ଖବରକାଗଜରେ ନନ୍ଦିଘୋଷ ନିର୍ମାଣ

ବ୍ରହ୍ମପୁର,୨୦ା୬(ସ୍ମୃତି ରଞ୍ଜନ ମହାଲିକ୍‌): ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ଏକ ନିଆରା ପ୍ରୟାସରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ନିର୍ମାଣ କରିଛନ୍ତି। ଖବର କାଗଜରେ ସେ ୭ ଇଞ୍ଚ ଉଚ୍ଚତା, ୪.୫ ଇଞ୍ଚ ଓସାରର ଏହି ରଥ ତିଆରି କରିଛନ୍ତି। ୪୫ ଗ୍ରାମ ଓଜନର ଏହି ରଥରେ ପୁରୀ ନନ୍ଦିଘୋଷ ରଥ ଭଳି ୧୬ଟି ଚକ, ୪ଟି ଘୋଡା, ୨ଟି ଓଲଟ ଶୁଆ, ଦଧିନଉତି, ବାନା ଓ ସାରଥି ରହିଛନ୍ତି। ଏହି ରଥ ନିର୍ମାଣ କରିବାକୁ ୧ ଦିନ ସମୟ ଲାଗିଥିବା ସତ୍ୟ କହିଛନ୍ତି। ସତ୍ୟ ପୂର୍ବରୁ କାଠରେ ୧ ମିଲିମିଟର କ୍ଷୁଦ୍ର ରଥ କଳାକୃତି ନିର୍ମାଣ କରି ଏକ୍ସକ୍ଲୁସିଭ ୱାର୍ଲଡ ରେକର୍ଡ ଓ ୧ ସେଣ୍ଟିମିଟର ନନ୍ଦିଘୋଷ ରଥ ନିର୍ମାଣ କରି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି। ସତ୍ୟ ଅନ୍ୟାନ୍ୟ ସାମଗ୍ରୀରେ ମଧ୍ୟ ରଥ ପ୍ରସ୍ତୁତ କରି ଏସିଆ ବୁକ ଅଫ ରେକର୍ଡ, ନ୍ୟାଶନାଲ ବୁକ ଅଫ ରେକର୍ଡ, ଗ୍ଲୋବାଲ ବୁକ ଅଫ ରେକର୍ଡ, ୱାର୍ଲଡ ରେକର୍ଡ ସେକ୍ଟର ହାସଲ କରିଛନ୍ତି।
ଅନ୍ୟପକ୍ଷରେ ପାରଳା ମହାରାଜା ଯାନ୍ତ୍ରୀକ ମହାବିଦ୍ୟାଳୟର ବି-ଟେକ ପ୍ରଥମ ବର୍ଷ ଛାତ୍ରୀ ଆମ୍ବପୁଆର ମନିଷା କୁମାରୀ ପଣ୍ଡା ଖାଦ୍ୟଶସ୍ୟ ଓ ଅନ୍ୟାନ୍ୟ ସାମଗ୍ରୀରେ ୧୦୮ ଟି ଜଗନ୍ନାଥଙ୍କ ଆକୃତି ନିର୍ମାଣ କରିଛନ୍ତି। ସେ ଚାଉଳ, ଧାନ, ଗହମ, ବିରି ଡାଲି, ମାଣ୍ଡିଆ, ମୁଗ, ରାଶି, ହରଡ ଡାଲି, ଚଣା ଡାଲି, ବାଲି, ଗୋଡି, ମୟୁରପୁଚ୍ଛ, ଚାମୁଚ, ଟଙ୍କିକିଆ କଏନ, ଓସ୍ତ ପତ୍ର, ବୋତାମ, କାଗଜ, ମଲାଟ ଓ ସୋଲ, ଶାମୁକା, କାନଭାସ, ତୁଳସୀ ପତ୍ର, ଗୁଜୁରାତି, ହରିଡା, ଗୁଆ, ଦର୍ପଣ, ସିମ କାର୍ଡ ଓ ବୋତଲ ଠିପିରେ ଜଗନ୍ନାଥଙ୍କ ଆକୃତି ନିର୍ମାଣ କରିଛନ୍ତି। ଏସବୁକୁ ନିର୍ମାଣ କରିବାକୁ ୭ ଦିନ ସମୟ ଲାଗିଥିବା ମନିଷା କହିଛନ୍ତି। ସେହିପରି ଶ୍ରୀରାମନଗର ଜଗନ୍ନାଥ ବିହାର ୬ଷ୍ଠ ଲେନର ହରଗୋବିନ୍ଦ ମହାରଣା ହରିଡା, ବାହାଡା ଓ ଅଂଳାରେ ୩ ଠାକୁରଙ୍କ ରଥ ନିର୍ମାଣ କରିଛନ୍ତି। ସେ ନିର୍ମାଣ କରିଥିବା ନନ୍ଦିଘୋଷ ରଥର ଉଚ୍ଚତା ୨ ଇଞ୍ଚ, ତାଳଧ୍ୱଜ ରଥର ଉଚ୍ଚତା ୨ ଇଞ୍ଚ ଓ ଦେବଦଳନ ରଥର ଉଚ୍ଚତା ୧.୭୫ ଇଞ୍ଚ ରହିଛି। ଜଗନ୍ନାଥ ଓ ବଳଭଦ୍ରଙ୍କ ଉଚ୍ଚତା ୧ ସେଣ୍ଟି ମିଟରରୁ କମ ରହିଥିବା ବେଳେ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତିର ଉଚ୍ଚତା ୦.୭ ସେଣ୍ଟି ମିଟର ରହିଛି। ଏହାକୁ ନିର୍ମାଣ କରିବାକୁ ୧୫ରୁ ୧୬ ଦିନ ସମୟ ଲାଗିଥିବା ହରଗୋବିନ୍ଦ କହିଛନ୍ତି।

Share