ନରଗିସ୍‌ଙ୍କ ବିବାହ ଖବର ଶୁଣି ଭାଙ୍ଗି ପଡ଼ିଥିଲେ ରାଜ କପୁର; ୯ ବର୍ଷର ସମ୍ପର୍କ ସତ୍ତ୍ୱେ ଏଥିପାଇଁ ପ୍ରେମରେ ପଡ଼ିଥିଲା ଭଟ୍ଟା

ବମ୍ବେ: ବଲିଉଡ୍‌ରେ ନାୟିକା-ନାୟକ ପ୍ରେମରେ ପଡ଼ିବା ସାଧାରଣ କଥା। ଏଯାବତ ଅନେକ ପ୍ରେମକାହାଣୀ ଦେଖିବାକୁ ମିଳିଥିବା ବେଳେ କିଛି ଭାଙ୍ଗିଛି, କିଛି ବିବାହର ରୂପ ନେଇଛି। ସେଭଳି ଏକ ଅଧା କାହାଣୀ ରହିଛି ଅଭିନେତା ରାଜ କପୁର- ଅଭିନେତ୍ରୀ ନରଗିସଙ୍କର।

୧୦ ବର୍ଷ ବୟସରେ ବଲିଉଡ୍‌ରେ ପାଦ ଥାପିଥିଲେ ରାଜ କପୁର। ସେ ଅନେକ ହିଟ୍‌ ସିନେମାରେ କାମ କରିଛନ୍ତି। ଆଓ୍ବାରା, ଶ୍ରୀ ୪୨୦, ଚୋରି-ଚୋରି, ଅନାଡି, ବୁଟ୍‌ ପଲିସ୍‌ ଏବଂ ସପନୋ କା ସୌଦାଗର ଆଦି ଫିଲରେ ରାଜ କପୁରଙ୍କ ଅଭିନୟ ଶୈଳୀ ବାରି ହୋଇ ପଡେ। ଅଭିନୟ ଜୀବନ ଭିତରେ ୧୯୪୫ ମସିହାରେ ନରଗିସ୍‌ଙ୍କ ସହ ପ୍ରଥମ ଦେଖା ହୋଇଥିଲା ରାଜ କପୁରଙ୍କର। ସେତେବେଳ ସମୟରେ ନରଗିସ୍‌ ବେଶ୍‌ ଲୋକପ୍ରିୟ ଥିଲେ। ୧୯୪୮ରେ ଉଭୟ ‘ଆଗ୍‌’ ଫିଲ୍ମରେ କାମ କରିଥିଲେ। ଏହାପରେ ସେମାନେ ଫିଲ୍ମ ‘ବରସାତ୍‌’, ‘ଆଓ୍ବାରା’ ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି।

ଏକାଠି ଫିଲ୍ମରେ କାମ କରିବା ସମୟରେ ରାଜ କପୁର-ନରଗିସଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ପ୍ରଥମ ଦେଖାରୁ ହିଁ ନରଗିସ୍‌ଙ୍କୁ ମନ ଦେଇଥିଲେ ରାଜ କପୁର। ହେଲେ ସମ୍ପର୍କରେ ଟିକିଏ କେଁ ରହିଥିଲା। କାରଣ ପୂର୍ବରୁ ବିବାହିତ ଥିଲେ ରାଜ କପୁର। ତଥାପି ସେ ନରଗିସଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଦୀର୍ଘ ୯ ବର୍ଷ ଧରି ପ୍ରେମ ଚାଲିଥିଲା। ଧିରେ ଧିରେ ନରଗିସ ରାଜ କପୁରଙ୍କ ବ୍ୟବହାରକୁ ନେଇ ଚିନ୍ତିତ ହୋଇ ପଡ଼ିଥିଲେ। ରାଜ କପୁର ତାଙ୍କୁ ଗୁରୁତ୍ୱ ଦେଉ ନ ଥିବା ନରଗିସ ଭାବିଲେ। ଏପରିକି ତାଙ୍କ ଫିଲ୍ମରେ ନିଜର ଭୂମିକାକୁ ପସନ୍ଦ କରୁ ନ ଥିଲେ ନରଗିସ୍‌। ଶେଷରେ ୧୯୫୬ ଉଭୟ ଅଲଗା ହୋଇଯାଇଥିଲେ। ପରେ ୧୯୫୮ରେ ସୁନିଲ ଦତ୍ତଙ୍କୁ ବିବାହ କରିଥିଲେ ନରଗିସ। ଏହା ରାଜ କପୁରଙ୍କୁ ବହୁତ ଆଘାତ ଦେଇଥିଲା।

Share