ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନରେ ମିଳିଲା କ୍ଷତିକାରକ ରାସାୟନିକ କଣିକା!

ନୂଆଦିଲ୍ଲୀ,୧୮।୮: ବୈଜ୍ଞାନିକମାନେ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ (ଆଇଏସଏସ)ରେ କ୍ଷତିକାରକ ରାସାୟନିକ କଣିକାର ପ୍ରମାଣ ପାଇଛନ୍ତି। ଘରୁ ବାହାରୁଥିବା ଧୂଳିକଣାରୁ ଅଧିକ କ୍ଷତିକାରକ ରାସାୟନିକ କଣିକା ସ୍ପେସ ଷ୍ଟେସନରେ ଦେଖିବାକୁ ମିଳିଛି। ଏକ ଅଧ୍ୟୟନ ଅନୁଯାୟୀ, ଆଇଏସଏସରେ ବାୟୁ ଫିଲ୍ଟରରୁ ସଂଗୃହିତ ଧୂଳିରେ ବିପଜ୍ଜନକ ରାସାୟନିକ ପଦାର୍ଥ ରହିଛି। ଯାହାକୁ ନେଇ ବୈଜ୍ଞାନିକମାନେ ଚିନ୍ତା ପ୍ରକଟ କରିଛନ୍ତି।

ଅଧ୍ୟୟନରୁ ଜଣାପଡିଛି କି, ସ୍ପେସ୍‌ ଷ୍ଟେସନରେ ମିଳିଥିବା ଧୂଳିରେ କାର୍ବନ ପ୍ରଦୂଷକ ସ୍ତର ସାଧାରଣ ଆମେରିକୀୟ କିମ୍ବା ପାଶ୍ଚାତ୍ୟ ୟୁରୋପୀୟ ଘରେ ଦେଖାଯାଉଥିବା ଧୂଳିର କଣିକା ଠାରୁ ଅଧିକ। ବର୍ମିଂହାମ ବିଶ୍ୱବିଦ୍ୟାଳୟ ଏବଂ ନାସା ଗ୍ଲେନ ରିସର୍ଚ୍ଚ ସେଣ୍ଟର (ଯୁକ୍ତରାଷ୍ଟ୍ର)ର ଅନୁସନ୍ଧାନକାରୀଙ୍କ ଦ୍ୱାରା ହୋଇଥିବା ଅଧ୍ୟୟନର ରିପୋର୍ଟ ପରିବେଶ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପତ୍ରିକାରେ ପ୍ରକାଶିତ ହୋଇଛି।

ଅନୁସନ୍ଧାନ ସମୟରେ ବୈଜ୍ଞାନିକମାନେ ପଲିବ୍ରୋମାଇଟେଡ ଡିଫେନିଲ ଇଥର (ପିବିଡିଏସ), ଅର୍ଗାନୋଫୋସଫେଟ ଏଷ୍ଟର୍‌ (ଓପିଏସ), ବ୍ରୋମିନେଟେଡ ଫ୍ଲେମ ରିଟାର୍ଡାଣ୍ଟ (ବିଏଫଆରଏସ), ପଲିସାଇକ୍ଲିକ ଏରୋମେଟିକ ହାଇଡ୍ରୋକାର୍ବନ (ପିଏଏଚଏସ), ପଫେର୍‌ଲାରୋ ଆଲ୍କାଇଲ ସବଷ୍ଟାନ୍ସ ଓ ପଲିଚ୍ଲୋରାଇନ ବିସିଫେନି ବିଫେନି ପରି କ୍ଷତିକାରକ କଣିକା ଚିହ୍ନଟ କରିଥିଲେ। ବିଏଫଆରଏସ ଏବଂ ଓପିଏସ ବିଭିନ୍ନ ଦେଶରେ ଇଲେକ୍ଟ୍ରୋନିକ୍ସ, ବିଲ୍ଡିଂରେ ଇନସୁଲେସନ ତଥା ଆସବାବପତ୍ର ଏବଂ ପୋଷାକ ଭଳି ଦ୍ରବ୍ୟ ତଥା ଅଗ୍ନି ନିରାପତ୍ତା ପାଇଁ ପ୍ରସ୍ତୁତ ଦ୍ରବ୍ୟରେ ବ୍ୟବହୃତ ହୁଏ। ପିଏଏଚଏସ ହାଇଡ୍ରୋକାର୍ବନ ଇନ୍ଧନରେ ରହିଥାଏ। ନିର୍ମାଣ ସାମଗ୍ରୀ ଏବଂ ଇଲେକ୍ଟ୍ରୋନିକ୍ସରେ ପିସିବି ବ୍ୟବହୃତ ହେଉଥିବାବେଳେ ପୋଷାକରୁ ଦାଗ ହଟାଇବା ପାଇଁ ପିଏଫଏଏସ ବ୍ୟବହୃତ ହୁଏ। ତେବେ ସ୍ବାସ୍ଥ୍ୟ ଉପରେ ଏଗୁଡିକର କ୍ଷତିକାରକ ପ୍ରଭାବକୁ ଦୃଷ୍ଟିରେ ରଖି ଏଥିମଧ୍ୟରୁ କେତେକ ଉପରେ ପ୍ରତିବନ୍ଧକ ଲଗାଯାଇଛି ଏବଂ କେତେକଙ୍କ ବ୍ୟବହାର ସୀମିତ ରହିଛି।

ଦୈନନ୍ଦିନ ଜିନିଷ ଯଥା କ୍ୟାମେରା, ଏମପିଥ୍ରୀ ପ୍ଲେୟାର, ଟାବଲେଟ, ମେଡିକାଲ ଉପକରଣ ଏବଂ ବ୍ୟକ୍ତିଗତ ବ୍ୟବହାର ପାଇଁ ମହାକାଶଚାରୀଙ୍କ ଦ୍ୱାରା ସ୍ପେସ ଷ୍ଟେସନକୁ ଆଣିଥିବା ପୋଷାକ ଏହି ରାସାୟନିକ ପଦାର୍ଥର ଏକ ସମ୍ଭାବ୍ୟ ଉତ୍ସ ହୋଇପାରେ। ସେହିଭଳି ସେଠାରେ ଉପସ୍ଥିତ ଥିବା କାର୍ବନ ଡାଇଅକ୍ସାଇଡ ଏବଂ ଅନ୍ୟାନ୍ୟ ଗ୍ୟାସୀୟ ପ୍ରଦୂଷଣକୁ ବାହାର କରାଯାଇଥାଏ। ଏହା ସତ୍ତ୍ୱେ ସେଠାରେ କିପରି କ୍ଷତିକାରକ ରାସାୟନିକ ପଦାର୍ଥ ଜମା ହେଲା ସେ ସମ୍ବନ୍ଧରେ କୌଣସି ସୂଚନା ନାହିଁ। ଏନେଇ ଅଧିକ ଗବେଷଣା କରାଯାଉଛି।

Share