କଳ୍ପନା ଚାଓ୍ବଲାଙ୍କ ପରେ ଚେତିଲା ନାସା, ସୁନୀତାଙ୍କୁ ଫେରାଇ ଆଣିବା ପାଇଁ ବଦଳାଇଲା ନିୟମ

ଓ୍ବାଶିଂଟନ,୩୧ା୮: ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସଙ୍କୁ ଫେରାଇ ଆଣିବାରେ ନାସା ଆଉ କୌଣସି ଭୁଲ୍‌ କରିବାକୁ ଚାହୁଁନାହିଁ। କାରଣ ଏପରି ଘଟଣାରେ ଅନେକ ମହାକାଶଚାରୀ ଦୁର୍ଘଟଣାରେ ପ୍ରାଣ ହରାଇସାରିଛନ୍ତି। ଏଭଳି ପରିସ୍ଥିତିରେ ନାସା ବର୍ତ୍ତମାନ ସତର୍କତାର ସହ କାର୍ଯ୍ୟ କରୁଛି। ଆସନ୍ତାବର୍ଷ ଫେବୃଆରୀରେ ସୁନୀତା ଓ୍ବିଲିୟମ୍ସ ଏବଂ ତାଙ୍କ ସାଥୀଙ୍କୁ ପୃଥିବୀକୁ ଫେରାଇ ଆଣିବ ନାସା। ନାସା କ୍ରମାଗତ ଭାବରେ ସୁନୀତାଙ୍କୁ ଫେରାଇ ଆଣିବାରେ ବିଳମ୍ବ କରୁଛି। ନାସାର ଜଣେ ଅଧିକାରୀ କହିଛନ୍ତି, ସୁନୀତା ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନରେ ୮ ମାସ ରହିବେ।

କହିବାକୁ ଗଲେ ଭାରତୀୟ ବଂଶୋଦ୍ଭବ ତଥା ଆମେରିକୀୟ ମହାକାଶଚାରୀ କଳ୍ପନା ଚାଓ୍ବଲା ଏବଂ ଅନ୍ୟ ୬ ଜଣ ୧ ଫେବୃଆରୀ ୨୦୦୩ରେ ପ୍ରାଣ ହରାଇଥିଲେ। ତାଙ୍କର ସ୍ପେସ୍‌ ସଟଲ କଲମ୍ବିଆ ଭାଙ୍ଗି ଜଳିଗଲା। ଯେତେବେଳେ ସ୍ପେସ୍‌ ସଟଲ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କଲା ସେତେବେଳେ ଏହି ଦୁର୍ଘଟଣା ଘଟିଥିଲା। ନାସା ଅଧିକାରୀଙ୍କ ପାଇଁ ଏହା ଏକ ବଡ଼ ଝଟ୍‌କା ଥିଲା। ଏହା ପୂର୍ବରୁ ୨୮ ଜାନୁଆରୀ ୧୯୮୬ରେ ମଧ୍ୟ ଏକ ଦୁର୍ଘଟଣା ଘଟିଥିଲା। ଏହି ବିସ୍ଫୋରଣରେ ସମସ୍ତ କର୍ମଚାରୀଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ୧୪ ଜଣ ମହାକାଶଚାରୀ ପ୍ରାଣ ହରାଇଥିଲେ।

ନାସାର ମୁଖ୍ୟ ବିଲ୍‌ ନେଲସନ କହିଛନ୍ତି, ଏହି ଦୁଇଟି ଦୁର୍ଘଟଣା ମହାକାଶଚାରୀଙ୍କ ବିନା ବୋଇଙ୍ଗ ଷ୍ଟାର୍‌ଲାଇନର ଫେରସ୍ତ ନିଷ୍ପତ୍ତି ଉପରେ ବହୁତ ପ୍ରଭାବ ପକାଇଛି। ନେଲସନ ନିଜେ ଜଣେ ମହାକାଶଚାରୀ ଏବଂ ଦୁଇଟି ମହାକାଶଯାନ ଦୁର୍ଘଟଣାର ଅନୁସନ୍ଧାନକାରୀ ଦଳର ଅଂଶ ହୋଇଛନ୍ତି। ସେ କହିଛନ୍ତି, ନାସା ସେହି ସମୟରେ ସ୍ପଷ୍ଟ ଭାବରେ ଭୁଲ କରିଛି। ନାସାର ସଂସ୍କୃତି ଏପରି ଥିଲା ଯେ ବିପଦ ବିଷୟରେ ଜୁନିଅର ଫ୍ଲାଇଟ ଇଞ୍ଜିନିୟରଙ୍କ ଚେତାବନୀ ସତ୍ତ୍ୱେ କେହି ସେମାନଙ୍କ କଥା ଶୁଣିଲେ ନାହିଁ। ଆଜି ଲୋକମାନେ ସେମାନଙ୍କର ମନ କଥା କହିବାକୁ ଉତ୍ସାହିତ ହୁଅନ୍ତି।

କଳ୍ପନା ଚାଓ୍ବଲା ଏବଂ କର୍ମଚାରୀଙ୍କର ଦକ୍ଷିଣ ଆମେରିକା ଆକାଶରେ ମୃତ୍ୟୁ ଘଟିଥିଲା। ଯେତେବେଳେ ସ୍ପେସ୍‌ ସଟଲ କଲମ୍ବିଆ ପୃଥିବୀର ବାୟୁମଣ୍ଡଳକୁ ପୁନର୍ବାର ପ୍ରବେଶ କଲାବେଳେ ଏହି ଘଟଣା ଘଟିଥିଲା। ନିର୍ଦ୍ଧାରିତ ଅବତରଣର ୧୬ ମିନିଟ୍‌ ପୂର୍ବରୁ ଏହା ନଷ୍ଟ ହୋଇଗଲା। ବର୍ତ୍ତମାନ ଏଭଳି ପରିସ୍ଥିତିରେ ନାସା ଫେବୃଆରୀ ୨୦୨୫ରେ ସୁନୀତା ଏବଂ ବୁଚ୍‌ ଓ୍ବିଲ୍‌ମୋରଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି। ଇଞ୍ଜିନିୟରମାନେ ବର୍ତ୍ତମାନର ପରିସ୍ଥିତି ଏବଂ ମହାକାଶଯାନର ଉଡ଼ାଣରେ ଥିବା ବିପଦ ବିଷୟରେ କହିଛନ୍ତି। ନାସା ଅଧିକାରୀ କହିଛନ୍ତି, ମହାକାଶଯାନକୁ ପ୍ରତ୍ୟାବର୍ତ୍ତନ ପାଇଁ ନିଷ୍ପତ୍ତି ସର୍ବସମ୍ମତି କ୍ରମେ ନିଆଯାଇଛି।

Share