Categories: ଜାତୀୟ

ନର୍ମଦା ବିପଦ ସଙ୍କେତ ଟପିଲା: ମୁମ୍ବାଇ-ଅହମଦାବାଦ ମାର୍ଗରେ ଟ୍ରେନ ଚଳାଚଳ ୧୧ ଘଣ୍ଟା ପାଇଁ ବନ୍ଦ…

ମୁମ୍ବାଇ,୧୮।୯ : ଗୁଜରାଟର ଭାରୁଚ ଏବଂ ଅଙ୍କଲେଶ୍ୱର ଷ୍ଟେଶନ ମଧ୍ୟରେ ପ୍ରବାହିତ ନର୍ମଦା ନଦୀ ଏହାର ବିପଦ ସଙ୍କେତଠାରୁ ଅଧିକ ସ୍ତରରେ ପ୍ରବାହିତ ହେଉଛି। ଏହି କାରଣରୁ ରବିବାର ରାତିରୁ ମୁମ୍ବାଇ-ଅହମଦାବାଦ ମାର୍ଗରେ ଟ୍ରେନ ଚଳାଚଳ ପ୍ରାୟ ୧୧ ଘଣ୍ଟା ପାଇଁ ବନ୍ଦ କରାଯାଇଛି। ପଶ୍ଚିମ ରେଳବାଇର ମୁଖ୍ୟ ପିଆରଓ ସୁମିତ ଠାକୁର ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ନଦୀ ଏବେ ବି ବିପଦ ସଙ୍କେତଠାରୁ ଅଧିକରେ ପ୍ରବାହିତ ହେଉଛି। ବନ୍ୟା ଯୋଗୁଁ ଏହି ରୁଟ ଦେଇ ଯାଉଥିବା ଯାତ୍ରୀବାହୀ ଟ୍ରେନ ଏବଂ ସାମଗ୍ରୀ ଟ୍ରେନ ଅଟକି ରହିଛି। ଟ୍ରେନରେ ଫସି ରହିଥିବା ଯାତ୍ରୀମାନଙ୍କ ପାଇଁ ଚା ଏବଂ ଖାଦ୍ୟ ପାଇଁ ବ୍ୟବସ୍ଥା କରାଯାଇଛି। ଅନୁମାନ କରାଯାଉଛି କିଛି ଘଣ୍ଟା ମଧ୍ୟରେ ନଦୀ ଜଳ ଏହାର ବିପଦ ସ୍ତରରୁ ତଳକୁ ଯିବ।

ଯାତ୍ରୀମାନଙ୍କୁ ଟ୍ରେନ ସମ୍ବନ୍ଧୀୟ ସୂଚନା ଯୋଗାଇବା ପାଇଁ ଏକ ହେଲ୍ପଲାଇନ ନମ୍ବର ବ୍ୟବସ୍ଥା କରାଯାଇଛି। ପଶ୍ଚିମ ରେଳବାଇ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ବନ୍ୟା ଯୋଗୁଁ କେତେକ ଟ୍ରେନ ବାତିଲ ହୋଇଛି, ଯେଉଁଥିରେ ତେଜସ ଏକ୍ସପ୍ରେସ ଏବଂ ଶତାବ୍ଦୀ ଏକ୍ସପ୍ରେସ ମଧ୍ୟ ରହିଛି।

ରବିବାର ଗୁଜରାଟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଏହି କାରଣରୁ ଅନେକ ଗାଁ ସହିତ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଯାଇଛି । ନର୍ମଦା ସମେତ ଅନେକ ନଦୀରେ ବନ୍ୟା ଜଳ ଅଧିକ ହୋଇଛି।

Share