ନନ୍ଦନକାନନ: ଦଫା ୩୦୭

ଓଡ଼ିଶା ସରକାର କହୁଛନ୍ତି ଯେ, ଆମ ରାଜ୍ୟ ହେଉଛି ଭାରତବର୍ଷର ସବୁଠାରୁ ଅନାବିଷ୍କୃତ ସୌନ୍ଦର୍ଯ୍ୟ ବା ବେଷ୍ଟ କେପ୍ଟ ସିକ୍ରେଟ୍‌। ସେହି ଗୋପନୀୟତାକୁ ଓଡ଼ିଶା ସରକାର ପର୍ଯ୍ୟଟନ ବିଭାଗ ମାଧ୍ୟମରେ ଅନେକ ଅର୍ଥ ଖର୍ଚ୍ଚ କରି ଦେଶବ୍ୟାପୀ ପ୍ରଚାର ଚଳାଇଛନ୍ତି। ଖୁସିଲାଗେ ଯେତେବେଳେ ଦିଲ୍ଲୀ ବିମାନବନ୍ଦରରେ ଥିବା ଅନେକ ଟେଲିଭିଜନ ଡିସ୍‌ପ୍ଲେରେ ଓଡ଼ିଶା ପର୍ଯ୍ୟଟନର ବିଜ୍ଞାପନ ଦେଖିବାକୁ ମିଳେ। କିନ୍ତୁ ପର୍ଯ୍ୟଟନ କେବଳ ଝରଣା, ଜଳପ୍ରପାତ, ବାଘ କିମ୍ବା ମନ୍ଦିର ଭିତରେ ସୀମିତ ରହେନାହିଁ। ବାସ୍ତବ ପର୍ଯ୍ୟଟନ ସେତିକିବେଳେ ସଫଳ ହୋଇଥାଏ, ଯେତେବେଳେ ସ୍ଥାନୀୟ ଲୋକଙ୍କଠାରୁ ପର୍ଯ୍ୟଟକମାନେ ଉଚିତ ଆତିଥ୍ୟ ପାଇଥାନ୍ତି। ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ପ୍ରତି ଦର୍ଶାଯାଉଥିବା ଅନାଦାର ଗତ ୨୨ ମେ’ ୨୦୨୨ରେ ନନ୍ଦନକାନନ ଚିଡ଼ିଆଖାନାରେ ଦେଖିବାକୁ ମିଳିଲା।
ଘଟଣାକୁ ଦେଖିଲେ ଛତିଶଗଡ଼ର ରାୟପୁରରୁ ୨୬ ଜଣ ପର୍ଯ୍ୟଟକ ନନ୍ଦନକାନନ ଆସି ସଫାରିରେ ବୁଲିବା ପାଇଁ ସଫାରି କାଉଣ୍ଟରରେ ପହଞ୍ଚିଥିଲେ। ଟିକେଟ କିଣି ସଫାରି ବସ୍‌ରେ ବସିବାକୁ ସେମାନଙ୍କର ପାଳିଯାଏ ଅପେକ୍ଷା କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ ଦୀର୍ଘ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ସେମାନଙ୍କୁ ସଫାରି ବସ୍‌ରେ ବୁଲିବାର ସୁଯୋଗ ମିଳି ନ ଥିଲା। ଏହାକୁ ନେଇ ଡେରି ହେଉଥିବା ଦର୍ଶାଇ ସେମାନେ କାଉଣ୍ଟର କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ କର୍ମଚାରୀମାନେ ପର୍ଯ୍ୟଟକଙ୍କୁ ଠେଲାପେଲା କରିଥିଲେ। କଥା ସେଇଠି ଅଟକି ନ ଥିଲା। ସମ୍ପୃକ୍ତ କର୍ମଚାରୀମାନେ ପର୍ଯ୍ୟଟକଙ୍କୁ ଆକ୍ରମଣ କରିବା ଉଦ୍ଦେଶ୍ୟ ରଖି ସ୍ଥାନୀୟ ଅଞ୍ଚଳର ୫୦ ଜଣ ଲୋକଙ୍କୁ ଏକାଠି କରାଇ ହତିଆର ଧରି ପର୍ଯ୍ୟଟକ ଗୋଷ୍ଠୀଙ୍କୁ ମାଡ଼ ମାରିଥିଲେ। ଆକ୍ରମଣରୁ ବର୍ତ୍ତିବା ପାଇଁ ପର୍ଯ୍ୟଟକମାନେ ମୁଖ୍ୟ ଫାଟକ ଆଡ଼କୁ ଧାଉଁଥିବା ଦେଖିବାକୁ ମିଳିଥିଲା।
ପ୍ରଥମ କଥା ହେଉଛି ଜଣେ ଟିକେଟ କାଟିଲା ପରେ ତାଙ୍କୁ ଦୀର୍ଘ ସମୟ କାହିଁକି ଅପେକ୍ଷା କରିବାକୁ ପଡ଼ିଲା। ସେଥିରୁ ବୁଝାଯାଇପାରେ ଯେ ନନ୍ଦନକାନନରେ କର୍ମଚାରୀମାନଙ୍କ ଏହି ନିମ୍ନ ସ୍ତରରେ ମଧ୍ୟ ଅପାରଗତା ଯୋଗୁ ଅଯଥା ଜଟିଳ ପରିସ୍ଥିତି ସୃଷ୍ଟି ହେଉଛି। ଟିକଟରେ ଯଦି ସଂଖ୍ୟା ପଡୁଛି, ତେବେ ଜଣକ ପରେ ଜଣେ ବସ୍‌ରେ ସୁଯୋଗ ପାଇବା କଥା। ତେଣୁ ଏହା କେଉଁ କାରଣରୁ କରାଗଲା ନାହିଁ ସେ ବିଷୟରେ ତଦନ୍ତ ହେବା ଉଚିତ। ଧରିନିଆଯାଉ ପର୍ଯ୍ୟଟକମାନେ ଖରାକୁ ସହି ନ ପାରି ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ଯଦି ସେଭଳି ପରିସ୍ଥିତି ସୃଷ୍ଟି ହେଲା ତେବେ ଚିଡ଼ିଆଖାନା କର୍ତ୍ତୃପକ୍ଷ ପୋଲିସକୁ କାହିଁକି ଡକାଇଲେ ନାହିଁ।
ଓଡ଼ିଶାରେ ଏହିଭଳି ହିଂସାତ୍ମକ ଘଟଣାକୁ ଦେଖିଲେ ସବୁବେଳେ ସ୍ଥାନୀୟ ଲୋକଙ୍କୁ ଏକାଠି କରି ଯେଉଁଭଳି ସଂଖ୍ୟାଗରିଷ୍ଠ ଗୋଷ୍ଠୀ ହିଂସା ଘଟାନ୍ତି, ତାହା ବିକୃତ ମାନସିକତା ପ୍ରଦର୍ଶନ କରିଥାଏ। ଓଡ଼ିଆଙ୍କୁ ସବୁବେଳେ ଭିଡ଼ ଭିତରେ ଆକ୍ରମଣ କରିବାକୁ ଆନନ୍ଦ ଲାଗେ। ହୁଏତ ସେଥିପାଇଁ ନିଜ ସ୍ଥାନ ଛାଡ଼ି ବାହାରକୁ ଗଲେ ନିଜକୁ ଓଡ଼ିଆ ଭାବେ ପରିଚିତ କରାଇବା ଲାଗି ଡରିଥାନ୍ତି।
ପର୍ଯ୍ୟଟନ ଏକ ଜଟିଳ ବ୍ୟବସାୟ। ସେଥିରେ ସଫଳତା ପାଇବାକୁ ହେଲେ ମଣିଷର ମନ ଜିଣିବାକୁ ପଡ଼େ। ପର୍ଯ୍ୟଟକଙ୍କ ଚାରିପାର୍ଶ୍ୱରେ ଯେତେଜଣ ଉପସ୍ଥିତ ଥିବେ ସମସ୍ତେ ସେଥିରେ ସମ୍ପୃକ୍ତ ବୋଲି ଧରିନେବା କଥା। ପର୍ଯ୍ୟଟନସ୍ଥଳୀ ସମୁଦ୍ରରେ ଏକ ଟାପୁ ଭାବେ ବଞ୍ଚିପାରିବ ନାହିଁ। ଉଦାହରଣସ୍ବରୂପ ନନ୍ଦନକାନନର ମୁଖ୍ୟ ଫାଟକ ସମ୍ମୁଖରେ ଅନେକ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଦୋକାନ ଖୋଲିଛି। ସେମାନଙ୍କର ଅର୍ଥ ଅର୍ଜନ କେବଳ ପର୍ଯ୍ୟଟକଙ୍କ ଉପରେ ନିର୍ଭର କରୁଛି। ସେଥିପାଇଁ ଯଦି ସରକାର ଚାହୁଁଛନ୍ତି