ବ୍ରାହ୍ମଣୀରେ ମିଶୁଛି ନର୍ଦ୍ଦମା ପାଣି

ରାଉରକେଲା ଅଫିସ,୧୪ା୫: ରାଉରକେଲାର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ ନଦୀ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି। ସହରର ଅଧିକାଂଶ ପ୍ରତିଷ୍ଠାନ ଖୋଲାଖୋଲି ଭାବେ ନଦୀକୁ ନର୍ଦ୍ଦମା ପାଣି ଛାଡୁଛନ୍ତି। ଏ ନେଇ ସରକାରୀ ସ୍ତରରେ କୌଣସି କଟକଣା ଜାରି କରାଯାଉ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଛି।
ରାଉରକେଲା ଦେଇ କେଉଁ ଆବହମାନ କାଳରୁ ବ୍ରାହ୍ମଣୀ ନଦୀ ପ୍ରବାହିତ ହେଉଛି। ନଦୀର ଅନେକ ଐତିହାସିକ କିମ୍ବଦନ୍ତୀ ମଧ୍ୟ ରହିଛି। ମାତ୍ର ସହରରେ କ୍ରମବର୍ଦ୍ଧିଷ୍ଣୁ ପ୍ରତିଷ୍ଠାନ ଓ ଶିଳ୍ପ ସଂସ୍ଥା ଗୁଡିକ ସେମାନଙ୍କ ନର୍ଦ୍ଦମା ପାଣି ସିଧାସଳଖ ନଦୀକୁ ଛାଡୁଥିବାରୁ ନଦୀଜଳ ବିଷାକ୍ତ ହେବାରେ ଲାଗିଛି। ଏଥିଯୋଗୁ ଜଳଜୀବ ଓ ସ୍ଥାନୀୟ ଲୋକଙ୍କ ଉପରେ ଏହାର କୁପ୍ରଭାବ ପଡୁଛି। ସହରରେ ସ୍ବିରେଜ ସିଷ୍ଟମ ଓ ଓପନ ଡ୍ରେନେଜ ମାଧ୍ୟମରେ ନର୍ଦ୍ଦମା ପାଣି ବ୍ରାହ୍ମଣୀକୁ ନିଷ୍କାସିତ ହେଉଛି। ସ୍ବିରେଜ ସିଷ୍ଟମରେ ସିଭିଲଟାଉନଶିପ୍‌, ଛେଣ୍ଡ ଓ ପାନପୋଷ ଅଞ୍ଚଳର ମଇଳା ପାଣିକୁ ବାଲୁଘାଟ ସ୍ଥିତ ୪୦ମିଲିୟନ ଲିଟର କ୍ଷମତା ବିଶିଷ୍ଟ ସ୍ବିରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଏସଟିପି)ରେ ବିଶୋଧନ କରି ବ୍ରାହ୍ମଣୀକୁ ନିଷ୍କାସିତ କରାଯାଉଛି। କିନ୍ତୁ ସିଭିଲ ଟାଉନଶିପ୍‌ରୁ ବାଲୁଘାଟ ତରେକେରା ଯାଏ ଯାଇଥିବା ଓପନ ଡ୍ରେନ୍‌ର ପାଣି ବିନା ଟ୍ରିଟମେଣ୍ଟରେ ନଦୀକୁ ଯାଉଛି। ସ୍ବିରେଜ ପାଇପରେ କମ୍‌ ମାତ୍ରାରେ ଅଳିଆ ପାଣି ଯାଉଥିବା ବେଳେ ଓପନ ଡ୍ରେନ୍‌ରେ ବିପୁଳ ମାତ୍ରାରେ ନର୍ଦ୍ଦମା ପାଣି ନଦୀରେ ମିଶୁଛି। ଏ ସମ୍ପର୍କରେ ରାଉରକେଲା ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ଯନ୍ତ୍ରୀ ରମଣୀ ରଞ୍ଜନ ଦାଶଙ୍କୁ ପଚାରିବାରୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ବିନା ଅନୁମୋଦନରେ ଏଭଳି ସୂଚନା ପ୍ରଦାନ କରିହେବ ନାହିଁ ବୋଲି ସେ କହିଥିଲେ। ସେହିପରି ରାଉରକେଲା ସ୍ବରେଜ ବିଭାଗ ଜେନେରାଲ ମ୍ୟାନେଜର ଡାକୁଆ ବାବୁଙ୍କୁ ପଚାରିବାରୁ ସେ କହିଲେ, ପାଇପ୍‌ ଯୋଗେ ସିଭିଲ ଟାଉନସିପ୍‌, ଛେଣ୍ଡ ଓ ପାନପୋଷ ଅଞ୍ଚଳର ମଇଳା ପାଣି ଟ୍ରିଟମେଣ୍ଟ ପ୍ଲାଣ୍ଟରେ ବିଶୋଧନ କରି ନଦୀକୁ ଛଡାଯାଉଛି। ତେବେ ଓପନ ଡ୍ରେନରେ ଅତ୍ୟଧିକ ପାଣି ନିଷ୍କାସିତ ହେଉଛି ବୋଲି ସେ କହିଥିଲେ। ତେବେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଉପରେ ପ୍ରଶାସନ ପକ୍ଷରୁ ବିଶଦ ଆଲୋଚନା କରାଯିବ ବୋଲି ଆର୍‌ଏମ୍‌ସି ଡେପୁଟି କମିଶନର ସୁଂଧାଶୁ ଭୋଇ କହିଛନ୍ତି।