ମଙ୍ଗଳରୁ ଧୂଳି ସଂଗ୍ରହ କଲା ନାସା ରୋଭର

ଓ୍ବାଶିଂଟନ,୧୦।୧୨: ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ମଙ୍ଗଳ ଗ୍ରହକୁ ପଠାଇଥିବା ପର୍ସେଭେରାନ୍ସ ରୋଭର ଲାଲ୍‌ ଗ୍ରହ ପୃଷ୍ଠରୁ ଧୂଳି ନମୁନା ସଂଗ୍ରହ କରିଛି। ଡିସେମ୍ବର ୨ ଏବଂ ୬ରେ ଦୁଇଟି ନମୁନା ସଂଗ୍ରହ କରାଯାଇଥିବା ନାସାର ଜେଟ୍‌ ପ୍ରପଲ୍‌ଶନ ଲାବରେଟୋରି ପକ୍ଷରୁ କୁହାଯାଇଛି। ମଙ୍ଗଳ ପୃଷ୍ଠରେ ଜୀବସତ୍ତାର ସନ୍ଧାନ କରିବାରେ ଏହା ସହାୟକ ହୋଇପାରିବ। ପୂର୍ବରୁ ଉକ୍ତ ରୋଭର ଶିଳା ନମୁନା ସଂଗ୍ରହ କରିଥିବାବେଳେ ଏଥର ପବନରେ ଉଡ଼ୁଥିବା ବାଲିକଣା ଓ ଧୂଳି ଏକ କ୍ଷୁଦ୍ର ବାଲୁକା ସ୍ତୂପରୁ ସଂଗୃହୀତ ହୋଇଛି। ପୃଥିବୀକୁ ଆସିବା ପରେ ଏହି ନମୁନା ଉପରେ ବୈଜ୍ଞାନିକମାନେ ଶକ୍ତିଶାଳୀ ଉପକରଣ ଯୋଗେ ଗବେଷଣା କରିବେ ଏବଂ ମଙ୍ଗଳ ଗ୍ରହରେ ଅତୀତରେ ଜୀବସତ୍ତା ଥିଲା କି ନାହିଁ ତାହାର ଲକ୍ଷଣ ଖୋଜିବେ। ଏଥିରୁ ମଙ୍ଗଳ ଗ୍ରହର ଭୂତାତ୍ତ୍ୱିକ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ଗବେଷକମାନେ ଜାଣିପାରିବେ। ମଙ୍ଗଳ ଅଭିଯାନରେ ଯିବାକୁ ଥିବା ମହାକାଶଚାରୀ ଆଗାମୀ ଦିନରେ ବିଭିନ୍ନ ଚ୍ୟାଲେଞ୍ଜଗୁଡ଼ିକୁ ମୁକାବିଲା କରିବାରେ ଏହି ଗବେଷଣା ସହାୟକ ହେବ ବୋଲି କୁହାଯାଉଛି।
ପର୍ସେଭେରାନ୍ସର ରୋବୋ ଆର୍ମ ପୂର୍ବରୁ ମଙ୍ଗଳ ପୃଷ୍ଠରେ ଡ୍ରିଲ୍‌ କରି ଧୂଳି ନମୁନା ସଂଗ୍ରହ କରିଥିଲା। ଏଥର କଣ୍ଟା ଭଳି ଦେଖାଯାଉଥିବା ଏବଂ ଗୋଟିଏ ପଟେ କ୍ଷୁଦ୍ର ଛିଦ୍ର ଥିବା ସ୍ବତନ୍ତ୍ର ଡ୍ରିଲ୍‌ ଦ୍ୱାରା ହାଲୁକା ଧୂଳି ସଂଗ୍ରହ କରାଯାଇଛି। ଏହା ଉପରେ ଗବେଷଣା ଭବିଷ୍ୟତର ମଙ୍ଗଳ ମିଶନ ଲାଗି ନାସା ଇଞ୍ଜିନିୟରମାନଙ୍କୁ ଉପଯୁକ୍ତ ଉପକରଣ ଡିଜାଇନ କରିବାରେ ସହାୟକ ହେବ। ଏହି ଧୂଳିକଣା ମହାକାଶ ଯାନ ଏବଂ ବୈଜ୍ଞାନିକ ଉପକରଣକୁ କ୍ଷତିଗ୍ରସ୍ତ କରିଦେଇପାରେ। ଏହା ଉପକରଣଗୁଡ଼ିକର ସମ୍ବେଦନଶୀଳ ଅଂଶକୁ ଜାମ୍‌ କରିପାରେ ଏବଂ ମଙ୍ଗଳ ପୃଷ୍ଠରେ ରୋଭରର ଗତିକୁ ଧିମା କରିଦେଇପାରେ। ଏହିସବୁ ଚ୍ୟାଲେଞ୍ଜ ଉପରେ ବୈଜ୍ଞାନିକମାନେ ଗବେଷଣା କରିବେ ବୋଲି ନାସା ପକ୍ଷରୁ କୁହାଯାଇଛି।

Share