ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ନରସିଂହ

ଭୁବନେଶ୍ୱର,୧୬।୩(ବ୍ୟୁରୋ): ଧାନକିଣା ଓ ଭାଜପା ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗକୁ ନେଇ ଗତ ୩ ଦିନ ଧରି ବିଧାନସଭା ଅଚଳ ହୋଇଛି। ଏହି ଅଚଳାବସ୍ଥା ଦୂର କରିବାକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏନେଇ ସେ ସୋମବାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ନରସିଂହ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟରେ ମଣ୍ଡି ଓ ଧାନକିଣା ଅବ୍ୟବସ୍ଥାକୁ ନେଇ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭରୁ ଅଚଳାବସ୍ଥା ସୃଷ୍ଟି ହୋଇଛି। ସମସ୍ତ ପ୍ରକୃତ ଚାଷୀଙ୍କଠାରୁ ଧାନ ସଂଗ୍ରହ କରିବାକୁ କଂଗ୍ରେସ ଦଳ ଦାବି କରିଆସୁଛି। ରାଜ୍ୟ ସରକାର ମଧ୍ୟ ସମସ୍ତ ଚାଷୀଙ୍କଠାରୁ ଧାନ କିଣିବାକୁ ୨୦୨୧ ଫେବୃୟାରୀ ୨୬ରେ ଗୃହକୁ ପ୍ରତିଶ୍ରୁତି ଦେଇଥିଲେ। ବେନାମୀ ଚାଷୀ ଓ ଦୁର୍ନୀତିରେ ଜଡ଼ିତ ଥିବା ସରକାରୀ ଅଧିକାରୀଙ୍କ ବିରୋଧରେ ଫୌଜଦାରି ମକଦ୍ଦମା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଗୃହରେ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ ନ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଧାନକିଣାକୁ ନେଇ ଜଣେ ବିଧାୟକ ଗୃହରେ ସାନିଟାଇଜର ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ସମ୍ପୃକ୍ତ ବିଧାୟକଙ୍କୁ କ୍ଷମା ମାଗିବା ଦାବିରେ ଶାସକ ଦଳ ଗୃହରେ ହଟ୍ଟଗୋଳ କରୁଛନ୍ତି। ଫଳରେ ଚାଷୀଙ୍କ ସମସ୍ୟା ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ନ ହୋଇ ଅଣଦେଖା ହେଉଛି। ଗୃହର ନେତା ଭାବେ ରାଜ୍ୟର ସ୍ବାର୍ଥ ପାଇଁ ବିଧାନସଭାରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବାକୁ ସର୍ବଦଳୀୟ ବୈଠକ ଡାକିବାକୁ ନରସିଂହ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Share