ଇତିହାସ ରଚିଲା ନାସା: ମଙ୍ଗଳରେ ଓହ୍ଲାଇଲା ପର୍ସଭରେନ୍ସ ରୋଭର

ୱାଶିଂଟନ,୧୯ ।୨: ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର ପର୍ସଭରେନ୍ସ ରୋଭର ଗୁରୁବାର ମଙ୍ଗଳରେ ଓହ୍ଲାଇଛି । ନାସା ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି କି ପର୍ସଭରେନ୍ସ ରୋଭର ମଙ୍ଗଳ ଗ୍ରହରେ ସଫଳତା ପୂର୍ବକ ଲ୍ୟାଣ୍ଡ କରିଛି । ଏହା ଲ୍ୟାଣ୍ଡିଂ କରିବା ପରେ ନାସାର ବୈଜ୍ଞାନିକ ଓ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ଲାଲ ଗ୍ରହରେ ଜନବସତି ସ୍ଥାପନ ଉଦ୍ଦେଶ୍ୟରେ ନାସାର ଏହି ପରୀକ୍ଷଣ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ପର୍ସଭରେନ୍ସ ରୋଭର ମଙ୍ଗଳ ଗ୍ରହରେ ସଫଳତା ପୂର୍ବକ ଲ୍ୟାଣ୍ଡ କରିବା ପରେ ଏହାର କାର୍ଯ୍ୟକାରୀ ପ୍ରଶାସକ ଷ୍ଟିଭ ଜର୍କଜୀ ଟିମ୍ ମେମ୍ବରଙ୍କୁ ଧନ୍ୟବାଦ ଦେବା ସହ ସେମାନଙ୍କ କାମର ପ୍ରଶଂସା କରିଛନ୍ତି । ଏହି ସଫଳତା ପଛରେ ବି ଜଣେ ଭାରତୀୟ ମହିଳା ବୈଜ୍ଞାନିକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ଜଣାପଡିଛି । ବୈଜ୍ଞାନିକ ଡା. ସ୍ୱାତୀ ମୋହନ ଏହାକୁ ନେଇ ଖୁବ୍ ଉତ୍ସାହିତ ଥିଲେ । ସେ ହେଉଛନ୍ତି ସିଷ୍ଟମ ଇଞ୍ଜିନିୟର ସେ କହିଥିଲେ ଇତିହାସ ସୃଷ୍ଟି ହେଲା । ସେ କଣ୍ଟ୍ରୋଲ ରୁମରେ ଜିଏନ ଆଣ୍ଡ ସି ସବସିଷ୍ଟମ ଓ ସମ୍ପୂର୍ଣ୍ଣ ପ୍ରୋଜେକ୍ଟ ଟିମକୁ କୋଅର୍ଡିନେଟ କରୁଥିଲେ । ମାତ୍ର ୧ ବର୍ଷ ବୟସରୁ ଭାରତ ଛାଡି ଆମେରିକାରେ ରହୁଥିବା ସ୍ୱାତୀ ଏବେ ନାସାର ଜଣେ ସଫଳ ବୈଜ୍ଞାନିକ ।

Share