ପ୍ରଥମଥର ପାଇଁ ମଙ୍ଗଳଗ୍ରହକୁ ରୋଭର ସହିତ ହେଲିକପ୍ଟର ପଠାଇବ ନାସା

ଓ୍ବାଶିଂଟନ୍‌,୩୦ା୭: ମଙ୍ଗଳଗ୍ରହକୁ ମିଶନ ପଠାଇବା ପାଇଁ ବର୍ତ୍ତମାନ ସତେ ଯେମିତି ପ୍ରତିଯୋଗିତା ଚାଲିଛି। ୧୧ ଦିନ ଭିତରେ ତୃତୀୟ ମିଶନ ହେବାକୁ ଯାଉଛି। ବର୍ତ୍ତମାନ ଆମେରିକା ଅନ୍ତରୀକ୍ଷ ଏଜେନ୍ସି ‘ନାସା’ ନିଜର ମିଶନ ଲଞ୍ଚ କରିବାକୁ ଯାଉଛି। ଏହି ମିଶନର ମୁଖ୍ୟ କଥା ହେଲା ଏଥିରେ ଗୋଟିଏ ରୋଭର ଏବଂ ଗୋଟିଏ ଡ୍ରୋନ୍‌ ହେଲିକପ୍ଟର ରହିଛି। ରୋଭର ମଙ୍ଗଳ ଗ୍ରହରେ ଚାଲିବ ଏବଂ ହେଲିକପ୍ଟର ଉଡ଼ିକି ଡାଟା ବା ତଥ୍ୟ ସଂଗ୍ରହ କରିବ।

ଏହି ମିଶନର ନାମ ପରଜେଭେରାନ୍ସ ମାର୍ସ ରୋଭର ଏବଂ ଇଞ୍ଜିନ୍ୟୁଟି ହେଲିକପ୍ଟର। ପରଜେଭେରାନ୍ସ ମାର୍ସ ରୋଭରର ଓଜନ ୧୦୦୦ କିଲୋଗ୍ରାମ ହୋଇଥିବା ବେଳେ ହେଲିକପ୍ଟରର ଓଜନ ୨ କିଲୋଗ୍ରାମ। ମାର୍ସ ରୋଭର ପରମାଣୁ ଶକ୍ତିରେ ଚାଲିବ। ଯାହାକି ପ୍ରଥମର ଥର ପାଇଁ କୌଣସି ରୋଭରରେ ପ୍ଲୁଟେନିୟମର ଇନ୍ଧନର ଉପଯୋଗ କରାଯାଇଛି। ଏହି ରୋଭର ମଙ୍ଗଳ ଗ୍ରହରେ ୧୦ ବର୍ଷ ପର୍ଯ୍ୟନ୍ତ କାମ କରିବ। ଏଥିରେ ୭ ଫୁଟର ରୋବେଟିକ୍‌ ଆର୍ମ, ୨୩ଟି କ୍ୟାମେରା ଏବଂ ଗୋଟିଏ ଡ୍ରିଲ୍‌ ମେଶିନ୍‌ ଲାଗିଛି। ଏହା ମଙ୍ଗଳଗ୍ରହର ଫଟୋ, ଭିଡିଓ ଏବଂ ନମୁନା ଆଣିପାରିବ।

ସେହିପରି ମଙ୍ଗଳଗ୍ରହରେ କାର୍ବନ ଡାଇଅକ୍ସାଇଡରୁ ଅମ୍ଳଜାନ ତିଆରି କରିବା ପାଇଁ ପରଜେଭେରାନ୍ସ ମାର୍ସ ରୋଭର ଏବଂ ଇଞ୍ଜିନିୟରିଂ ଚପର କାର୍ଯ୍ୟ କରିବ। ପାଣିପାଗ ଅଧ୍ୟୟନ କରିବ। ଯାହାଫଳରେ ଭବିଷ୍ୟତରେ ମଙ୍ଗଳ ଗ୍ରହକୁ ଯାଉଥିବା ମହାକାଶଚାରୀମାନେ ସହଜ ଅନୁଭବ କରିବେ।

Share