ପୁଣି ମଣିଷର ଚିତ୍ର କରି ତା’ ଦେହ ସାରା ନୂଆବର୍ଷ ଲେଖି ତିଆରି କରୁଥିଲି। ଏଇ ହାତତିଆରି କାର୍ଡ ଦେବାରେ ବହୁତ ଖୁସି ମିଳୁଥିଲା। କାରଣ ସେଥିରେ ଥିଲା ଭିନ୍ନତା ସହ ଅନ୍ତରର ଭଲ ପାଇବା। ପୁଣି ସାଙ୍ଗ ପାଖରୁ ହାତତିଆରି କାର୍ଡ ମିଳିଗଲେ ସେଥିରୁ ଯେଉଁ ଖୁସି ମିଳୁଥିଲା ତାକୁ ବର୍ଣ୍ଣନା କରିବା ସମ୍ଭବ ନୁହେଁ। ମୋ ହାତ ତିଆରି କାର୍ଡ ମୋ ସାଙ୍ଗମାନଙ୍କୁ ଏତେ ଭଲ ଲାଗୁଥିଲା ଯେ, କେହି କେହି ମତେ ଅର୍ଡର ଦେଉଥିଲେ ତାଙ୍କ ପାଇଁ କାର୍ଡ ତିଆରି କରିବାକୁ। ମୁଁ ମୋ ପାଇଁ କାର୍ଡ ତିଆରି କରିବା ସହ ସେମାନଙ୍କ ପାଇଁ ବି ତିଆରି କରୁଥିଲି। ଭାଇ, ଭାଉଜଙ୍କ ସହ ସାଙ୍ଗସାଥୀଙ୍କୁ ମୁଁ ନୂଆବର୍ଷରେ ଗ୍ରୀଟିଂସ୍‌ କାର୍ଡ ଦେଉଥିଲି। ଏଇ ନିଆରା ଅନୁଭୂତି କିନ୍ତୁ ମୋ ପିଲାମାନେ ପାଇ ପାରି ନାହାନ୍ତି। ଆଗରୁ ନୂଆବର୍ଷର ସ୍ବାଗତ ପାଇଁ ମନରେ ଯେଉଁ ଆଗ୍ରହ ଥିଲା, ଖୁସିର ଯେଉଁ ପରିବେଶ ଚାରିଆଡ଼େ ଖେଳି ଯାଉଥିଲା ତାହା ଏବେ ଆଉ ନାହିଁ। ହୋଲି, ଦୀପାବଳିରେ ଯେମିତି ରଙ୍ଗ ଓ ବାଣର ଦୋକାନ ଖୋଲେ, ଆଗରୁ ଗଳି କନ୍ଦିରେ ସେମିତି ଗ୍ରୀଟିଂସ୍‌ କାର୍ଡ ଦୋକାନ ଖୋଲାଯାଉଥିଲା। ହେଲେ ଏବେ ତ କାଁ ଭାଁ କେଉଁଠି ଗ୍ରୀଟିଂସ୍‌ କାର୍ଡ ମିଳୁଛି। ଆଧୁନିକ ଯୁଗରେ ମୋବାଇଲରେ କଲ୍‌ କରି ହ୍ବାଟ୍ସଆପ୍‌ରେ ମେସେଜ୍‌ ପଠାଇ ନୂଆବର୍ଷର ଅଭିନନ୍ଦନ ଜଣାଇ ଦେଉଛନ୍ତି। ଯେଉଁଥିରେ ରହୁନି ଆନ୍ତରିକତା। କେବଳ ଶୁଖିଲା ଅଭିନନ୍ଦନ। ନୂଆବର୍ଷ ଆଉ ନୂଆବର୍ଷ ପରି ଲାଗୁନି।

ଗ୍ରୀଟିଂସ୍‌ ମୋ ପାଇଁ ସାଇତା ସ୍ମୃତି- ଭାସ୍ବତୀ ବସୁ, ଅଭିନେତ୍ରୀ
