ରାଜ୍ୟର ୫୫ଟି ବ୍ଲଡ୍‌ ବ୍ୟାଙ୍କ୍‌ରେ କାର୍ଯ୍ୟକାରୀ ହେବ ନାଟ୍‌ ପଦ୍ଧତି

ଭୁବନେଶ୍ୱର,୨।୮(ଅଭିଜିତ ଦାସ): ରାଜ୍ୟରେ ରକ୍ତ ସଂକ୍ରମଣଜନିତ ରୋଗୀଙ୍କ ସଂଖ୍ୟା ବଢି ଚାଲିଛି। ଅଧିକାଂଶ ରକ୍ତ ସଂକ୍ରମିତ ରୋଗୀ ଗ୍ରାମାଞ୍ଚଳରୁ ଚିହ୍ନଟ ହେଉଥିବାବେଳେ ୨୦ରୁ ୩୦ ପ୍ରତିଶତ ସହରାଞ୍ଚଳରେ ଦେଖିବାକୁ ମିଳୁଛି। ତେବେ ରକ୍ତଜନିତ ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷା ଦେବା ଲାଗି ସମସ୍ତ ଜିଲା ବ୍ଲଡ୍‌ ବ୍ୟାଙ୍କରେ ନ୍ୟୁକ୍ଲିକ୍‌ ଏସିଡ୍‌ ପରୀକ୍ଷଣ(ନାଟ୍‌) ପଦ୍ଧତିରେ ରକ୍ତ ନମୁନାର ପରୀକ୍ଷା କରାଯିବ। ଏଥିଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୭୦ କୋଟି ଟଙ୍କା ଖର୍ଚ୍ଚର ଆକଳନ କରାଯାଇଛି। ବିଶ୍ୱର ୨୭ଟି ଦେଶରେ ନାଟ୍‌ ପଦ୍ଧତି କାର୍ଯ୍ୟକାରୀ ହେଉଥିବାବେଳେ ରାଜ୍ୟ ସରକାର ଉକ୍ତ ବ୍ୟବସ୍ଥାକୁ ସମସ୍ତ ଜିଲାରେ କାର୍ଯ୍ୟକାରୀ କରିବାକୁ ନିଷ୍ପତି ନେଇଛନ୍ତି।
ରକ୍ତରେ ଏଚ୍‌.ଆଇ.ଭି ୧ ଓ ୨, ହେପାଟାଇଟିସ୍‌ ବି ଏବଂ ସି ଆଦି ସଂକ୍ରମଣଜନିତ ରୋଗର ଠିକ୍‌ ନିରୂପଣ କରିବ ନାଟ୍‌ ପଦ୍ଧତି। ପୂର୍ବରୁ ରାଜ୍ୟରେ ୫ଟି ବ୍ଲଡ୍‌ବ୍ୟାଙ୍କରେ ନାଟ୍‌ ପଦ୍ଧତି କାର୍ଯ୍ୟକାରୀ କରାଯାଇଥିବାବେଳେ ବର୍ତ୍ତମାନ ୧୧ଟି ବ୍ଲଡ୍‌ବ୍ୟାଙ୍କରେ ନାଟ୍‌ ପଦ୍ଧତି ଜରିଆରେ ରକ୍ତ ନମୁନାର ପରୀକ୍ଷଣ କରାଯାଉଛି। ତେବେ ଖୁବ୍‌ଶୀଘ୍ର ଆଉ ୪୪ଟି ବ୍ଲଡ୍‌ବ୍ୟାଙ୍କରେ ଏହି ପଦ୍ଧତି କାର୍ଯ୍ୟକାରୀ କରାଯିବ। ନାଟ୍‌ ପଦ୍ଧତି ୨ ପ୍ରକାର ହୋଇଥିବାବେଳେ ପୂର୍ବରୁ ରାଜ୍ୟରେ ଏମ୍‌ପି-ନାଟ୍‌ରେ ରକ୍ତ ପରୀକ୍ଷଣ କରାଯାଉଥିଲା। ବର୍ତ୍ତମାନ ଆଇଡି-ନାଟ୍‌ରେ ରକ୍ତ ପରୀକ୍ଷଣ କରାଯିବ। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘରୋଇ ସଂସ୍ଥା ସହ ଚୁକ୍ତି ସ୍ବାକ୍ଷର କରାଯାଇଛି। ଉକ୍ତ ପଦ୍ଧତି ଜରିଆରେ ପ୍ରତ୍ୟେକ ରୋଗୀଙ୍କ ଲାଗି ୧ହଜାର ଟଙ୍କା ଖର୍ଚ୍ଚ ଆକଳନ କରାଯାଇଥିବାବେଳେ ଏ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ନାଟ୍‌ ପଦ୍ଧତିରେ ରୋଗୀଙ୍କ ରକ୍ତ ସଂକ୍ରମଣଜନିତ ରୋଗର ନିରୂପଣର ଠିକ୍‌ ରିପୋର୍ଟ ମିଳୁଥିବାରୁ ୨୦୧୨ରେ ହାଇକୋର୍ଟ ଉକ୍ତ ପଦ୍ଧତିକୁ ଆପଣାଇବା ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୨୦୧୫ରେ ରାଜ୍ୟରେ ନାଟ ପଦ୍ଧତିରେ ରକ୍ତ ପରୀକ୍ଷଣ ଆରମ୍ଭ ହୋଇଥିଲା। ଉକ୍ତ ପଦ୍ଧତିରେ ଏପର୍ଯ୍ୟନ୍ତ ୧୦ ଲକ୍ଷ ୭୧ ହଜାର ରୋଗୀଙ୍କ ରକ୍ତ ନମୁନା ପରୀକ୍ଷଣ କରାଯାଇଥିବାବେଳେ ସେଥିରୁ ୩ ହଜାର ୯୪ ଜଣ ବିଭିନ୍ନ ପ୍ରକାର ରକ୍ତ ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏଥିଲାଗି ୨୦୨୩ ଜୁଲାଇ ସୁଦ୍ଧା ବିଭାଗ ପକ୍ଷରୁ ୮୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏବେ ପ୍ରତିବର୍ଷ ପ୍ରାୟ ୨୦ କୋଟି ଖର୍ଚ୍ଚ ହେଉଥିବାବେଳେ ଆଗକୁ ବୃଦ୍ଧି ଘଟିବ ବୋଲି କୁହାଯାଇଛି।

Share