ମହାକାଶରେ ରହିଛି ସୁନା-ରୁପାରେ ତିଆରି ଉଲ୍‌କାପିଣ୍ଡ, ସନ୍ଧାନ କରିବ ନାସାର ‘ସାଇକି ମିଶନ’

ଓ୍ବାଶିଂଟନ୍‌, ୧୪।୧୦: ନାସା ମହାକାଶଯାନ ‘ସାଇକି ମିଶନ’କୁ ଲଞ୍ଚ କରିଛି। ଏହି ମିଶନ ମାଧ୍ୟମରେ ଏକ ବିରଳ ଉଲକାପିଣ୍ଡର ସନ୍ଧାନ କରାଯିବ ଯେଉଁଥିରେ ବହୁମୂଲ୍ୟ ଧାତୁ ଥିବାର ସନ୍ଧାନ ମିଳିଛି। ଅଧିକାଂଶ ଆଷ୍ଟ୍ରଏଡଗୁଡିକ ପଥର ବା ବରଫଯୁକ୍ତ ହୋଇଥାଏ କିନ୍ତୁ ଏହା ଧାତୁର ଉଲକାପିଣ୍ଡକୁ ବିଶ୍ୱର ପ୍ରଥମ ବିରଳ ଆବିଷ୍କାର ବୋଲି କୁହାଯାଉଛି। ‘ସ୍ପେସଏକ୍ସ’ ନାସାର କେନେଡି ସ୍ପେସ ସେଣ୍ଟରରୁ ମହାକାଶଯାନ ଉତକ୍ଷେପଣ କରିଛି।

ସେହି ଉଲକାପିଣ୍ଡର ନାମନୁସାରେ ଏହି ମହାକାଶଯାନର ନାମ ସାଇକି ରଖାଯାଇଛି। ଦୀର୍ଘ ୬ବର୍ଷର ଯାତ୍ରା କରି ୨୦୨୯ରେ ସାଇକି ଉଲକାପିଣ୍ଡ ପାଖରେ ସାଇକି ମହାକାଶଯାନ ପହଞ୍ଚିବ ବୋଲି ଆଶା କରାଯାଉଛି।

ସାଇକି ଉଲକାପିଣ୍ଡ ୧୮୫୨ ମସିହାରେ ଆବିଷ୍କୃତ ହୋଇଥିଲା ଏବଂ ଗ୍ରୀକ ପୁରାଣର ଆତ୍ମାର ଦେବୀଙ୍କ ନାମରେ ଏହି ଉଲକାପିଣ୍ଡର ନାମ ରଖାଯାଇଛି। ଆରିଜୋନା ଷ୍ଟେଟ ୟୁନିଭର୍ସିଟିର ବୈଜ୍ଞାନିକ ଲିଣ୍ଡି ଏଲ୍କିନ୍ସ-ଟାଣ୍ଟନ କହିଛନ୍ତି, ଆମ ପୃଥିବୀର କୋରକୁ ଯିବା ମଣିଷର ଦୀର୍ଘ ଦିନର ସ୍ବପ୍ନ ରହିଆସିଛି। ସେଠାରେ ତାପମାତ୍ରା ବହୁତ ଅଧିକ। ଟେକ୍ନୋଲୋଜି ପହଞ୍ଚିବା ଅସମ୍ଭବ ଅଟେ।କିନ୍ତୁ ଆମ ସୌର ମଣ୍ଡଳରେ ଏପରି ଏକ ସ୍ଥାନ ଅଛି ଯାହା ଦ୍ୱାରା ଆମେ କୋରକୁ ଦେଖିପାରିବା ସହ ସେହି କ୍ଷୁଦ୍ରଗ୍ରହ ବା ଉଲକାପିଣ୍ଡକୁ ଯାଇପାରିବା।

ଜ୍ୟୋର୍ତିବିଜ୍ଞାନୀମାନେ ରାଡାର ଏବଂ ଅନ୍ୟାନ୍ୟ ପର୍ଯ୍ୟବେକ୍ଷଣରୁ ଜାଣିପାରିଛନ୍ତି ଯେ, ଏହି ଉଲକାପିଣ୍ଡଟି ବହୁତ ବଡ। ପ୍ରାୟ ୧୪୪ ମାଇଲ (୨୩୨ କିଲୋମିଟର) ଚଉଡା ଏବଂ ୧୭୩ ମାଇଲ (୨୮୦ କିଲୋମିଟର) ଲମ୍ବ। ଏହା ଲୁହା, ନିକେଲ ଏବଂ ଅନ୍ୟାନ୍ୟ ଧାତୁରେ ସହ ନିକେଲ, ସୁନା, ରୂପା, ପ୍ଲାଟିନମ କିମ୍ବା ଇରିଡିୟମ ଦ୍ରବଣ ଥାଇପାରେ।

Share