ମୁଁ ଛୋଟ ଥିଲାବେଳେ ନୂଆବର୍ଷ ମାନେ ଗ୍ରୀଟିଂସ୍‌ କାର୍ଡକୁ ହିଁ ବୁଝାଉଥିଲା। ବର୍ଷ ସରି ଆସିବା ବେଳକୁ ଖୋଲି ଯାଉଥିଲା ମାଳ ମାଳ ଗ୍ରୀଟିଂସ୍‌ ଦୋକାନ। ସେଗୁଡିକର ଦାମ୍‌ ବି ବେଶି କିଛି ଅଧିକ ନ ଥିଲା। ହେଲେ ପାଖରେ ଟଙ୍କା ନ ଥିଲା ଏତେ ସାଙ୍ଗସାଥୀଙ୍କ ପାଇଁ କିଣିକି ଗ୍ରୀଟିଂସ୍‌ ଦେବାକୁ। ତେଣୁ ନିଜ ହାତରେ ଗ୍ରୀଟିଂସ୍‌ କାର୍ଡ ତିଆରି କରୁଥିଲି। ଘରେ ବାବୁଜୀ, ଦିଦି ଉଭୟେ କଳାକାର ଥିଲେ। ତେଣୁ ଚିତ୍ର କରିବାର ସବୁ ସାମଗ୍ରୀ ଘରେ ଆରାମରେ ମିଳି ଯାଉଥିଲା। ଭଉଣୀ ନୂଆ ନୂଆ ଆଇଡିଆ ଦେଉଥିଲେ କାର୍ଡ ତିଆରି କରିବାକୁ। ଡିସେମ୍ବର ଆରମ୍ଭରୁ କାର୍ଡ ତିଆରି କାମ ଆରମ୍ଭ ହେଉଥିଲା। ଚାଉଳ, ଡାଲି, ଧାନ ଭଳି ବିଭିନ୍ନ ପ୍ରକାର ଜିନିଷରେ କାର୍ଡ ତିଆରି କରୁଥିଲି। ମୋ କାର୍ଡ ସବୁଠୁ ଭିନ୍ନ ହେବା ସହ ସାଙ୍ଗକୁ ନଜରରେ ରଖି କେଇ ଧାଡି ଅନ୍ତରର କଥା ବି ସେଥିରେ ଲେଖୁଥିଲି। ଆଉ ତାକୁ କେବେ ସାଙ୍ଗର ବହି ଭିତରେ ଲୁଚେଇ ରଖି ଦେଉଥିଲି ତ କେବେ ଅନ୍ୟ ହାତରେ ଦେଉଥିଲି। ମୋ ସାଙ୍ଗମାନେ ବି ମୋତେ ତାଙ୍କ ହାତତିଆରି କାର୍ଡ ଦେଉଥିଲେ। ସେତେବେଳେ କୋଉ ସାଙ୍ଗ କେତେ ଦିନ କାର୍ଡକୁ ସାଇତି ରଖୁଥିଲେ ତା’ର ଏକ ପ୍ରତିଯୋଗିତା ବି ହେଉଥିଲା। ମୁଁ ତ ଚେକ୍‌ କରିବା ପାଇଁ ସାଙ୍ଗ ଘରକୁ ପଳଉଥିଲି। ଯଦି ମୋ କାର୍ଡ ସାଇତି ରଖା ଯାଇ ନ ଥାଏ ତେବେ ରାଗୁଥିଲି, ଅଭିମାନ ବି କରୁଥିଲି। ଏମିତି କାର୍ଡ ଦେବାନେବାରେ ଥିଲା ଅଲଗା ଆନନ୍ଦ। ଖାଲି ନୂଆବର୍ଷ ନୁହେଁ ମୁଁ ଖ୍ରୀଷ୍ଟମାସ, ରଥଯାତ୍ରା ଭଳି ବିଭିନ୍ନ ପର୍ବ ପର୍ବାଣିରେ ବି କାର୍ଡ ତିଆରି କରୁଥିଲି। ସ୍କୁଲରେ ପଢିବାବେଳେ ଏମିତି ବି ହୋଇଛି ମୋତେ ପସନ୍ଦ କରୁଥିବା କିଛି ପୁଅ ସିଧାସଳଖ କାର୍ଡ ଦେବାକୁ ସାହସ ନ କରି ପାରି ସାଇକେଲରେ ଆସି କାର୍ଡ ଫୋପାଡି ଦେଇ ଯାଇଛନ୍ତି। ଖାଲି ସେତିକି ନୁହେଁ ନାଁ, ଠିକଣା ନ ଥିବା ଗ୍ରିଟିଂସ୍‌ ବି ଆସୁଥିଲା। ତାକୁ ଘର ଲୋକଙ୍କଠୁ ଲୁଚେଇକି ବହି ଖାତା ଭିତରେ ରଖୁଥିଲି। ଚିରିବାକୁ ହାତ ଯାଉ ନ ଥିଲା। ଧରାପଡିଲେ ଚିରା ହେଉଥିଲା। ସ୍କୁଲ ପଢା ସରିବା ପରେ କାର୍ଡ ତିଆରି କରିବା ଯେମିତି ବନ୍ଦ ହୋଇଗଲା। ହେଲେ ଗ୍ରିଟିଂସ୍‌ ଦୋକାନକୁ ଯାଇ ହୃଦୟକୁ ଛୁଇଁବା ଭଳି କାର୍ଡ ବାଛୁଥିଲି। ମୋ ମନର କଥାକୁ ଦେବା ଲୋକକୁ ପହଞ୍ଚାଇ ପାରିବାଭଳି ଲେଖା ଥିବା କାର୍ଡ ବହୁ କଷ୍ଟରେ ଖୋଜୁଥିଲି। ତେବେ ମୋ ଜୀବନରେ ଘଟିଥିବା ଗୋଟିଏ ଘଟଣା କାର୍ଡ ଦେବାର ଇଚ୍ଛାକୁ ମୋର ସବୁଦିନ ପାଇଁ ମାରି ଦେଇଥିଲା। ମୋର ଗୋଟେ ବହୁତ ଭଲ ସାଙ୍ଗ ଥିଲା। ଥରେ ନୂଆବର୍ଷ ଦିନ ମୁଁ ତା’ କାର୍ଡକୁ ଅପେକ୍ଷା କରିଥାଏ। ହେଲେ ସେଦିନ ସକାଳୁ ସକାଳୁ ଆସିଲା ତା’ର ଆତ୍ମହତ୍ୟା ଖବର। ଏଇ ଖବର ପାଇବାର କିଛି ସମୟ ପରେ ପୁଣି ଆସିଲା ସେ ପଠାଇଥିବା ଗ୍ରିଟିଂସ୍‌ କାର୍ଡ। ସେଦିନ ବହୁତ ଦୁଃଖ ଲାଗିଥିଲା। ନିଜକୁ ଦୋଷୀ ଦୋଷୀ ଲାଗିଲା। ଭାବିଲି ତା’ର ଦୁଃଖ ସମୟରେ ଯଦି ମୁଁ ତା’ ସାଥିରେ ଥାଆନ୍ତି ହୁଏତ ଏଭଳି ଘଟି ନ ଥାଆନ୍ତା। ଯଦି ସେଇ ଗ୍ରିଟିଂସ୍‌ଟି ଦିନକ ପୂର୍ବରୁ ଆସିଥା’ନ୍ତା ମୁଁ ହୁଏତ ଫୋନ କରି କଥା ହୋଇଥା’ନ୍ତି। ଆଉ କଥାରେ କଥାରେ ତା’ ମନ କଥା ଜାଣିପାରି ତାକୁ ବୁଝାଇପାରି ଥା’ନ୍ତି। ଏତେ ଭଲ ସାଙ୍ଗକୁ ହରାଇବା ପରେ କାହାକୁ ଗ୍ରିଟିଂସ୍‌ ଦେବାକୁ ଆଉ ମନ ହେଲାନି। କାର୍ଡ ଦେବା ପ୍ରାୟ ବନ୍ଦ ହୋଇଗଲା। ଏମିତି କିଛି ବର୍ଷ ଯିବା ପରେ ମୁଁ ପ୍ରେମରେ ପଡିଲି। ସେତେବେଳେ ତ କାର୍ଡ ଦେବା ନେବା ପ୍ରାୟ ବନ୍ଦ ହୋଇଯାଇଥିଲା। ଫୋନରେ କଥାବାର୍ତ୍ତା ସହ ଦେଖା ସାକ୍ଷାତ୍‌ ହେଇପାରୁଥିବାରୁ ଗ୍ରିଟିଂସ୍‌ କାର୍ଡର ଆବଶ୍ୟକତା ଏତେ ପଡି ନ ଥିଲା। ତଥାପି ମୋ ପ୍ରେମିକ ତଥା ମୋ ସ୍ବାମୀ ଦେଇଥିବା କିଛି କାର୍ଡ ଓ ଛୋଟ ଛୋଟ ଉପହାର ଏବେବି ମୁଁ ସାଇତି ରଖିଛି। ଖାଲି ତାଙ୍କର ନୁହେଁ ମୁଁ ସାଙ୍ଗସାଥୀଙ୍କଠୁ ପାଇଥିବା ପ୍ରାୟ ସବୁ ଗ୍ରିଟିଂସ୍‌କୁ ମୁଁ ଆଜିଯାଏ ସାଇତି ରଖିଛି। ସେଗୁଡିକ ହେଉଛି ମୋର ସାଇତା ସ୍ମୃତିସବୁ। ସେଗୁଡିକୁ ଯେବେ ଫୁର୍‌ସତ୍‌ରେ ଖୋଲି ଦେଖେ ପୁରୁଣା ସ୍ମୃତି ସବୁ ତାଜା ହୋଇଯାଏ। ହେଲେ ଏବେ ତ ହ୍ବାଟ୍‌ସ ଆପ୍‌ ଓ ଫୋନ୍‌ କଲ୍‌ରେ ନୂଆବର୍ଷର ଶୁଭେଚ୍ଛା ଦିଆଯାଉଛି। ନୂଆବର୍ଷ ସକାଳୁ ସକାଳୁ ଫୋନ୍‌ର ଇନ୍‌ବକ୍ସ ଭର୍ତ୍ତି ହୋଇଯାଉଛି ଶୁଭେଚ୍ଛା ବାର୍ତ୍ତାରେ। ମୋତେ ଅନେକ ସମୟରେ ତ ବିରକ୍ତ ଲାଗେ ସେଇ ଶୁଖିଲା ବାର୍ତ୍ତା ଆସୁଥିବାବେଳର ନୋଟିଫିକେଶନ୍‌ ସାଉଣ୍ଡ ଶୁଣି। ସେଗୁଡିକ ଆସିବା ଯେମିତି ସହଜ ତାକୁ କାଟିବା ବି ସେମିତି ସହଜ। ହେଲେ କେବେ ବି ହାତ ଯାଏନା କୌଣସି ଗ୍ରିଟିଂସ୍‌ କାର୍ଡକୁ ଚିରିବା ପାଇଁ। କାରଣ ସେଥିରେ ଥାଏ ପଠେଇଥିବା ବ୍ୟକ୍ତିର ଆନ୍ତରିକ ଭଲ ପାଇବା। ହେଲେ ଏଇ ଅନୁଭୂତିକୁ ଆଜିକାଲିର ପିଲା କ’ଣ ଅନୁଭବି ପାରିବେ। ମୁଁ ତ ଚାହେଁ ମୋ ଝିଅ ବି ମୋ ପରି କାର୍ଡ ତିଆରି କରୁ ଓ ସାଙ୍ଗସାଥୀଙ୍କୁ ଦେଉ। ସେଥିପାଇଁ ମୁଁ ତାକୁ ସବୁବେଳେ ପ୍ରୋତ୍ସାହିତ ବି କରେ।

କାର୍ଡରେ ରହୁଥିଲା ଆନ୍ତରିକତା, ସୃଜନଶୀଳତା – ଅରୁଣା ମହାନ୍ତି
ମୁଁ ଛୋଟ ଥିଲାବେଳେ ଗ୍ରିଟିଂସ୍‌ କାର୍ଡର ପ୍ରଚଳନ ଏତେଟା ନ ଥିଲା। ନୂଆବର୍ଷରେ ଆମେ ଦେଖାହୋଇ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଉଥିଲୁ ଅବା ଦୂର ବନ୍ଧୁକୁ ମନର ଭାବ ସହ ଶୁଭେଚ୍ଛାକୁ ଚିଠିରେ ଲେଖି ପଠାଉଥିଲୁ। ଅନେକ ସମୟରେ ହାତରେ କାର୍ଡ ତିଆରି କରି ପ୍ରିୟ ସାଙ୍ଗର ମନକୁ ଛୁଇଁବା ଭଳି କିଛି ଲେଖି ଅବା ଚିତ୍ର କରି ବି ଦେଉଥିଲୁ। ସେଥିରେ ଯେଉଁ ଖୁସି ମିଳୁଥିଲା ତାକୁ ବ୍ୟକ୍ତ କରି ହେବନି। କଲେଜ ପଢିବାବେଳେ ଗ୍ରିଟିଂସ୍‌ର ପ୍ରଚଳନ ଆରମ୍ଭ ହୋଇଯାଇଥାଏ। ସେତେବେଳେ ତ ସତେ ଯେମିତି ସମସ୍ତେ ଲେଖିବା ଭୁଲିଗଲେ। କାର୍ଡରେ ଅନ୍ୟ କେହି ଲେଖିଥିବା କଥାକୁ ନିଜର କହି ଦେବା ନେବା ଚାଲିଲା। ଏବେ ଫୋନ୍‌ରେ ମେସେଜ୍‌ ଜରିଆରେ ଦୁଇ ଧାଡି ଲେଖି ଶୁଭେଚ୍ଛା ଜଣେଇ ଦେଉଛନ୍ତି। ସେ ଦୁଇ ଧାଡି ବି ଅନେକ ସମୟରେ ନିଜର ହୋଇ ନ ଥାଏ। ନୂଆବର୍ଷ ପାଇଁ ଆଗୁଆ ଡିଜାଇନ୍‌ ହୋଇଥିବା ସମାନ ଶୁଭେଚ୍ଛାକୁ ଭିନ୍ନ ଭିନ୍ନ ଲୋକ ପଠାଇଥାନ୍ତି। ସେଥିରେ ଆତ୍ମୀୟତାର ବାସ୍ନା ଦୂର ଦୂର ପର୍ଯ୍ୟନ୍ତ ନ ଥାଏ। ଏବେ ଏମିତି ସମୟ ଆସିଯାଇଛି ଯେ, ଦୁଇ ଧାଡି ନିଜେ ଲେଖି ଅବା ଦୁଇ ପଦ କହି ଶୁଭେଚ୍ଛା ଜଣାଇ ହେଉନି। ତେବେ ଯେବେ ମୁଁ ଏକ ଖାସ୍‌ ସମ୍ପର୍କରେ ଆସିଥିଲି ଅର୍ଥାତ୍‌ ପ୍ରେମରେ ପଡିଲି କାର୍ଡ ଦେବାନେବା ଆମର ବରାବର ଚାଲିଥିଲା। ଆମ ପାଇଁ କାର୍ଡ ଦେବାର କୌଣସି ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ ନ ଥିଲା। ରାଗ, ରୁଷା, ଅଭିମାନ ବେଳେ ମନାଇବା ଲାଗି ବି କାର୍ଡ ଦିଆନିଆ ହେଉଥିଲୁ। ସେଇ ସବୁ କାର୍ଡକୁ ବାହାଘର ପରେ ଆମେ ଦୁହେଁ ଯେବେ ବି ବାହାର କରି ଦେଖୁ ପୁରୁଣା କଥା ସବୁ ମନେ ପଡିଯାଏ। ଆମେ କେମିତି କାର୍ଡ କିଣୁଥିଲୁ, କାହା ହାତରେ ଯେମିତି ତାହା ନ ପଡୁ ସେଥିପାଇଁ କିଭଳି ସତର୍କ ରହୁଥିଲୁ। ସାଙ୍ଗମାନେ ଜାଣିଗଲେ କେମିତି ଥଟାମଜା ହେଉଥିଲା, ସେସବୁ ଆଖିଆଗରେ ନାଚି ଉଠେ। ମୁଁ ସବୁବେଳେ ବ୍ୟକ୍ତିଗତକୁ ବ୍ୟକ୍ତିଗତ ରଖିବାକୁ ପସନ୍ଦ କରେ। ତେଣୁ ମୋ ସ୍ବାମୀ ଓ ମୋ ଭିତରେ ଭାବର ଆଦାନପ୍ରଦାନ ହୋଇଥିବା ସେସବୁ କାର୍ଡ ଓ ଚିଠିକୁ ମୁଁ ସବୁବେଳେ ବ୍ୟକ୍ତିଗତ ରଖିଆସିଛି। ଆଉ ସେଇଥିରେ ମତେ ଖୁସି ମିଳେ।

ଗ୍ରିଟିଂସ୍‌ରେ ରହୁଥିଲା ଆନ୍ତରିକତା-ଶୁଭସ୍ମିତା ମହାନ୍ତି, ଶିକ୍ଷୟିତ୍ରୀ
