ନୂଆଦିଲ୍ଲୀ,୨୧।୯: ଆଖଡ଼ା ପରିଷଦର ଅଧ୍ୟକ୍ଷ ନରେନ୍ଦ୍ର ଗିରିଙ୍କ ମୃତ୍ୟୁରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସୋମବାର ରାତିରେ ହରିଦ୍ୱାରରୁ ନରେନ୍ଦ୍ର ଗିରିଙ୍କ ଶିଷ୍ୟ ଆନନ୍ଦ ଗିରିଙ୍କୁ ଗିରଫ କରାଯାଇଛି। ଏହାସହ ଅଧିକ ତଦନ୍ତ କରାଯିବ ବୋଲି କହିଛନ୍ତି। ମୃତ ନରେନ୍ଦ୍ର ଗିରିଙ୍କ ଏକ ଭିଡିଓକୁ ନେଇ ଅଧିକ ଯାଞ୍ଚ କରାଯିବ। ସେହି ଭିଡିଓରେ ଆନନ୍ଦ ଗିରି ଠକାମି ଅଭିଯୋଗରେ ତଡ଼ା ଖାଇଥିବା ଜଣାପଡ଼ିଛି। ପରେ ସମାଧାନ ହେବାପରେ ମହନ୍ତ ତାଙ୍କୁ କ୍ଷମା କରିଥିଲେ। କିନ୍ତୁ ଭିଡିଓଟି କିଛି ସମୟର ବୋଲି ପୋଲିସ କହିଛି।
ସୂଚନା ଅନୁସାରେ, ସୋମବାର ନରେନ୍ଦ୍ର ଗିରିଙ୍କ ମୃତ ଦେହକୁ ଝୁଲନ୍ତା ଅବସ୍ଥାରେ ଏକ କୋଠରୀରୁ ଉଦ୍ଧାର କରାଯାଇଥିଲା। ପୋଲିସ ମୃତ ଦେହ ନିକଟରୁ ଏକ ସୁଇସାଇଡ ନୋଟ୍ ଜବତ କରିିଥିଲା। ସେଥିରେ ସେ ଆଶ୍ରମର ଉତ୍ତରାଧିକାରୀଙ୍କ ବିଷୟରେ ଲେଖିଥିଲେ। ଏଥି ସହ ଜୀବନରେ ସମ୍ମାନର ସହ ବଞ୍ଚିବାକୁ ଚାହୁଁଥିବା ବେଳେ ମିଥ୍ୟା ଆରୋପ ପାଇଁ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।