ଓ୍ବାଶିଂଟନ୍,୧୧ା୧: ମହାକାଶରେ ଗତବର୍ଷ ଠାବ ହୋଇଥିବା ଗ୍ରିଞ୍ଚ ନାମକ ଏକ ‘ସବୁଜ ରାକ୍ଷସ’ର ରହସ୍ୟ ଭେଦ କରିବାରେ ସକ୍ଷମ ହୋଇଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର ସଦ୍ୟ ଅଧ୍ୟୟନ। ଏନେଇ ସ୍ପେସ୍ ଡଟ୍ କମ୍ରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଉକ୍ତ ରିପୋର୍ଟ ଅନୁସାରେ ନାସାର ଜେମ୍ସ ଓ୍ବେବ୍ ସ୍ପେସ୍ ଟେଲିସ୍କୋପ୍ ଗତବର୍ଷ ଏପ୍ରିଲରେ ‘ଗ୍ରୀନ୍ ମୋନ୍ଷ୍ଟର’ର ଫଟୋକୁ ନିଜ ଲେନ୍ସରେ କଏଦ୍ କରିଥିଲା। ପୃଥିବୀଠାରୁ ପ୍ରାୟ ୧୧,୦୦୦ ଆଲୋକବର୍ଷ ଦୂରତାରେ ଉତ୍ତପ୍ତ ବାଷ୍ପର ଏକ ବର୍ଦ୍ଧନଶୀଳ କୋଷିକା ଅବସ୍ଥିତ। ତହିଁରେ ଥିବା କାସିଓପିଆ ଏ (କାସ୍ ଏ)ର ସମ୍ମୁଖ ଭାଗ ଅଦ୍ଭୁତ ‘ଏମିଶନ ଓ୍ବାଲ୍’ର ଚିତ୍ରକୁ ଟେଲିସ୍କୋପ୍ ଉତ୍ତୋଳନ କରିଛି। ଆମ ପାଖରେ ୩୪୦ ବର୍ଷ ପୂର୍ବେ ପହଞ୍ଚତ୍ଥିବା କାସ୍ ଏର ଆଲୋକ ଅତୀତରେ ମହାକାଶ ବିଜ୍ଞାନୀମାନଙ୍କୁ ବିସ୍ମିତ କରିଦେଇଥିଲା। ଗତ ୮ତାରିଖରେ ନ୍ୟୁ ଅର୍ଲିନ୍ସରେ ଅନୁଷ୍ଠିତ ଆମେରିକାନ୍ ଆଷ୍ଟ୍ରୋନୋମିକାଲ ସୋସାଇଟି ସମ୍ମିଳନୀରେ ଏହା ଉପରେ ବିସ୍ତୃତ ବିବରଣୀ ଉପସ୍ଥାପନ କରାଯାଇଥିଲା। ସେଥିରୁ ଜଣାପଡ଼ିଛି ଯେ, କାସ୍ ଏ ବିସ୍ଫୋରଣରେ ଧ୍ୱଂସ ହୋଇସାରିଥିବା ଏକ ନକ୍ଷତ୍ରର ଅବଶେଷ। ଏହି ତାରକା ୩୪୦ ବର୍ଷ ତଳେ ବିସ୍ଫୋରଣ ହୋଇ ସୁପରନୋଭାରେ ପରିଣତ ହୋଇଥିଲା। ଏହା ପ୍ରାୟ ୧୦ ଆଲୋକବର୍ଷ କ୍ଷେତ୍ରରେ ପରିବ୍ୟାପ୍ତ। ଏଥିରେ ଥିବା ସବୁଜ ରଙ୍ଗର ଚକଚକିଆ ଲୁପ୍କୁ ନେଇ ବିଶେଷଜ୍ଞ ଦଳ ଆଗ୍ରହ ପ୍ରକାଶ କରିଛନ୍ତି। କାସ୍ ଏ’ର ବାହ୍ୟଭାଗରେ ଥିବା ଲାଲ, ସବୁଜ ଓ ନୀଳ ଇନ୍ଫ୍ରାରେଡ୍କୁ ମଧ୍ୟ ନାସାର ସ୍ପିଟ୍ଜର ସ୍ପେସ୍ ଟେଲିସ୍କୋପ୍ କ୍ୟାପ୍ଚର କରିବାରେ ସକ୍ଷମ ହୋଇଛି। ଗ୍ରୀନ୍ ମୋନ୍ଷ୍ଟରର ବାହ୍ୟରେଖା ଯନ୍ତ୍ରର ଦ୍ୱିତୀୟ ଫଟୋରେ ଦୃଶ୍ୟମାନ ହେଉଛି ବୋଲି ନାସା କହିଛି।