ଛୋଟବେଳରୁ ହିଁ ମୋର ଗ୍ରିଟିଂସ୍‌ ପ୍ରତି ଅହେତୁକ ଦୁର୍ବଳତା ଥିଲା। ଆଉ ଏବେ ବି ଅଛି। ସ୍କୁଲରେ ପଢିଲା ବେଳେ ବଉଳ, ମକର, ଗୋଲାପ, ମିତ ବସୁଥିଲୁ ଏବଂ ଗ୍ରିଟିଂସ୍‌ ଦିଆନିଆ ହେଉଥିଲା। କଲେଜରେ ପଢିଲା ବେଳେ ବି ସାଙ୍ଗମାନେ ଗ୍ରିଟିଂସ୍‌ ପଠାଉଥିଲେ, ଯାହାକୁ ମୁଁ ଖୁବ୍‌ ଆତୁରତାର ସହ ଅପେକ୍ଷା କରୁଥିଲି। ଶିକ୍ଷୟିତ୍ରୀ ହେଲା ପରେ ଛାତ୍ରୀଛାତ୍ରମାନେ ଗ୍ରିଟିଂସ୍‌ ଦିଅନ୍ତି। ବହୁତ ଖୁସି ଲାଗେ। ଗ୍ରିଟିଂସ ମୋ ପାଇଁ ଅନୁଭବରେ ଭରପୂର ଆଞ୍ଜୁଳାଏ ଉଲ୍ଲାସ। ଗ୍ରିଟିଂସ୍‌, ପୁରୁଣା ବର୍ଷକୁ ବିଦାୟ ଜଣାଇ ନୂଆବର୍ଷକୁ ଅଭିନନ୍ଦନ ଜଣାଇବାର ଏକ ମାଧ୍ୟମ। ସମ୍ଭାବନାର ଅତରଲଗା ଚୁମାରେ ଚିତ୍ରିତ ହୋଇଥାଏ ଏହାର ସାରା ପୃଷ୍ଠା, ଯାହାର ବାସ୍ନାରେ ମହକି ଯାଏ ଓଠରୁ ଆକାଶ। ଲଫାପା ଖୋଲୁ ଖୋଲୁ ଖିଲି ଖିଲି ହସର ଜୁଆରରେ ଭିଜି ଯାଏ ମନ, ହୃଦୟ। ଗ୍ରିଟିଂସ୍‌ ଏକ ମଉଳୁ ନ ଥିବା ପ୍ରୀତି ଫୁଲର ସୁବାସ ପରି, ଯାହା କେଉଁ ହାଟରେ ମିଳେନା। ତେବେ ଯୁଗ ବଦଳିବା ସହ ଆଜିକାଲି ଏହାର ଚାହିଦା ଆଉ ଆଗ ପରି ନାହିଁ। ହେଲେ ମୋ ଜୀବନରେ କିନ୍ତୁ ଗ୍ରିଟିଂସ୍‌ର ମହତ୍ତ୍ୱ ଓ ମହକ ଆଜି ବି ସେହିପରି ରହିଛି । ସେତେବେଳେ ଡାକବାଲା ଆସୁଥିଲା ନଈ ସେପାରି ଗାଁରୁ। ତା’ ଆସିବା ବାଟକୁ ଚାତକ ପରି ଚାହିଁ ରହୁଥିଲି, ଗ୍ରିଟିଂସ ପାଇବା ପରେ ଯେଉଁ ଖୁସି ତାକୁ ଶବ୍ଦରେ ବର୍ଣ୍ଣନା କରି ହେବନି। ମୋ ସାନଦାଦା ଓ ମୋ ସାଙ୍ଗ ଇତି ପଠାଇ ଥିବା ଗ୍ରିଟିଂସ୍‌କୁ ମୁଁ ଆଜି ବି ସାଇତି ରଖିଛି। ସେଥିରେ ଥିଲା ମୁଠା ମୁଠା ମମତା, ଅନାବିଳ ବନ୍ଧୁତ୍ୱ, ସ୍ନେହ, ସମ୍ପର୍କର କଥା। ଦାଦା ଗ୍ରିଟିଂସ୍‌ରେ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଲେଖୁଥିବା କବିତା ମୋର ଏବେବି ମନେଅଛି-

ନୂଆ ବର୍ଷର ନୂଆ ସକାଳ
ଆଣି ଦେଉ ତୋ ଜୀବନେ
ଖୁସିର ଫସଲ
ହସର ଢେଉ ଆଉ ପ୍ରୀତିର ଜୁଆର
ଶ୍ରୀଜଗନ୍ନାଥଙ୍କର ରହୁ କଲ୍ୟାଣ ଅପାର….
