କଟନି,୧୩ ।୨: ମଧ୍ୟ ପ୍ରଦେଶର କଟନି ଜିଲାରେ ଶନିବାର ବିଳମ୍ବିତ ସନ୍ଧ୍ୟାରେ ବଡ ଅଘଟଣ ଘଟିଛି । କଟନି ଜିଲାରେ ନର୍ମଦା ଘାଟି ପରିଯୋଜନାରେ ନିର୍ମାଣ କରାଯାଉଥିବା ଅଣ୍ଡର ଗ୍ରାଉଣ୍ଡ ଟନେଲ ଧସି ଯାଇଛି । ଫଳରେ ସେଠାରେ କାମ କରୁଥିବା ଶ୍ରମିକମାନେ ଫସି ଯାଇଛନ୍ତି । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଜିଲାପାଳଙ୍କ ସହ କଥା ହୋଇ ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି । ସ୍ଥାନୀୟ ପ୍ରଶାସନର ସୂଚନା ଅନୁଯାୟୀ, ନିର୍ମାଣାଧିନ ସୁଡଙ୍ଗ ଧସିବା ଫଳରେ ୯ ଶ୍ରମିକ ଫସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୪ ଜଣଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ଚାଲିଛି । ସୂଚନା ଅନୁଯାୟୀ, ଏହି ଘଟଣା କଟନି ଜିଲାର ସ୍ଲିମନାବାଦରେ ଘଟିଛି । ସେଠାରେ ନର୍ମଦା ଘାଟି ପରିଯୋଜନାରେ ନଦୀର ଡାହାଣ ପଟେ ଟନେଲ ନିର୍ମାଣ କାର୍ଯ୍ୟ ଚାଲିଛି ।