ନସିଂ ଛାତ୍ରୀ ମୃତ୍ୟୁ ମାମଲା: କଲେଜ ଅଧ୍ୟକ୍ଷାଙ୍କ ନାମରେ ମାମଲା ରୁଜୁ, ଭୟରେ କ୍ୟାମ୍ପସ ଛାଡ଼ିଲେ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦।୭(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ନସିଂ ଛାତ୍ରୀ ଆଖିଲା ବେହେରାଙ୍କ ମୃତ୍ୟୁ ଘଟଣାକୁ ନେଇ ପୋଲିସର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ପରିବାର ଲୋକଙ୍କ ଅଭିଯୋଗ ମୁତାବକ, ପୋଲିସ ଦଫା ୩୦୨, ୨୦୧, ୩୪ରେ କଲେଜ ଅଧ୍ୟକ୍ଷା ଓ ଅନ୍ୟ କିଛି ଲୋକଙ୍କ ନାମରେ ଏକ ହତ୍ୟା ମାମଲା ରୁଜୁ କରିଛି। ଅନ୍ୟପକ୍ଷେ ପୋଲିସ ଶୁକ୍ରବାର ରାତିରେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏପରିକି ଭୟରେ ହଷ୍ଟେଲ ଛାଡି ସମସ୍ତ ଛାତ୍ରୀଛାତ୍ର ଚାଲିଯାଇଥିବା ଜଣାପଡିଛି। ମୃତଦେହ ଗାଁରେ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ପୋଲିସ ହଷ୍ଟେଲ ଛାତ୍ରୀଛାତ୍ରଙ୍କ ବୟାନ ରେକର୍ଡ ପାଇଁ ୨ଟି ଟିମ୍‌ ଗଠନ କରିଛି। ସେମାନଙ୍କ ମଧ୍ୟରୁ ଗୋଟିଏ ଗଞ୍ଜାମ ଜିଲା ଓ ଅନ୍ୟ ଏକ ଟିମ୍‌ ରାୟଗଡ଼ା ଯାଇଥିବା ଜଣାପଡିଛି । ଅନ୍ୟପକ୍ଷେ ହଷ୍ଟଲରେ ଲାଗିଥିବା ସିସିଟିଭି ଫୁଟେଜ ଗାଏବ ହେବା ମାମଲାକୁ ପରିବାର ଲୋକଙ୍କ ମଧ୍ୟରେ ଆହୁରି ସନ୍ଦେହ ସୃଷ୍ଟି କରିଛି। ତେବେ ପୋଲିସ କଲେଜ ସିସିଟିଭି ଫୁଟେଜକୁ ଅଧିକ ଅନୁଧ୍ୟାନ କରିବା ପାଇଁ ପରିବାରବର୍ଗଙ୍କ ଉପସ୍ଥିତିରେ ହାର୍ଡଡିସ୍କ ଜବତ କରିଛି।

Share