ସେହିପରି ଅନେକ ସାଙ୍ଗଙ୍କଠାରୁ ଗ୍ରିଟିଙ୍ଗସ୍‌ ପାଉଥିଲି ଓ ଦେଉଥିଲି ମଧ୍ୟ। ଗ୍ରିଟିଂସ୍‌ର ଉଷ୍ମ ବାତାବରଣ ପ୍ରାୟ ଜାନୁୟାରୀ ମାସ ସାରା ରହୁଥିଲା। ଆଜିକାଲି ନୂଆବର୍ଷକୁ ପାଳନ କରିବା ପାଇଁ ଅନେକ ମାଧ୍ୟମ ଆସିଗଲାଣି। ସୁସଜ୍ଜିତ ଆଲୋକମାଳାରେ ସଜେଇ ହେଉଛି ପଲ୍ଲୀରୁ ସହର, ହ୍ବାଟ୍ସଆପ୍‌୍‌ରେ ଆସୁଛି ମେସେଜ୍‌। ହେଲେ ସେଥିରେ ନ ଥାଏ ଆନ୍ତରିକତା। ଗ୍ରିଟିଂସ୍‌ରେ ଯେଉଁ ଶ୍ୟାମଳ ବର୍ଣ୍ଣ ବିଭା ଥିଲା ତାହା ଆଜି କାହାଣୀ ପାଲଟି ଯାଇଛି। ଆଗରୁ ନୂଆବର୍ଷକୁ ସ୍ବାଗତ ଜଣାଇବା ପାଇଁ କେତେ ପ୍ରକାରର ଗୀତ ଲେଖା ଯାଉଥିଲା ଗ୍ରିଟିଂସ୍‌ରେ, ପୁଣି କେହି ପ୍ରେମୀଯୁଗଳ ଏଇ ଗ୍ରିଟିଂସ୍‌ ମାଧ୍ୟମରେ ହିଁ ହୃଦୟର ଭାଷାକୁ ପରିପ୍ରକାଶ କରୁଥିଲେ। ସେଥିରେ ଯେଉଁ ଆତ୍ମୀୟତା, ଯେଉଁ ମାଦକତା ରହୁଥିଲା, ତାହା ହ୍ବାଟ୍ସ ଆପ୍‌ ବା ଫୋନ୍‌ କଲ୍‌ରେ କାହିଁ? କୁନି କୁନି ପିଲାମାନେ ଗ୍ରିଟିଂସ୍‌ ଦିଆନିଆ ହେବାବେଳେ ସେଥିରେ ଲେଖୁଥିଲେ- ‘ମଥାରେ ତୋହର ଟିପି ଚନ୍ଦନ, ନୂଆ ବରଷରେ ସାଙ୍ଗକୁ ମୋହର ଅଭିନନ୍ଦନ’ ପରି ଅନେକ ଢଗଢମାଳି। କେଉଁ ଏକ ଉଦାସ ମୁହୂର୍ତ୍ତରେ ଏଇ ଗ୍ରିଟିଂସ୍‌ ସବୁ ଶାନ୍ତ ସମୀରଣ ପରି ଅନୁଭୂତ ହୁଏ। ଯେତେ ପଢିଲେ ବି ଆହୁରି ପଢିବାକୁ ଇଚ୍ଛା ହୁଏ, ଆଖିରେ ଆନନ୍ଦର ଲୁହ ଆସି ଯାଏ। ଗ୍ରିଟିଂସ୍‌ ସ୍ମୃତିର ବାକ୍ସରେ ସାଇତା ଅମୂଲ୍ୟ ସମ୍ପଦ, ଯାହାର କୌଣସି ତୁଳନା ନାହିଁ।

ଗ୍ରିଟିଂସ୍‌ କାର୍ଡର ଇତିହାସ (ବକ୍ସ)
କୁହାଯାଏ ଅଭିନନ୍ଦନ ପତ୍ର ପଠାଇବାର ପରମ୍ପରା ପ୍ରାଚୀନ ଚାଇନା ଓ ମିଶରରେ ଆରମ୍ଭ ହୋଇଥିଲା। ଇଜିପ୍ଟରେ ପାପିରସ୍‌ରେ ଶୁଭେଚ୍ଛା ପଠାଯାଉଥିଲା। ଏହି ଦେଶଗୁଡିକରେ ତାମ୍ରପତ୍ର ସହ ଇତର ବୋତଲରେ ଶୁଭକାମନା ସନ୍ଦେଶ ପଠାଯାଉଥିବାର ପ୍ରମାଣ ମିଳିଛି। ପୂର୍ବେ ଏହି ଅଭିନନ୍ଦନ ପତ୍ରକୁ ଦୂତ ଓ ପାରା ଦ୍ୱାରା ପଠା ଯାଉଥିଲା। ଐତିହାସିକଙ୍କ ଅନୁଯାୟୀ ଖ୍ରୀ.