Categories: ଜାତୀୟ

ଚକିତ କରିପାରେ ନନ୍ଦିଗ୍ରାମ

କୋଲକାତା, ୩୦ା୪: ପଶ୍ଚିମବଙ୍ଗରେ ଗୁରୁବାର ୮ ପର୍ଯ୍ୟାୟ ବିଶିଷ୍ଟ ନିର୍ବାଚନ ସହ ‘ଖେଳ’ ଶେଷ ହୋଇଛି। ଚୂଡ଼ାନ୍ତ ଇନିଂସରେ ୭୬.୦୭% ମତଦାନ ହୋଇଛି। ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବହୁଚର୍ଚ୍ଚିତ ନନ୍ଦିଗ୍ରାମ ଆସନରେ ଏପ୍ରିଲ ୧ରେ ରେକର୍ଡ ସଂଖ୍ୟକ ୮୮% ମତଦାନ ହୋଇଥିଲା। ବିପୁଳ ମତଦାନ ହାରକୁ ଦେଖି କେତେକ ଗଣମାଧ୍ୟମ ସଂସ୍ଥା ଏହି ହାଇପ୍ରୋଫାଇଲ ସିଟ୍‌ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଚକିତ କରିଦେଇପାରେ ବୋଲି ମତ ଦେଇଛନ୍ତି।
ନନ୍ଦିଗ୍ରାମ ଯୁଦ୍ଧଭୂଇଁରେ ମମତାଙ୍କ ବିପକ୍ଷରେ ଥିଲେ ତାଙ୍କ ପୂର୍ବତନ ସେନାପତି ତଥା ଭାଜପା ନେତା ଶୁଭେନ୍ଦୁ ଅଧିକାରୀ। ମମତା ନିଜ ଭବାନୀପୁର ଆସନ ଛାଡ଼ି ନନ୍ଦିଗ୍ରାମ ମଇଦାନକୁ ଆସିଥିବାରୁ ଶୁଭେନ୍ଦୁ ଏଠାରେ ତାଙ୍କୁ କଡ଼ା ଟକ୍କର ଦେଇଥିବା କୁହାଯାଉଛି। ଏହି ନିର୍ବାଚନମଣ୍ଡଳୀର ୭୦% ମତଦାତା ହିନ୍ଦୁ। ସ୍ଥାନୀୟ ବିଧାୟକ ଶୁଭେନ୍ଦୁ ଓ ତାଙ୍କ ସପକ୍ଷରେ ପ୍ରଚାର କରିବାକୁ ଆସିଥିବା ଭାଜପାର କେନ୍ଦ୍ରୀୟ ନେତାମାନେ ଏଠାରେ ହିନ୍ଦୁତ୍ୱ କାର୍ଡ ଖେଳି ମମତାଙ୍କୁ ପଛରେ ପକାଇବାକୁ ଉଦ୍ୟମ କରିଛନ୍ତି। ତେଣୁ ଦିଦିଙ୍କୁ ନନ୍ଦିଗ୍ରାମରେ ପରାଜୟର ମୁହଁ ଦେଖିବାକୁ ପଡ଼ିପାରେ ବୋଲି ଇଣ୍ଡିଆ ଟିଭି ଭବିଷ୍ୟବାଣୀ କରିଛି।

Share