ନୃସିଂହନାଥ ବୈଶାଖ ମେଳା ପ୍ରସ୍ତୁତି ଶେଷ

ପାଇକମାଳ,୩୦।୪(ଡି.ଏନ.ଏ.): ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ପାଇକମାଳର ନୃସିଂହନାଥ ପୀଠରେ ସୋମବାରଠାରୁ ବୈଶାଖ ମେଳା ଆରମ୍ଭ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ତଥା ବୈଶାଖ ମେଳା ପାଇଁ ନୃସିଂହନାଥ ପୀଠ ଚଳଚଞ୍ଚଳ ହୋଇପଡିଛି । ପ୍ରଶାସନ ତଥା ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଚାଳଧାରରେ ବାଉଁଶରେ ତିଆରି ସ୍ବତନ୍ତ୍ର ଅସ୍ଥାୟୀ ରାସ୍ତା ନିର୍ମାଣ କାମ ଶେଷ ହୋଇଛି। ୫ ତାରିଖ ପର୍ଯ୍ୟନ୍ତ ନୃସିଂହନାଥ ପୀଠରେ ବୈଶାଖ ମେଳା ଅନୁଷ୍ଠିତ ହେବ। ପ୍ରଥମ ଦିନ ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ କଳସ ଯାତ୍ରା, ମହାଯଜ୍ଞ ଆରମ୍ଭ ଓ ବୀଜମନ୍ତ୍ର ଜପ କରାଯିବ। ଗୁରୁବାର ନୃସିଂହନାଥ ମହାପ୍ରଭୁ ମାର୍ଜାର କେଶରୀଙ୍କ ଜନ୍ମ ଉତ୍ସବ ପାଳନ କାର୍ଯ୍ୟକ୍ରମ ରହିଛି ଓ କନ୍ଦ ସମାଜ ଦ୍ବାରା ନୃସିଂହ ମହାପ୍ରଭୁଙ୍କୁ ପିତାକନ୍ଦା ଭୋଗ ଅର୍ପଣ ଏବଂ ଧ୍ବଜାବନ୍ଧନ କରଯିବ। ଶୁକ୍ରବାର ବିଶ୍ବଶାନ୍ତି ମହାଯଜ୍ଞ ପୂର୍ଣ୍ଣାହୂତି ହେବ। ୩ରୁ ୫ ତାରିଖ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ସୂଚନା ଦେଇଛନ୍ତି। ଏଥିସହ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ସେ ଜଣାଇଛନ୍ତି।

Share