ପୂ. ୬୦୦ ବର୍ଷ ପୂର୍ବର ଅଭିନନ୍ଦନ ପତ୍ର ବି ମିଳିଛି। ଭାରତରେ ତାଳପତ୍ର, କଦଳୀପତ୍ର, କଦମ୍ବ ଛାଲ, କପଡା ଓ ତାମ୍ରପତ୍ରରେ ଅଭିନନ୍ଦନ ବାର୍ତ୍ତା ପଠାଯାଉଥିଲା। ମୌର୍ଯ୍ୟଯୁଗରେ ତମ୍ବା, ସୁନା, ରୁପା ପତ୍ରରେ ସୌଭାଗ୍ୟ ଓ ମଙ୍ଗଳକାମନା ବାର୍ତ୍ତା ଦିଆଯାଉଥିଲା। ତ୍ରୟୋଦଶ ଶତାବ୍ଦୀରେ ୟୁରୋପୀୟମାନେ ଗୋଲେଇ କାଠ ଉପରେ ନବବର୍ଷର ଶୁଭକାମନା ବାର୍ତ୍ତା ପଠାଇ ନୂଆ ଏକ ଧାରା ଆରମ୍ଭ କରିଥିଲେ। ଚତୁର୍ଦ୍ଦଶ ଶତାବ୍ଦୀରେ ୟୁରୋପୀୟମାନେ ହାତ ତିଆରି ଶୁଭେଚ୍ଛା ପତ୍ର ଦେବାନେବା ଆରମ୍ଭ କରିଥିଲେ। ପଞ୍ଚଦଶ ଶତାବ୍ଦୀରେ ୟୁରୋପରେ ହାତତିଆରି କାଗଜ ଗ୍ରିଟିଂସ୍‌ ଆଦାନପ୍ରଦାନ ଆରମ୍ଭ ହୋଇଥିଲା। ତା’ସହ ମଧ୍ୟ ଭାଗରେ ୟୁରୋପର ବିଭିନ୍ନ ସ୍ଥାନରେ କାଗଜର ହାତ ତିଆରି ଭାଲେଣ୍ଟାଇନ୍ସ ଡେ କାର୍ଡ ଆଦାନପ୍ରଦାନ ବି ହେଲା। ୧୮୪୩ ମସିହାରେ ଲଣ୍ଡନରେ ପ୍ରଥମ କ୍ରିସ୍‌ମାସ କାର୍ଡ ଛପା ଯାଇଥିଲା। ଭାରତରେ ସର୍ବପ୍ରଥମେ ଇଂରେଜମାନେ କ୍ରିସ୍‌ମାସ ଓ ନବବର୍ଷରେ ଶୁଭକାମନା ସନ୍ଦେଶ ପଠାଇବା ଓ ହାପି ନ୍ୟୁ ଇୟର କହିବାର ପ୍ରଥା ଆରମ୍ଭ କରିଥିଲେ। ପ୍ରାରମ୍ଭିକ ସମୟରେ ଭାରତର ଶିବାକାଶୀ, ମାଡ୍ରାସ ଓ ମୁମ୍ବାଇରେ ଅଧିକ ଅଭିନନ୍ଦନ ପତ୍ର ଛପା ଯାଉଥିଲା। ହାଇଦ୍ରାବାଦର ନିଜାମ ସବୁଠୁ ବେଶି ଶୁଭକାମନା ପତ୍ର ପଠାଉଥିବା ଇତିହାସ କହେ। ପୃଥିବୀର ସବୁଠାରୁ ଲମ୍ବା ଗ୍ରିଟିଂସ୍‌ କାର୍ଡ ୭ କି.ମି.ର ଥିଲା, ଯାହାକୁ ୧୦ ଡିସେମ୍ବର ୧୯୬୭ରେ ଭିଏଟନାମ ଯୁଦ୍ଧରେ ମୋର୍ଚ୍ଚାରେ ଥିବା ଆମେରିକା ସୈନ୍ୟଙ୍କ ନାମରେ ପଠାଯାଇଥିଲା। ସେଥିରେ ୧ ଲକ୍ଷ ଲୋକଙ୍କର ସାମୂହିକ ଶୁଭକାମନା ଥିଲା। ଉକ୍ତ ଶୁଭେଚ୍ଛା ପତ୍ରର ଓଜନ ୧୦ ଟନ୍‌ ଥିଲା। ଆଉ ପୃଥିବୀର ସବୁଠୁ ଛୋଟ ଶୁଭକାମନା ପତ୍ର୧୯୨୯ରେ ଏକ ଚାଉଳ ଦାନା ଉପରେ ଖ୍ରୀଷ୍ଟମାସର ଶୁଭେଚ୍ଛା ଲେଖାଯାଇ ପ୍ରିନ୍ସ ଅଫ୍‌ ଓ୍ବେଲ୍ସଙ୍କୁ ପଠାଯାଇଥିଲା। ଆମେରିକାରେ ଛପା ଯାଇଥିବା ଗ୍ରିଟିଂସ୍‌ କାର୍ଡକୁ ବିକ୍ରି କରିବା ଧାରା ଲୁଇ ପ୍ରେଗ୍‌ ନାମକ ଜଣେ ଜର୍ମାନ ଲିଥୋଗ୍ରାଫର୍‌ ଆରମ୍ଭ କରିଥିଲେ। ସେ ୧୮୫୬ରେ ବୋଷ୍ଟନରେ ଗ୍ରିଟିଂସ୍‌ କାର୍ଡର ଦୋକାନ କରିଥିଲେ।

Share