ଅପେକ୍ଷାର ହେବାକୁ ଯାଉଛି ଅନ୍ତ! ସ୍ପେସ୍‌ ଷ୍ଟେଶନରେ ପହଞ୍ଚିଲେ କ୍ରୁ-୧୦ ଟିମ୍‌, ଫେରିବେ ସୁନୀତା-ବୁଚ୍‌

ନୂଆଦିଲ୍ଲୀ,୧୬।୩: ଏବେ ସୁନିତା ୱିଲିୟମ୍ସଙ୍କ ପୃଥିବୀକୁ ଫେରିବାର ଅପେକ୍ଷା ଧୀରେ ଧୀରେ ଶେଷ ହେବାକୁ ଯାଉଛି। କ୍ରୁ-୧୦ ଦଳ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିଛି। ସୁନିତା ଏବଂ ବୁଚ୍‌ ଖୁବ ଶୀଘ୍ର ପୃଥିବୀକୁ ଫେରି ଆସିବେ। ସୁନିତା ଏବଂ ବୁଚ୍‌ଙ୍କୁ ଫେରାଇ ଆଣିବା ପାଇଁ ଏହି NASA-SpaceX ମିଶନକୁ Crew-୧୦ ନାମ ଦିଆଯାଇଛି, ଯେଉଁଥିରେ ମୋଟ ୪ ଜଣ ମହାକାଶଚାରୀ ଅଛନ୍ତି। ଆଇଏସ୍‌ଏସ୍‌ରେ ପହଞ୍ଚିଥିବା ମିଶନ କ୍ରୁ-୧୦ ଦଳର ସଦସ୍ୟମାନଙ୍କ ମଧ୍ୟରେ ନାସାର ଆନ ମ୍ୟାକକ୍ଲେନ୍‌ ଏବଂ ନିକୋଲ ଆୟର୍ସ, ଜାପାନ ଏରୋସ୍ପେସ୍‌ ଏକ୍ସପ୍ଲୋରେଶନ୍‌ ଏଜେନ୍ସିର ଟାକୁୟା ଓନିଶି ଏବଂ ରୋସକସମୋସ୍‌ ମହାକାଶଚାରୀ କିରିଲ ପେସକୋଭ ଅନ୍ତର୍ଭୁକ୍ତ ଅଛନ୍ତି।

କ୍ରୁ-୧୦ ଦଳ ଆଇଏସ୍‌ଏସ୍‌ରେ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବ୍ୟାରି ୱିଲମର୍ସଙ୍କ ସ୍ଥାନ ନେବେ। ଯଦି ସବୁକିଛି ଠିକ୍‌ଠାକ୍‌ ରୁହେ, ତେବେ ପ୍ରାୟ ୯ ମାସ ପରେ ସୁନିତା ପୃଥିବୀରେ ପାଦ ରଖିବେ। ଜୁନ ୨୦୨୪ରେ ସେ ମାତ୍ର ୮ ଦିନ ପାଇଁ ମହାକାଶକୁ ଯାଇଥିଲେ। କିନ୍ତୁ ତାଙ୍କର ପ୍ରତ୍ୟାବର୍ତ୍ତନ ପ୍ରାୟ ୨୮୭ ଦିନ ପରେ ହେବ। କୁହାଯାଉଛି ଯେ ସୁନିତା ତିନିରୁ ଚାରି ଦିନ ମଧ୍ୟରେ ପୃଥିବୀକୁ ଫେରି ଆସିବେ। ୫ ଜୁନ ୨୦୨୪ରେ ସେ ବୋଇଂର ଷ୍ଟାରଲାଇନ୍‌ର ମହାକାଶଯାନରେ ଉଡାଣ ଭରିଥିଲେ।

ସୁନିତା ୱିଲିୟମ୍ସ ଏବଂ ବୁଚ ୱିଲମୋରଙ୍କ ପ୍ରତ୍ୟାବର୍ତ୍ତନ ପାଇଁ NASA-SpaceX ଶୁକ୍ରବାର ଦିନ Crew-୧୦ ମିଶନ ଆରମ୍ଭ କରିଛି। ଏହି ମିଶନକୁ ଫାଲକନ୍‌ ୯ ରକେଟ ମାଧ୍ୟମରେ ଉତ୍‌କ୍ଷେପଣ କରାଯାଇଥିଲା। ପୂର୍ବରୁ ଏହି ମିଶନ ବୁଧବାର ଲଞ୍ଚ କରାଯାଇଥିଲା। କିନ୍ତୁ ସିଷ୍ଟମରେ କିଛି ସମସ୍ୟା ଯୋଗୁ ଏହାର ଲଞ୍ଚକୁ ବନ୍ଦ କରିବାକୁ ପଡିଥିଲା। ଏହାକୁ ଶୁକ୍ରବାର ସଫଳତାର ସହ ଲଞ୍ଚ କରାଯାଇଥିଲା। ସାରା ବିଶ୍ୱ ସୁନିତା ଏବଂ ବୁଚଙ୍କ ପୃଥିବୀକୁ ଫେରିବା ପାଇଁ ଅପେକ୍ଷା କରିଛି।

ସୁନିତା ଏବଂ ବୁଚ୍‌ ୮ ଦିନ ପାଇଁ ମହାକାଶକୁ ଯାଇଥିଲେ। ୫ ଜୁନ ୨୦୨୪ରେ ସେ ବୋଇଂର ଷ୍ଟାରଲାଇନର୍‌ ମହାକାଶଯାନରେ ଉଡାଣ ଭରିଥିଲେ। ସୁନିତା ଫେରୁଥିବା ସମୟରେ ଷ୍ଟାରଲାଇନ୍‌ର ମହାକାଶଯାନର ଥ୍ରଷ୍ଟରରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ସେବେଠାରୁ ଉଭୟ ମହାକାଶରେ ଫସି ରହିଛନ୍ତି। ଇତିମଧ୍ୟରେ ପ୍ରାୟ ୯ ମାସ ହୋଇଗଲାଣି। ଏହା ସହିତ ସେ ସବୁଠାରୁ ଅଧିକ ସମୟ ପାଇଁ ନିରନ୍ତର ଭାବରେ ମହାକାଶରେ ରହିବାରେ ପ୍ରଥମ ମହିଳା ହୋଇଛନ୍ତି। ନାସା ଏବଂ ସ୍ପେସ୍‌ଏକ୍ସ ମିଳିତ ଭାବରେ ସେମାନଙ୍କର ପ୍ରତ୍ୟାବର୍ତ୍ତନ ପାଇଁ ମିଶନକୁ କାର୍ଯ୍ୟକାରୀ କରୁଛନ୍ତି।