ଯେ, ନନ୍ଦନକାନନକୁ ଏକ ଜାତୀୟ ସ୍ତରର ପର୍ଯ୍ୟଟନସ୍ଥଳୀରେ ସୃଷ୍ଟି କରିବା ପାଇଁ ତେବେ ପ୍ରାଣୀ ଉଦ୍ୟାନରେ ସବୁ କର୍ମଚାରୀଙ୍କ ସମେତ ବାହାରେ ବେପାର କରୁଥିବା ମାଲିକ ଓ କର୍ମଚାରୀଙ୍କୁ ନିୟମିତ ବ୍ୟବଧାନରେ ପ୍ରଶିକ୍ଷଣ ଶିବିରରେ ସାମିଲ କରାଯିବା ଦରକାର। ପର୍ଯ୍ୟଟନ ବିଶେଷଜ୍ଞମାନଙ୍କୁ ଡାକି ସେହି ଅଞ୍ଚଳରେ ବାରମ୍ବାର ଗୋପନୀୟ ପରୀକ୍ଷା କରାଯିବା ଉଚିତ, ଯେଉଁଥିରେ ଭଦ୍ର ବ୍ୟବହାର ଏବଂ ପର୍ଯ୍ୟଟକଙ୍କ ସୁରକ୍ଷା କେଉଁ ସ୍ତରରେ ଅଛି ମପାଯିବା ଆବଶ୍ୟକ। କେବଳ ରାସ୍ତା ଚଉଡ଼ା କଲେ କିମ୍ବା ହୋଟେଲ ତିଆରି କଲେ ପର୍ଯ୍ୟଟକଙ୍କ ଭିଡ଼ ହୁଏ ନାହିଁ। ସ୍ଥାନୀୟ ଲୋକଙ୍କ ବ୍ୟବହାର ସବୁଠୁ ଅଧିକ ଗୁରୁତ୍ୱ ବହନ କରିଥାଏ।
ନନ୍ଦନକାନନ ଘଟଣା ପ୍ରମାଣ କରୁଛି ଯେ, ଓଡ଼ିଶାର ରାଜଧାନୀରେ ପର୍ଯ୍ୟଟକ ସୁରକ୍ଷିତ ନୁହନ୍ତି। ଏଥିରୁ ବୁଝିବାକୁ ହେବ ଯେ, ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ମଧ୍ୟ ପର୍ଯ୍ୟଟକ ସୁରକ୍ଷିତ ରହୁ ନ ଥିବେ। ତେଣୁ ନନ୍ଦନକାନନ ଘଟଣାକୁ ଏକ ଉଦାହରଣ ଭାବେ ନିଆଯାଇ ହିଂସା ଘଟାଇଥିବା କର୍ମଚାରୀ ଓ ସହଯୋଗୀମାନଙ୍କ ନାମରେ ଭାରତୀୟ ପିଙ୍ଗଳ କୋଡ୍‌ର ୩୦୭ ଦଫାରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯିବା ଦରକାର। ଏଥିସହିତ ମାଡ଼ ଖାଇଥିବା ପର୍ଯ୍ୟଟକଙ୍କୁ ବାରମ୍ବାର ସାକ୍ଷୀ ଭାବେ ଡକାଇ ଅଦାଲତରେ ହଇରାଣ କରିବା ପରିବର୍ତ୍ତେ ଗୋଟିଏ ଥରରେ ମାଜିଷ୍ଟ୍ରେଟ୍‌ଙ୍କ ସାମ୍ନାରେ ବୟାନ ରେକର୍ଡ କରାଇ ଅତିଶୀଘ୍ର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାର ବ୍ୟବସ୍ଥା କରାଯିବା ଉଚିତ। ସରକାର ଯଦି ଏହି ଘଟଣାକୁ ଠିକ୍‌ ଭାବେ ପରିଚାଳନା କରି ଏକ ସୁସ୍ଥ ବାର୍ତ୍ତା ଦେଇପାରନ୍ତେ, ତେବେ ପୁନର୍ବାର ଓଡ଼ିଶା ଆସିବାକୁ ପର୍ଯ୍ୟଟକ ଆକୃଷ୍ଟ ହୁଅନ୍ତେ। ନଚେତ୍‌ ଓଡ଼ିଶା ପୁନଶ୍ଚ ସେହି ଗୋପନୀୟତା (ବେଷ୍ଟ କେପ୍ଟ ସିକ୍ରେଟ୍‌)ର ଅନ୍ଧକାରକୁ ଫେରିଯିବ।

