ଛତ୍ରପୁର,୨ା୧୧(ଦିଲ୍ଲୀପ ସାମଲ): ମଣିଷ ଜୀବନରେ ଜନ୍ମ ଆଉ ମୃତ୍ୟୁ ଧୃବ ସତ୍ୟ। ମୃତ୍ୟୁ ପରେ ଯେ ଶ୍ମଶାନରେ ଉପସ୍ଥିତ ରହେ, ସେ ହିଁ ପ୍ରକୃତ ବନ୍ଧୁ। ଏଭଳି ଜଣେ ଦରଦୀ ବନ୍ଧୁ ମଣିଷ ହେଉଛନ୍ତି ଗଞ୍ଜାମ ଜିଲାର ସଦର ମହକୁମା ଛତ୍ରପୁର ସିନେମାହଲ ସାହିର ନରହରି ସ୍ବାଇଁ (୭୪)। ସ୍ବାଇଁ ବାବୁ କହିଲେ ଛତ୍ରପୁର ଏବଂ ଆଖପାଖ ଅଞ୍ଚଳରେ ସଭିଏଁ ଜାଣନ୍ତି। ଯେ କୌଣସି ବ୍ୟକ୍ତିଙ୍କ ବିୟୋଗଙ୍କ ଖବର ଶୁଣିବା ମାତ୍ରକେ, କେହି କୁହନ୍ତୁ ବା ନ କୁହନ୍ତୁ, କାନ୍ଧରେ ଖଣ୍ଡିଏ ଗାମୁଛା ପକାଇ ବାହାରିପଡନ୍ତି। ତାଙ୍କ ପାଇଁ ନିଜ, ପର କିଛି ବାଛ ବିଚାର ନାହିଁ। ଯେଉଁଠି ମୃତଦେହ ସେଠି ସ୍ବାଇଁ ବାବୁ। ମୃତଦେହ ଦାହ ପାଇଁ ସାମଗ୍ରୀ ଆଣିବା, କୋକେଇ ଯୋଗାଡିବା, ମୃତଦେହ ଗାଧୋଇଦେବା, ବୋହିବା ଏବଂ ଦାହ କରିବା ପର୍ଯ୍ୟନ୍ତ ସେ ମୃତକଙ୍କ ସମ୍ପର୍କୀୟମାନଙ୍କ ସହ ରୁହନ୍ତି । ଏପରି ଅନନ୍ୟ କର୍ମର ଫଳ ସ୍ବରୁପ ସେ ବହୁବାର ସମ୍ମାନିତ ହୋଇଛନ୍ତି। ଆଜି ଯାଏଁ ସେ ୪୪୨୫ଟି ମୃତଦେହ ଦାହ କରିଥିବା କହିଛନ୍ତି। ଗତ କରୋନା ମହାମାରୀ ସମୟରେ ମଧ୍ୟ ଭୟ ନ କରି ୧୦୦ରୁ ଊର୍ଦ୍ଧ୍ୱ ମୃତଦେହ ଦାହ କରିଥିଲେ। କେବଳ ହିନ୍ଦୁ ନୁହେଁ, ମୁସଲମାନ, ଖ୍ରୀଷ୍ଟିଆନ ଏବଂ ଅନ୍ୟାନ୍ୟ ଧର୍ମାବଲମ୍ବୀ ବ୍ୟକ୍ତିଙ୍କ ମୃତଦେହ ମଧ୍ୟ ସେ ତାଙ୍କ ରୀତିନୀତି ଅନୁସାରେ ସତ୍କାର କରିଥିବା କହିଛନ୍ତି। ଗଞ୍ଜାମର ବିଭିନ୍ନ ସ୍ଥାନ ସମେତ ପୁରୀ, ଖୋର୍ଦ୍ଧା ଓ କୋରାପୁଟକୁ ମଧ୍ୟ ମୃତଦେହ ସତ୍କାର ପାଇଁ ଯାଇଛନ୍ତି। ଶେଷ ସମୟର ସାଥି ହେବାକୁ ସେ ଜୀବନର ବ୍ରତ ଭାବେ ଗ୍ରହଣ କରିଛନ୍ତି ।
ବ୍ଲକ ବଡଗଡ ଗ୍ରାମରେ ନରହରିଙ୍କ ଜନ୍ମ। ପିଲାଟି ବେଳୁ ଜନସେବା ପ୍ରତି ଆଗ୍ରହ। ବଡଗଡ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢୁଥିବା ବେଳେ ଜଣେ ମାଳୀଙ୍କ ମୃତଦେହ ଦାହ କରିବା ତାଙ୍କ ଜୀବନର ପ୍ରଥମ ଅନୁଭୁତି। ଖଲ୍ଲିକୋଟ କଲେଜରେ ଯୁକ୍ତ ୨ କଳାରେ ଉତ୍ତୀର୍ଣ୍ଣ ହେବା ପରେ ୧୯୭୨ରେ ସେ ଛତ୍ରପୁର ସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟରେ କିରାଣି ଭାବେ ଯୋଗଦେଲେ। ସେହି ଦିନଠାରୁ ଛତ୍ରପୁର ତାଙ୍କ ପାଇଁ କର୍ମଭୂମି ପାଲଟିଛି। ସ୍ତ୍ରୀ ପ୍ରେମଲତା ଓ ପିଲାମାନେ ତାଙ୍କୁ ସମାଜସେବା ପାଇଁ ସବୁବେଳେ ଉତ୍ସାହିତ କରନ୍ତି ବୋଲି ସେ କହିନ୍ତି। ନରହରିଙ୍କ ଏଭଳି ନିଃସ୍ବାର୍ଥପର ସେବା ପାଇଁ ଜିଲା ପ୍ରଶାସନଠାରୁ ଆରମ୍ଭ କରି ବହୁ ସରକାରୀ ଓ ବେସରକାରୀ ସଂସ୍ଥା ତାଙ୍କୁ ବହୁବାର ସମ୍ମାନିତ କରିଛନ୍ତି। ତେବେ ଏପରି ଅବିସ୍ମରଣୀୟ ସ୍ମୃତିକୁ ସାଉଁଟି ରଖିବା ପାଇଁ ସେ ମୃତଦେହ ଦାହ କରିବା ସମୟର ବିଭିନ୍ନ ଫଟୋ ଏବଂ ପୁରୁଣା ପଇସାକୁ ସାଉଁଟି ସାଇତି ରଖିଥାନ୍ତି।