ନୂଆ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦି: କହିଲେ, ଏକାଠି ହୋଇ କାମ କରିବା

ନୂଆଦିଲ୍ଲୀ/ଲଣ୍ଡନ, ୨୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଥିବାରୁ ସୁନକଙ୍କୁ ମୋଦି ଅଭିନନ୍ଦନ ଜଣାଇଛନ୍ତି। ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ଦିଗରେ ଏକାଠି କାମ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଆହ୍ବାନ କରିଛନ୍ତି। ଏହି ଅବସରରେ ଦୁଇ ନେତା ଭାରତ ଓ ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ଏନେଇ ମୋଦି ଟୁଇଟ କରି ସୂଚନା ଦେଇଛନ୍ତି। ଭାରତୀୟ ବଂଶୋଦ୍ଭବ ସୁନକ ମଙ୍ଗଳବାର ବ୍ରିଟିଶ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କ ସହ ମୋଦିଙ୍କର ଏହା ପ୍ରଥମ ଆଲୋଚନା। ସୁନକ ମଧ୍ୟ ଟୁଇଟ୍‌ କରି ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଗାମୀ ଦିନରେ ଦୁଇଦେଶ ମଧ୍ୟରେ ସୁରକ୍ଷା, ପ୍ରତିରକ୍ଷା ଓ ଆର୍ଥିକ ସହଯୋଗ ବଢ଼ିଲେ, ଦୁଇ ବୃହତ୍‌ ଗଣତନ୍ତ୍ର ବିରାଟ ସଫଳତା ହାସଲ କରିପାରିବେ ବୋଲି ସୁନକ କହିଛନ୍ତି।

Share