ନନ୍ଦନକାନନ ଘଟଣାକୁ ଏକ ଉଦାହରଣ ଭାବେ ନିଆଯାଇ ହିଂସା ଘଟାଇଥିବା କର୍ମଚାରୀ ଓ ସହଯୋଗୀମାନଙ୍କ ନାମରେ ଭାରତୀୟ ପିଙ୍ଗଳ କୋଡ୍‌ର ୩୦୭ ଦଫାରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ପିଲା ଚୋରି ଓ ପୋଲିସ

ଭୁବନେଶ୍ୱର ରାମମନ୍ଦିର ନିକଟରେ ଭିକ୍ଷା ମାଗି ଚଳୁଥିବା ଜୟନ୍ତୀ ମଲ୍ଲିକ ନାମ୍ନୀ ଦୃଷ୍ଟିବାଧିତ ମହିଳାଙ୍କ ଦେଢ଼ବର୍ଷର ଶିଶୁପୁତ୍ର ଚୋରି ହେବା ରାଜଧାନୀରେ ପିଲା ଚୋର ର଼୍ୟାକେଟ୍‌ର...

ଏଇ ଭାରତରେ

ଚୋର ବିଭିନ୍ନ ଜିନିଷ ଚୋରି କରିବା କଥା ସମସ୍ତେ ଶୁଣିଥିବେ। ହେଲେ ଚୋରି କରିଥିବା ଜିନିଷକୁ ଚୋର କେବେ ସେହି ସ୍ଥାନକୁ ଫେରାଇବାକୁ ଆସିବା କଥା...

ପୁରୁଷ ଆଇନ କେତେ ଜରୁରୀ

ପୁରୁଷଙ୍କ ପାଇଁ ସ୍ବତନ୍ତ୍ର କମିଶନ ଗଠନ କରିବାର ନିଷ୍ପତ୍ତି ନେବା ଏକ ଜଟିଳ ପ୍ରସଙ୍ଗ। କାରଣ ସମାଜର ଗୋଟିଏ ବର୍ଗ ଏହାର ଆବଶ୍ୟକତା ଥିବାର କହୁଥିବାବେଳେ...

ନୀତିଭ୍ରଷ୍ଟ ଶିକ୍ଷା ଓ ଛାତ୍ରୀଛାତ୍ର

ନିକଟ ଅତୀତରେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ଦୁଇଟି ଭିଡିଓ ବେଶ୍‌ ହୃଦୟସ୍ପର୍ଶୀ। ପ୍ରଥମଟି ଆନ୍ଧ୍ରପ୍ରଦେଶର ଗୋଟିଏ ସ୍କୁଲରେ ପ୍ରାର୍ଥନା ଚାଲିଥିବାବେଳେ ପ୍ରଧାନଶିକ୍ଷକ ନିଜେ କାନ...

ଭୁଲିବାନି ଯଶଓ୍ବନ୍ତଙ୍କୁ

ଗଣତନ୍ତ୍ରର ୩ ମୁଖ୍ୟ ସ୍ତମ୍ଭ ବିଧାନପାଳିକା, ନ୍ୟାୟପାଳିକା ଓ କାର୍ଯ୍ୟପାଳିକାର ସାମ୍ବିଧାନିକ କର୍ତ୍ତବ୍ୟ ପାଳନକୁ ନେଇ ସାଧାରଣରେ ଆଲୋଚନା ହୋଇଥାଏ। ଭାରତରେ ମଧ୍ୟ ସେହି ସ୍ଥିତି...

ଚାଇନାର ପ୍ରତିରୋଧ

ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଅନୁଯାୟୀ ସାରା ବିଶ୍ୱର ବାଣିଜ୍ୟ ମନ୍ତ୍ରଣାଳୟଗୁଡ଼ିକ ଆମେରିକାକୁ ସେମାନଙ୍କ ମାମଲା ସମ୍ପର୍କରେ ବିଚାର ପାଇଁ ନିବେଦନ କରିବାକୁ ଲାଇନ ଲଗାଉଛନ୍ତି। ଆମେ ସେମାନଙ୍କ...

ଏଇ ଭାରତରେ

କେରଳର ଆର୍‌. ବିଶ୍ୱନ ମହୁ ଚାଷକରି ବର୍ଷକୁ ୨୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ତାଙ୍କ ଫାର୍ମରେ ଏବେ ୬,୦୦୦ ମହୁ ବାକ୍ସ ଅଛି ଓ...

ଓଡ଼ିଶାର ବିକାଶ ଓ ଶ୍ରୀଜଗନ୍ନାଥ

ଗୋଟିଏ ରାଜ୍ୟର ବିକାଶ ବିବିଧ ଉତ୍ସ ଦ୍ୱାରା ହୋଇଥାଏ। ତନ୍ମଧ୍ୟରେ ପର୍ଯ୍ୟଟନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଓଡ଼ିଶା କଳା, ସଂସ୍କୃତି, ପ୍ରାକୃତିକ ପରିବେଶ ତଥା ଧାର୍ମିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image