ନିର୍ଦ୍ୱନ୍ଦ୍ୱରେ ବିଜୟୀ ହେଲେ ନାରାୟଣ

ବାଲେଶ୍ୱର ଅଫିସ,୧୪ା୩: ବାଲେଶ୍ୱର ଜିଲାରେ ୨୯ନଂ. ଜୋନ୍‌ରୁ ନିର୍ବାଚିତ ଜିଲା ପରିଷଦ ସଦସ୍ୟ ତଥା ବିଜେଡି ପ୍ରାର୍ଥୀ ନାରାୟଣ ପ୍ରଧାନ ନିର୍ଦ୍ୱନ୍ଦ୍ୱରେ ଜିଲାପରିଷଦ ସଭାପତି ଭାବେ ବିଜୟଲାଭ କରିଛନ୍ତି। ସଭାପତିଙ୍କ ସମେତ ସମସ୍ତ ଜିଲାପରିଷଦ ସଦସ୍ୟାସଦସ୍ୟଙ୍କୁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସ୍ବାଗତ ଜଣାଇ ଶପଥପାଠ କରାଇଛନ୍ତି।
ସ୍ଥାନୀୟ ଜିଲା ପରିଷଦ ସଭାଗୃହରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଜିଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିସହିତ ଷଷ୍ଠ ଜିଲା ପରିଷଦର ପ୍ରଥମ ବୈଠକ ଆୟୋଜିତ ହୋଇ ଜିଲା ପରିଷଦ ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ରବିବାର ପୂର୍ବାହ୍ନ ୧୦ଟା ୩୦ମିନିଟ୍‌ରୁ ୧୧ଟା ୩୦ମିନିଟ୍‌ ମଧ୍ୟରେ ମନୋନୟନ ପତ୍ର ଦାଖଲ ପାଇଁ ସମୟ ସ୍ଥିରୀକୃତ ହୋଇଥିଲା। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କେବଳ ବାଲେଶ୍ୱର ଜିଲା ୨୯ନଂ. ଜୋନ୍‌ରୁ ନିର୍ବାଚିତ ଜିଲାପରିଷଦ ସଦସ୍ୟ ନିଜ ପ୍ରାର୍ଥତ୍ପତ୍ର ନିର୍ବାଚନ ଅଧିକାରୀ, ବାଲେଶ୍ୱର ଉପଜିଲାପାଳଙ୍କ ନିକଟରେ ଦାଖଲ କରିଥିଲେ। ଯାଞ୍ଚ ପରେ ତାହା କାଏମ୍‌ ରହିଥିଲା। ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପାଇଁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସମୟ ରହିଥିବା ବେଳେ ଜଣେ ମାତ୍ର ପ୍ରାର୍ଥୀ ରହିଥିବାରୁ ଭୋଟଗ୍ରହଣ ଆବଶ୍ୟକ ପଡ଼ି ନ ଥିଲା। ନିର୍ବାଚନ ଅଧିକାରୀ ବାଲେଶ୍ୱର ଉପଜିଲାପାଳ ଆଶିଷ ଈଶ୍ୱର ପାଟିଲ ଜିଲା ପରିଷଦ ସଭାପତି ଭାବେ ନାରାୟଣ ପ୍ରଧାନ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଘୋଷଣା କରିଥିଲେ ା ଏହା ପରେ ପ୍ରଧାନ ଜିଲା ପରିଷଦ ସଭାପତି ଭାବେ ଆନୁଷ୍ଠାନିକ ଶପଥ ଗ୍ରହଣ କରିଥିଲେ। ଜିଲାପାଳ ଚକ୍ରବର୍ତ୍ତୀ ତାଙ୍କୁ ଶପଥପାଠ କରାଇଥିଲେ। ବୈଠକରେ ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁ, ଜିଲା ପଞ୍ଚାୟତ ଅଧିକାରୀ ରବିଚନ୍ଦ୍ର କହଁରଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ନିର୍ବାଚନ ପରିଚାଳନାରେ ସହଯୋଗ କରିଥିଲେ।