Categories: ଜାତୀୟ

ନିର୍ବାଚନ ଫଳାଫଳ ପରେ ପଶ୍ଚିମବଙ୍ଗରେ ହିଂସା: ଏପର୍ଯ୍ୟନ୍ତ ଗଲାଣି ୪ ଜୀବନ

କୋଲକାତା, ୩।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳରେ ତୃଣମୂଳ କଂଗ୍ରେସ ଏକ ବଡ଼ ବିଜୟ ହାସଲ କରିଛି। ନିର୍ବାଚନରେ ଟିଏମ୍‌ସି ଭାଜପାକୁ ପରାସ୍ତ କରିଥିବା ସତ୍ତ୍ୱେ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସବୁଠାରୁ ହାଇପ୍ରୋଫାଇଲ୍‌ ଆସନ ଭାବରେ ବିବେଚନା କରାଯାଉଥିବା ନନ୍ଦିଗ୍ରାମରୁ ହାରିଯାଇଛନ୍ତି। ସେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ଶୁଭେନ୍ଦୁ ଅଧିକାରୀଙ୍କଠାରୁ ପରାସ୍ତ ହୋଇଛନ୍ତି। ଏଥିରେ ଉତ୍‌କ୍ଷିପ୍ତ ହୋଇଛନ୍ତି ମମତାଙ୍କ ସମର୍ଥକ। ସୋମବାର ସକାଳେ ନନ୍ଦିଗ୍ରାମର ଅନେକ ଘର ଓ ଦୋକାନରେ ଭଙ୍ଗାରୁଜା କରାଯାଇଥିଲା। କେବଳ ଏତିକି ନୁହେଁ, ଭାଜପା କାର୍ଯ୍ୟାଳୟକୁ ମଧ୍ୟ ଭଙ୍ଗାରୁଜା କରିବାକୁ ଉଦ୍ୟମ ହୋଇଥିଲା। ଟିଏମସି କର୍ମକର୍ତ୍ତା ଏଭଳି କରିଥିବା ଭାଜପା ଅଭିଯୋଗ କରିଛି। ଏହା ବ୍ୟତୀତ ଭାଜପା କର୍ମୀମାନେ ଅଭିଯୋଗ କରିଛନ୍ତି ଯେ, ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଟିଏମ୍‌ସି କର୍ମକର୍ତ୍ତାମାନେ ଦୌଡ଼ି ପଳାଇଥିଲେ। ଏହି ଘଟଣା ପରଠାରୁ ନନ୍ଦିଗ୍ରାମ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି। ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ଆସିବା ପରେ ଅନେକ ସ୍ଥାନରେ ହିଂସା ଦେଖାଦେଇଛି। ଏହି ହିଂସା ଘଟଣାରେ ପ୍ରାୟ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ଏହା ଦକ୍ଷିଣ ୨୩ ପରଗଣା ଏବଂ ନଦିଆରେ ଭାଜପା କାର୍ଯ୍ୟକର୍ତ୍ତା, ବର୍ଦ୍ଧମାନରେ ଟିଏମସି କାର୍ଯ୍ୟକର୍ତ୍ତା ଏବଂ ଉତ୍ତର ୨୪ ପରଗଣାରେ ଆଇଏସଏଫ କର୍ମୀ ନିଜ ଜୀବନ ହରାଇଛନ୍ତି।

Share