ପିଲାଟିଦିନରୁ ପାରମ୍ପରିକ ନୃତ୍ୟଗୀତରେ ଅଭିନୟ କରିବାର ରୁଚି ଥିଲା। ପରେ ନ୍ୟାଶନାଲ ସ୍କୁଲ ଅଫ୍ ଡ୍ରାମାରେ ସ୍କଲାରଶିପ୍ ପାଇ ପାଠ ପଢ଼ିଲେ। ‘ଅନ୍ବେଷଣ’ ନାମକ ଏକ ନାଟ୍ୟ ଅନୁଷ୍ଠାନ ପ୍ରତିଷ୍ଠା କରି ବହୁ କଳାକାରଙ୍କୁ ନାଟ୍ୟଶିକ୍ଷାରେ ତାଲିମ ଦେଲେ। ଜଣେ ସଫଳ ନାଟ୍ୟକାର, ସଂଳାପକାର, ଅଭିନେତା, ନିର୍ଦ୍ଦେଶକ, ପ୍ରଶିକ୍ଷକ ଓ ସିନେମା ନିର୍ମାତା ଭାବେ ପରିଚୟ ସୃଷ୍ଟି କଲେ। ସେ ହେଲେ ନାରାୟଣ ପତି। ଦୂରଦର୍ଶନରେ ତାଙ୍କ ଦ୍ୱାରା ପ୍ରାୟୋଜିତ ପ୍ରଥମ ଓଡ଼ିଆ ଧାରାବାହିକ ‘ପଥର ପଡ଼ିଲେ ସହି’ ଏବଂ ‘ଟୋକେଇ’ ଖୁବ୍ ଲୋକପ୍ରିୟତା ହାସଲ କରିଥିଲା। ଓଡ଼ିଆ ସିନେମା ‘ଲକ୍ଷେ ଶିବ ପୂଜି ପାଇଛି ପୁଅ’ରେ ତାଙ୍କର ଅଭିନୟ ବେଶ୍ ମନଛୁଆଁ ହୋଇଥିଲା।
ନାରାୟଣ ପତିଙ୍କ ଜନ୍ମ ୧୩ ଏପ୍ରିଲ, ୧୯୫୩ ମସିହାରେ। ମାତା ଚାରୁଲତା ପତି ଏବଂ ପିତା ବଳରାମ ପତି। ଘର ଯାଜପୁର ଟାଉନର ପ୍ରୀତିପୁର ଗାଁରେ। ସେ କୁହନ୍ତି, ‘ମୋ ବାପା ଥିଲେ ଜଣେ ସ୍ବାଧୀନତା ସଂଗ୍ରାମୀ। ସେ ସେତେବେଳେ ବ୍ରିଟିଶ ସରକାରଙ୍କଠାରୁ ସ୍କଲାରଶିପ ପାଇ ରେଭେନ୍ସ୍ା କଲେଜିଏଟ ସ୍କୁଲରେ ପଢୁଥିଲେ। ଶେଷବର୍ଷ ପଢ଼ା ଅଧାରୁ ଛାଡ଼ି ଗାନ୍ଧିଜୀଙ୍କ ସାଥିରେ ଯୋଗଦେଇଥିଲେ। ଘରେ ଆମେ ଦୁଇଭାଇ ଓ ୫ ଭଉଣୀ। ମୋର ପ୍ରୀତିପୁର ପ୍ରାଥମିକ ସ୍କୁଲରେ ପାଠପଢ଼ା ଆରମ୍ଭ ହୋଇଥିଲା। ପିଲାଟିଦିନରୁ ପାଲାକୁ ଭାରି ଭଲ ପାଉଥିଲି। କଲେଜ ପଢା ସରିବା ପରେ ଅଭିନୟରେ ଅଧିକ ସୁଯୋଗ ଆଶାରେ ୧୯୭୫ରେ କଟକ ଆସିଲି। ଏଠାରେ ପ୍ରଫେସର କାର୍ତ୍ତିକ ରଥଙ୍କ ନାଟକ ଗ୍ରୁପ୍ ଏବଂ ଜନତା ରଙ୍ଗମଞ୍ଚରେ ଅଭିନୟ କଲି। ଏଇଠି ଆସି ଜାଣିଲି ଅଭିନୟ ପାଇଁ ପାଠ ପଢା ହୁଏ। ତେଣୁ ମୁଁ ବି ସଙ୍ଗୀତ ମହାବିଦ୍ୟାଳୟରେ ୨ ବର୍ଷୀୟା ଆକ୍ଟିଂ କୋର୍ସରେ ନାମ ଲେଖାଇଲି। ପ୍ରଥମ ବର୍ଷ ପରେ ଯେଉଁ ଦ୍ୱିତୀୟ ବର୍ଷକୁ ଯିବା କଥା ତାହା ମୋର ହେଲାନାହିଁ। କାରଣ ମୋତେ ଫେଲ୍ କରିଦେଲେ। ତା’ପରେ ନ୍ୟାଶନାଲ ସ୍କୁଲ ଅଫ୍ ଡ୍ରାମାରେ ଯାଇ ପଢ଼ିଲି। ସେଠାରେ ସର୍ବଭାରତୀୟ ସ୍ତରରେ ୬ଷ୍ଠ ସ୍ଥାନ ରଖି ସ୍କଲାରଶିପ୍ ପାଇଲି। ସେବେଠାରୁ ବିଧିବଦ୍ଧଭାବେ ନାଟକରେ ଅଭିନୟ କରିଚାଲିଲି। ୧୯୮୨ରେ ‘ଅନ୍ବେଷଣ’ ନାମକ ଏକ ନାଟ୍ୟାନୁଷ୍ଠାନ ଗଢ଼ିଥିଲି। ୧୯୮୫ମସିହାରେ କେନ୍ଦ୍ର ସଙ୍ଗୀତନାଟକ ଏକାଡେମୀ କୋଲ୍କାତାର ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ନାଟକ ମହୋତ୍ସବରେ ‘ଅନ୍ବେଷଣ’ କଳାକାରମାନଙ୍କ ଦ୍ୱାରା ‘ମୁକ୍ତିପଥ’ ନାଟକ ପରିବେଷଣ କରି ବହୁ ପ୍ରଶଂସିତ ହୋଇଥିଲୁ। ଇଷ୍ଟର୍ନ ଜୋନ୍ର ପ୍ରାୟ ୬ଟି ରାଜ୍ୟ ମଧ୍ୟରେ ଆମ ଅନ୍ବେଷଣର ନାଟକ ‘ମୁକ୍ତିପଥ’ ଦିଲ୍ଲୀ ଯିବାକୁ ମନୋନୀତ ହୋଇଥିଲା। ସମୟକ୍ରମେ ଏକାଧିକ ନାଟକ ମଞ୍ଚସ୍ଥ କଲୁ। ତେବେ କଳା ହେଉଛି ନିଃସ୍ବାର୍ଥପର ସେବା। ଯଦି ଜଣେ କଳାକାର ନିଜ ସ୍ବାର୍ଥ ପାଇଁ ପ୍ରଚାର କରେ, ତେବେ ଏଥିରେ କଳାର ପ୍ରକୃତ ରୂପ ସାଧିତ ହୁଏନାହିଁ ବରଂ ତାହା ବିକଳାଙ୍ଗ ହୁଏ। ଆଜିକାଲି ସମସ୍ତେ ଚାହାନ୍ତି କିପରି ସହଜରେ ସବୁକିଛି ମିଳିଯାଉ। କଳା ସାଧନା ଲାଗି ଅନେକେ କଷ୍ଟ କରିବାକୁ ପସନ୍ଦ କରୁନାହାନ୍ତି। ମୋର ମନେ ଅଛି ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଡାକମୁନ୍ସୀ ଗଳ୍ପକୁ ନାଟକ ଭାବେ ଶିଖିବାକୁ ପ୍ରାୟ ୮ମାସ ସମୟ ଲାଗିଥିଲା। ତେବେ କଳାକାରଙ୍କ ଉନ୍ନତ ଚିନ୍ତାଧାରା ହିଁ କଳାକୁ ବିକଶିତ କରିଥାଏ। ସେହିପରି ମୋର ଆଉ ଏକ ଚଳଚ୍ଚିତ୍ର ‘ବୋଉର ହାତବାକ୍ସ’ରେ ଓଡ଼ିଆର ମୌଳିକତା ରହିଥିବାରୁ ତାହା ବେଶ୍ ହୃଦୟସ୍ପର୍ଶୀ ହୋଇପାରିଛି। ସୁଦୂର ଲଣ୍ଡନରେ ଏହା ଖୁବ୍ ଲୋକପ୍ରିୟତା ହାସଲ କରିଛି। ଆଉ ଗୋଟିଏ କଥା ମନେପଡ଼ୁଛି ୧୯୮୩ ମସିହାର ଘଟଣା। ସେତେବେଳେ ଓଡ଼ିଶାରେ ଟାଉନ୍ ବସ୍ର ଭଡ଼ା ବଢ଼ିଯିବାରୁ ଭୁବନେଶ୍ୱରର କେତେକ ଛକ ସ୍ଥାନରେ ‘ପ୍ରତିବାଦ’ ନାମକ ଏକ ନାଟକ ପରିବେଷଣ କରିଥିଲୁ। ପୁଣି ସେତେବେଳେ ପାରାଦୀପରେ ଶ୍ରମିକଙ୍କ ଗଣହତ୍ୟାକୁ ନେଇ ପଥପ୍ରାନ୍ତ ନାଟକ ‘ଗଣହତ୍ୟା’ ଚହଳ ସୃଷ୍ଟି କରିଥିଲା। ଏଥିରେ ଯେଉଁ କଳାକାର ପୋଲିସ ଅଭିନୟ କରୁଥିଲେ, ତାଙ୍କୁ ସତ ପୋଲିସ ଭାବି ଜଣେ ଦର୍ଶକ ତାଙ୍କ ଉପରକୁ ପଥର ଧରି ଫୋପାଡିବାକୁ ଉଦ୍ୟମ କରୁଥିବାର ଜାଣିପାରି ସେଠାରେ ତାଙ୍କୁ ବୁଝାଇଥିଲି ଯେ ଏଠି ନାଟକ ହେଉଛି। ସେମାନେ ସବୁ କଳାକାର, ସତ ପୋଲିସ ନୁହନ୍ତି।
ମୋ ମତରେ କଳା ହେଉଛି ଏକ ଦୁଇଧାରିଆ ଖଣ୍ଡା! କଳା ମଣିଷକୁ ମଣିଷ କରିପାରେ ଏବଂ ଅମଣିଷ ବି କରିପାରେ।
-ବନବିହାରୀ ବେହେରା