ନାସାରେ ବିଦ୍ୟୁତ ବିଭ୍ରାଟ, କିଛି ସମୟ ପାଇଁ ମହାକାଶ କେନ୍ଦ୍ର ସହ ଯୋଗାଯୋଗ ବିଚ୍ଛିନ୍ନ, ରୁଷିଆ ସ୍ପେସ ଏଜେନ୍ସି ଦେଲା ସହାୟତା…

ଓ୍ବାଶିଂଟନ,୨୬।୭ : ଆମେରିକାର ସ୍ପେସ ଏଜେନ୍ସି ନାସାରେ ବିଦ୍ୟୁତ ବିଭ୍ରାଟ ଯୋଗୁ ମଙ୍ଗଳବାର ମିଶନ କଣ୍ଟ୍ରୋଲ ଏବଂ ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଫଳରେ କିଛି ସମୟ ପାଇଁ ମିଶନ କଣ୍ଟ୍ରୋଲ ଷ୍ଟେଶନକୁ ନିର୍ଦ୍ଦେଶ ପଠାଯାଇ ପାରି ନ ଥିଲା। ଫଳରେ ରୁଷିଆ ସ୍ପେସ ଏଜେନ୍ସିର ସହାୟତା ନେବାକୁ ପଡ଼ିଥିଲା। ସ୍ପେସ ଷ୍ଟେଶନରେ ସୂଚନା ଦିଆଯାଇଥିଲା ବିଦ୍ୟୁତ ବ୍ୟାଘାତ ଯୋଗୁ ସାତ ଜଣ ମହାକାଶଚାରୀ କିଛି ସମୟ କଥା ହୋଇପାରି ନ ଥିଲେ।

ହ୍ୟୁଷ୍ଟନରେ ଥିବା ଜନସନ ସ୍ପେସ ସେଣ୍ଟର ବିଲଡିଂରେ ରକ୍ଷଣାବେକ୍ଷଣ କାର୍ଯ୍ୟ ଚାଲିଥିଲା, ଯେଉଁ କାରଣରୁ ବିଦ୍ୟୁତ ବିଭ୍ରାଟ ହୋଇଥିଲା। ତଥାପି, ବ୍ୟାକଅପ କଣ୍ଟ୍ରୋଲ ସିଷ୍ଟମ ମାଧ୍ୟମରେ ୯୦ ମିନିଟ ମଧ୍ୟରେ କାର୍ଯ୍ୟ ପୁଣି ଆରମ୍ଭ ହୋଇଥିଲା।

ସୂଚନା ଅନୁଯାୟୀ, ପ୍ରଥମ ଥର ପାଇଁ ନାସାକୁ ସ୍ପେସ ଷ୍ଟେଶନ ସହିତ ସଂଯୋଗ ପାଇଁ ବ୍ୟାକଅପ ସିଷ୍ଟମ ବ୍ୟବହାର କରିବାକୁ ପଡିଥିଲା। ସ୍ପେସ ଷ୍ଟେଶନ ପ୍ରୋଗ୍ରାମ ମ୍ୟାନେଜର ଜୋଏଲ ମୋଣ୍ଟାଲବାନୋ କହିଛନ୍ତି ଏହା ଯୋଗୁ ମହାକାଶଚାରୀ କିମ୍ବା ଷ୍ଟେଶନ କେବେ ବିପଦରେ ପଡି ନାହାଁନ୍ତି।

Share