ପୃଥିବୀ ସଦୃଶ ଗ୍ରହ ଚିହ୍ନଟକଲା ନାସା

ଓ୍ବାଶିଂଟନ୍‌,୧୨।୧: ମହାକାଶର ଗ୍ରହ, ଉପଗ୍ରହ ଓ ତାରକା ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବା ଲାଗି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା) ବୈଜ୍ଞାନିକଙ୍କ ଅନୁସନ୍ଧାନ ଜାରି ରହିଛି। ନିକଟରେ ନାସାର ଏକ ମିଶନ୍‌ ମହାକାଶରେ ଅବିକଳ ପୃଥିବୀ ସଦୃଶ ଏକ ଗ୍ରହ ଚିହ୍ନଟ କରିଛି। କେବଳ ଆକାର ନୁହେଁ, ବରଂ ଭୌଗୋଳିକ ଗଠନ ଦୃଷ୍ଟିରୁ ମଧ୍ୟ ପୃଥିବୀ ସହିତ ଏହି ନୂତନ ଗ୍ରହର ସାମଞ୍ଜସ୍ୟ ରହିଥିବା ବିଶେଷଜ୍ଞମାନେ ଦାବି କରିଛନ୍ତି। ଉକ୍ତ ଗ୍ରହରେ ଜଳର ସନ୍ଧାନ ମିଳିପାରେ ବୋଲି ଆଶା କରାଯାଉଛି।

ନାସାର ଟ୍ରାଞ୍ଜିଟିଂ ଏକ୍ସପ୍ଲାନେଟ୍‌ ସର୍ଭେ ସାଟେଲାଇଟ୍‌ (ଟିଇଏସ୍‌ଏସ୍‌) ସହଯୋଗକ୍ରମେ ଏହି ଗ୍ରହ ଠାବ କରାଯାଇଛି। ‘ଟିଓଆଇ ୭୦୦ ଇ’ ଭାବେ ଚିହ୍ନଟ ହୋଇଥିବା ଗ୍ରହରେ ଜୀବସତ୍ତା ସମ୍ଭବପର ବୋଲି ବିଶେଷଜ୍ଞମାନେ କହିଛନ୍ତି। ପୂର୍ବରୁ ନାସା ‘ଟିଓଆଇ ୭୦୦ ବି’, ସି ଏବଂ ଡି’ ଭାବେ ତିନିଟି ନୂତନ ଗ୍ରହ ଚିହ୍ନଟ କରିଥିଲା। ଗ୍ରହ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ ଲାଗି ଟିଇଏସ୍‌ଏସ୍‌ ସାଟେଲାଇଟ୍‌ ପକ୍ଷରୁ ଅଧ୍ୟୟନ କରାଯିବ ବୋଲି କୁହାଯାଇଛି। ପ୍ଲାନେଟ୍‌ ଇ’ ଆକାରରେ ପ୍ଲାନେଟ୍‌ ଡି’ଠାରୁ ୧୦% କମ୍‌ ହୋଇଥିବା ନାସା ଜେଟ୍‌ ପ୍ରୋପଲନ୍‌ ଲାବରେଟୋରିର ବିଶେଷଜ୍ଞ ଏମିଲି ଗିଲ୍‌ବର୍ଟ ସୂଚନା ଦେଇଛନ୍ତି। ଆକାରରେ ଟିଓଆଇ ୭୦୦ ବି’ ହେଉଛି ପୃଥିବୀର ୯୦ ଭାଗ।

ସେହିପରି ଟିଓଆଇ ସି’ ପୃଥିବୀଠାରୁ ୨.୫ ଗୁଣା ବଡ଼ ହୋଇଥିବାବେଳେ କକ୍ଷପଥ ପରିକ୍ରମା ପାଇଁ ଏହାକୁ ୧୬ ଦିନ ଲାଗିଥାଏ। ଟିଓଆଇ ସି ଏବଂ ଡି ମଧ୍ୟରେ ଇ’ର ଅବସ୍ଥିତିକୁ ଅପ୍ଟିମିଷ୍ଟିକ୍‌ ହାବିଟେବଲ ଜୋନ୍‌ ବୋଲି କୁହାଯାଏ। ତେବେ ଠାବ ହୋଇଥିବା ପୃଥିବୀ ପରି ଗ୍ରହ ବିଷୟରେ ଅଧିକ ଗବେଷଣା କଲେ ସୌରମଣ୍ଡଳ ସମ୍ପର୍କରେ ଅନେକ ଅଜଣା ରହସ୍ୟ ଫିଟିବ ବୋଲି ଗିଲ୍‌ବର୍ଟ କହିଛନ୍ତି।

Share