Categories: ଜାତୀୟ

ଜେଲରୁ ମୁକୁଳିଲେ ନାର୍କୋଟିକ୍‌ କୁଇନ୍‌

ଓ୍ବାଶିଂଟନ୍‌,୧୪ା୯: ମେକ୍ସିକୋର ଡ୍ରଗ୍‌ ଲର୍ଡ ଜୋଆକ୍ୱିନ୍‌ ‘ଏଲ୍‌ ଚାପୋ’ ଗୁଜ୍‌ମ୍ୟାନ୍‌ଙ୍କ ସ୍ତ୍ରୀ ଏମ୍ମା କୋରୋନେଲ ଏଇସ୍ପୁରୋଙ୍କୁ ବୁଧବାର ଲସ୍‌ ଆଞ୍ଜେଲେସ୍‌ ଜେଲରୁ ମୁକ୍ତ କରାଯାଇଥିବା ଆମେରିକାର ବ୍ୟୁରୋ ଅଫ୍‌ ପ୍ରିଜନ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଆମେରିକାରେ ଜନ୍ମିତ ୩୪ ବର୍ଷୀୟା ଏମ୍ମାଙ୍କୁ ସ୍ବାମୀଙ୍କ ନାର୍କୋଟିକ୍‌ ସାମ୍ରାଜ୍ୟ ସିନାଲୋଆ କାର୍ଟେଲକୁ ଡ୍ରଗ୍‌ ଚାଲାଣରେ ସହଯୋଗ କରିବା ଅଭିଯୋଗରେ ୨୦୨୧ରେ ଗିରଫ କରାଯାଇଥିଲା। ଏହି ମାମଲାରେ ସେହିବର୍ଷ ନଭେମ୍ବରରେ ନାର୍କୋଟିକ୍‌ କୁଇନ୍‌ଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଥିଲା। ଉକ୍ତ କାର୍ଟେଲକୁ ଚଳାଉଥିବା ଗୁଜ୍‌ମ୍ୟାନ୍‌ ଏବଂ ଅନ୍ୟ ସଙ୍ଗଠନଗୁଡ଼ିକର ସଦସ୍ୟମାନଙ୍କ ମଧ୍ୟରେ ସେ ମାଧ୍ୟମ ପାଲଟିଥିବା ବିଷୟ ସ୍ବୀକାର କରିଥିଲେ। ୨୦୧୪ରେ ଗୁଜ୍‌ମ୍ୟାନ୍‌ଙ୍କୁ ଗିରଫ କରାଯାଇଥିଲା। ତେବେ ସେ ମେକ୍ସିକୋ ଜେଲରୁ ୨ ଥର ଖସି ପଳାଇବାରେ ସକ୍ଷମ ହୋଇଥିଲେ। ୨୦୧୯ରେ ଗୁଜ୍‌ମ୍ୟାନ୍‌ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡାଦେଶ ପାଇବା ପରେ ଆମେରିକାର କଲରୋଡୋସ୍ଥିତ ସୁପାମାକ୍ସ ଜେଲରେ କଡ଼ା ସୁରକ୍ଷା ବଳୟରେ ଅଛନ୍ତି।

Share