Categories: ଜାତୀୟ

ରାଜସ୍ଥାନରେ ୫୦୦୦ କୋଟି ମୂଲ୍ୟର ପ୍ରକଳ୍ପର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ଜୟପୁର,୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଜସ୍ଥାନ ଯୋଧପୁର ସହରରେ ଆୟୋଜିତ ସମାରୋହରେ ପ୍ରାୟ ୫୦୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି। ଚଳିତ ବର୍ଷ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଜସ୍ଥାନ ଗସ୍ତ ଅତ୍ୟନ୍ତ ସ୍ବତନ୍ତ୍ର ବୋଲି ବିବେଚନା କରାଯାଉଛି।

ଯୋଧପୁରରେ ପ୍ରଧାନମନ୍ତ୍ରୀ ମୋଦି ରାଜସ୍ଥାନର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡିକ ଅଧୀନରେ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ, ୩୫୦ ଶଯ୍ୟା ବିଶିଷ୍ଟ ‘ଟ୍ରମା ସେଣ୍ଟର ଏବଂ କ୍ରିଟିକାଲ କେୟାର ହସ୍ପିଟାଲ ବ୍ଲକ’ ଏବଂ ପୂରା ରାଜସ୍ଥାନରେ ପ୍ରଧାନମନ୍ତ୍ରୀ-ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଭିତ୍ତିଭୂମି ମିଶନ ଅଧୀନରେ ୭ କ୍ରିଟିକାଲ କେୟାର ହସ୍ପିଟାଲ ବ୍ଲକ ବିକାଶ କରାଯିବ।

ପ୍ରଧାନମନ୍ତ୍ରୀ ୪୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଯୋଧପୁର ବିମାନବନ୍ଦରରେ ଅତ୍ୟାଧୁନିକ ନୂତନ ଟର୍ମିନାଲ ବିଲ୍ଡିଂର ମୂଳଦୁଆ ପକାଇଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ଆଇଆଇଟି ଯୋଧପୁର କ୍ୟାମ୍ପସକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ୧୧୩୫ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ କମ୍ପ୍ଲେକ୍ସ ନିର୍ମାଣ କରାଯାଇଛି।

Share