କେନ୍ଦୁଝର,୨୫ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଘଟଗାଁ ରେଞ୍ଜ ଅଞ୍ଚଳରୁ ଶୁକ୍ରବାର ଏକ ପଥର ଖାଲରେ ଖସି ପଡ଼ିଥିବା ହାତୀ ଛୁଆକୁ ବନ ବିଭାଗ ଉଦ୍ଧାର କରିଥିଲା। ଉକ୍ତ ହାତୀ ଛୁଆର ମା’ ଓ ଅନ୍ୟ ହାତୀମାନେ ତାକୁ ଗ୍ରହଣ ନ କରିବାରୁ ବନ ବିଭାଗ ଆଣି ଆସି ଘଟଗାଁ ରେଞ୍ଜ ଅଫିସରେ ରଖି ସେଠାରୁ ସତନ୍ତ୍ର ବ୍ୟବସ୍ଥାରେ ନନ୍ଦନକାନନ ପଠାଇଛି। ତା’ର ନାମ ବନ ବିଭାଗ ଅଧିକାରୀମାନେ ‘ରାଜୁ’ ଦେଇଛନ୍ତି।
ନିୟମାନୁଯାୟୀ, ରବିବାର ହାତୀ ଛୁଆକୁ ତରଳ ପୁଷ୍ଟିକର ଖାଦ୍ୟ ଦିଆଯାଇ ପଠାଯାଇଛି। ହାତୀ ଛୁଆର ସ୍ବାସ୍ଥ୍ୟ ଭଲ ଅଛି ବୋଲି ଏସିଏଫ୍ ଅରୁଣ ଦାସ କହିଛନ୍ତି। ଛୁଆ ହାତୀଟି ଶୁକ୍ରବାର ଏକ ଦଳରେ ରେଳ ଲାଇନ ପାର ହୋଇ ବାରବାଙ୍କ ଜଙ୍ଗଲକୁ ଯାଇ ପଥର ଖୋଲରେ ପଡ଼ି ଫସିଯାଇଥିଲା। ଚିତ୍କାର ଶୁଣି ଗ୍ରାମବାସୀ ପହଞ୍ଚି ଦେଖି ବନ ବିଭାଗକୁ ଜଣାଇଥିଲେ। ହାତୀ ସ୍କ୍ବାଡ ଓ ଗ୍ରାମବାସୀ ମିଶି ଦଉଡ଼ି ଧରି ହାତୀଛୁଆକୁ ଉଦ୍ଧାର କରିଥିଲେ ହେଁ ତାକୁ ମଣିଷ ସ୍ପର୍ଶ କରିଥିବାରୁ ମା’ ହାତୀ ଓ ଦଳ ଗ୍ରହଣ କରି ନ ଥିଲେ। ଫଳରେ ଛୁଆ ଜୀବନ ପ୍ରତି ବିପଦ ଥିବାରୁ ବନ ବିଭାଗ ଉଦ୍ଧାର କରି ନନ୍ଦନକାନନ ପଠାଇଛି।