ସାରସ୍ବତ ସୃଷ୍ଟିରେ ନନ୍ଦିନୀ ଶତପଥୀଙ୍କ ଭୂମିକା ଅତୁଳନୀୟ

ଭୁବନେଶ୍ୱର, ୫।୮ (ଶର୍ମିଷ୍ଠା ପାଣିଗ୍ରାହୀ):ଓଡ଼ିଶାରେ ମହିଳା ସଶକ୍ତୀକରଣ ପାଇଁ ପ୍ରଥମ ଓ ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଦୃଢ଼ ପଦକ୍ଷେପ ନେଇଥିଲେ। ମା’ମାନେ ଯେତେବେଳେ ହାଣ୍ଡିଶାଳରୁ ବାହାରୁ ନ ଥିଲେ, ସେତେବେଳେ ନନ୍ଦିନୀ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରୁ ଆନ୍ଦୋଳନ ଆରମ୍ଭ କରିଥିଲେ। ତାଙ୍କ ପରିଚୟ ଦେବାବେଳେ ଅନେକେ ତାଙ୍କୁ ରାଜନୀତି ମଧ୍ୟରେ ସୀମିତ ରଖନ୍ତି। ମାତ୍ର ସାରସ୍ବତ ସୃଷ୍ଟି କ୍ଷେତ୍ରରେ ତାଙ୍କର ଭୂମିକା ଅତୁଳନୀୟ ଥିଲା। ଜଣେ ଲେଖିକା ଭାବେ ସମାଜର ସ୍ବରକୁ ସେ ତାଙ୍କ ଲେଖାରେ ଶାଣିତ କରୁଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ରବିବାର ରାଜଭବନ ନିକଟ ପ୍ରତିମୂର୍ତ୍ତିସ୍ଥଳରେ ବିଶିଷ୍ଟ ସାରସ୍ବତ ସାଧିକା ତଥା ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଅଷ୍ଟାଦଶ ବାର୍ଷିକ ପୁଣ୍ୟତିଥି ଅନୁଷ୍ଠିତ ହୋଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପୂଜ୍ୟପୂଜା ଅଧିକାରୀ ଲକ୍ଷ୍ମୀଧର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରି କହିଲେ, ଆଜିଠୁ ମାଲ୍ୟାର୍ପଣ ସମୟରେ ଫୁଲମାଳ ନୁହେଁ, ବସ୍ତ୍ର ଅର୍ପଣ କରାଯିବ। ଆଗାମୀ ଦିନରେ ଯେଉଁ ବରପୁତ୍ରଙ୍କ ଜୟନ୍ତୀ ପାଳନ ହେବ, ତାଙ୍କ ପ୍ରତିମୂର୍ତ୍ତିରେ ବସ୍ତ୍ର ପ୍ରଦାନ କରାଯିବ। କାର୍ଯ୍ୟକ୍ରମରେ ଗାୟକ ଆହ୍ଲାଦ ସୁରେନ୍ଦ୍ର ନାଥ ଛୋଟରାୟ ବନ୍ଦନା ଗାନ କରିଥିଲେ। ସେହିପରି ଉତ୍କଳ ସମ୍ମିଳନୀ, ଜୟ ଓଡ଼ିଶା, ବିଜେଡି ସାଂସ୍କୃତିକ ସମନ୍ବୟ ସାମ୍ମୁଖ୍ୟ ପକ୍ଷରୁ ମଧ୍ୟ ନନ୍ଦିନୀ ଶତପଥୀଙ୍କ ଶ୍ରାଦ୍ଧ ଦିବସ ଅବସରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରା, ପ୍ରାଧ୍ୟାପକ ଡ. ରଙ୍ଗାଧର ସାହୁ, ରମେଶ ଚନ୍ଦ୍ର ପାତାଳସିଂହ, ବିଜେଡି ସାଂସ୍କୃତିକ ସମନ୍ବୟ ସାମ୍ମୁଖ୍ୟର ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି, ଅଶ୍ବିନୀ ପଟ୍ଟନାୟକ, ଅମିତ୍‌ ପାତାଳସିଂହ, ବିଜୟ ସାହୁ, ସମାଜସେବୀ ପଣ୍ଡିତ ଗିରିଜା ଶଙ୍କର ମହାପାତ୍ର, ଉତ୍କଳ ସମ୍ମିଳନୀ ମଞ୍ଚେଶ୍ୱର ଶାଖା ସଭାପତି ଦିଲୀପ ଦାଶଶର୍ମାଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଓ ଧରିତ୍ରୀ ପରିବାରର ସଦସ୍ୟମାନେ ଯୋଗଦେଇଥିଲେ।

Share