Advertisement

ସାମାଜିକ ଗଣମାଧ୍ୟମରେ କେନ୍ଦ୍ର ବାଲ୍‌ ପୁରସ୍କାର ବିଜେତାଙ୍କ ନାମ

ଭୁବନେଶ୍ୱର,୨୧।୬(ଶର୍ମିଷ୍ଠା ପାଣିଗ୍ରାହୀ): ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଦିଆଯାଉଥିବା ବାଲ୍‌ ପୁରସ୍କାର ବିଜେତାଙ୍କ ନାମ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ପୁରସ୍କାର ଘୋଷଣା ହେବା ପୂର୍ବରୁ ଏହା କିପରି ପ୍ରଘଟ ହେଲା ତାହା ସାହିତି୍ୟକ ଓ ବୁଦ୍ଧିଜୀବୀଙ୍କ ମହଲରେ ଆଲୋଚନାର ବିଷୟ ହୋଇଛି। ଓଡ଼ିଶାରୁ ଡ. ସୁନାମଣି ରାଉତ ଚଳିତ ବର୍ଷର ଏହି ପୁରସ୍କାର ପାଉଛନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଏହି ପୋଷ୍ଟରେ ଚଳିତ ବର୍ଷର ଜୁରୀ ସଦସ୍ୟ ଭାବେ ଭୂପେନ ମହାପାତ୍ର ଓ ମହେଶ୍ୱର ମହାନ୍ତି ରହିଥିବା ନେଇ ମଧ୍ୟ ଉଲ୍ଲେଖ କରାଯାଇଛି। ବିଧିବଦ୍ଧ ସୂଚନା ନ ଆସିବା ଆଗରୁ ଏଭଳି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଘଟ ହେବା ନେଇ ଅନେକ ସାହିତି୍ୟକ ପ୍ରଶ୍ନ କରିଛନ୍ତି। ଏ ନେଇ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ କବି ଡ. ହୃଷୀକେଶ ମଲ୍ଲିକ କହିଛନ୍ତି, ମୁଁ ଏ ଘଟଣା ବିଷୟରେ କେନ୍ଦ୍ର ସାହିତ୍ୟ ଏକାଡେମୀ ସଚିବଙ୍କୁ ଚିଠି ଲେଖିଛି। ଏଥିସହ ଓଡ଼ିଆ ଭାଷା ପରମର୍ଶଦାତା ବୋର୍ଡର ଆବାହକଙ୍କୁ ମଧ୍ୟ ଅବଗତ କରାଇଛି। ଆନୁଷ୍ଠାନିକ ଭାବେ ପୁରସ୍କାର ଘୋଷଣା ହେବା ପୂର୍ବରୁ ଓଡ଼ିଆ ଭାଷାରେ ବାଲ୍‌ ପୁରସ୍କାର ଏବଂ ଜୁରି ସଦସ୍ୟଙ୍କ ନାମ ସାମାଜିକ ଗଣମାଧ୍ୟମରେ ପ୍ରଘଟ ଗ୍ରହଣୀୟ ନୁହେଁ। ଯଦି ଫେସ୍‌ବୁକରେ କରାଯାଇଥିବା ପୋଷ୍ଟ ସତ ହୁଏ, ଏହାକୁ ବାତିଲ କରିବା ଏକାଡେମୀ ପାଇଁ ସମ୍ମାନଜନକ ହେବ। ଏହି ବିଷୟଟି ଅତ୍ୟନ୍ତ ଗମ୍ଭୀର। ଜରୁରୀ କାର୍ଯ୍ୟାନୁଷ୍ଠାନ ସହ ଏକାଡେମୀର ପ୍ରତିଷ୍ଠା ବଜାୟ ରଖି ଉପଯୁକ୍ତ ପଦକ୍ଷେପ ନିଆଯାଉ। ଭବିଷ୍ୟତରେ ଏକାଡେମୀ ଦ୍ୱାରା ପରିଚାଳିତ ପୁରସ୍କାର ଚୟନ ପାଇଁ ଜୁରି ଭାବରେ କାର୍ଯ୍ୟ କରିବାକୁ ମୁଁ ଇଚ୍ଛୁକ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share